ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ୍ । ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ପୋର୍ଟାଲ୍ ଖୋଲିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରି ହେବ । ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ନୂଆପଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପୋର୍ଟାଲ୍ ଖୋଲାଯିବ।
ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍ ଖୋଲିବ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ ।
ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ଦେୟରେ ସୁଭଦ୍ରା ଆବେଦନ ପତ୍ର ଉପଲବ୍ଧ ହେବ । ଏତଦ୍ବ୍ୟତୀତ ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ କରିପାରିବେ । ଏଥି ନିମନ୍ତେ ନିଜର ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ହେବ । ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଦୁଇଟି କିସ୍ତି ପ୍ରଦାନ କରାଯିବ ଓ ଯଦି ସେମାନଙ୍କ ଯୋଗ୍ୟତା ବଜାୟ ରହେ, ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସୁବିଧା ମିଳିବ ।
