Before Header

ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ

0 327

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ଅଭାବ ଅନଟନ ପାଇଁ ପରିବାରରେ ସବୁବେଳେ ଲାଗି ରହୁଥିଲା କଳି। ଲକଡାଉନ୍ ସମୟରୁ କାମ ନ ପାଇ ଘରେ ରହୁଥିବା ପ୍ରବାସୀ ଶ୍ରମିକ ଶେଷରେ ବେକର ଲୁଗା ଲଗେଇ କଲେ ଅତ୍ମହତ୍ୟା। ସ୍ୱାମୀ ଚାଲିଯିବା ପରେ ସ୍ତ୍ରୀ ଏବେ ତିନି ଛୁଆଙ୍କ ସହ ବେସାହାରା। ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିବାକୁ ପାଖରେ ଟଙ୍କାଟେ ବି ନାହିଁ। ଏଭଳି ଏକ ଦୁଃଖଦ ଘଟଣା ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ଗାଁରେ ଦେଖିବାକୁ ମିଳିଛି। ଗାଁର ପରୀକ୍ଷିତ ମଳିକଙ୍କ ପୁଅ ଅର୍ଜୁନ ପ୍ରବାସୀ ଶ୍ରମିକ ଭାବେ ବାହାର ରାଜ୍ୟରେ ରହି କାମ କରୁଥିଲେ। ସେଠାରେ ଯାହା ରୋଜଗାର କରୁଥିଲେ, ନିଜ ଖର୍ଚ୍ଚ ବାଦ୍ ଅବଶିଷ୍ଟ ଘରକୁ ପଠାଉଥିଲେ। ହେଲେ କରୋନା ସବୁକିଛି ବିଗାଡ଼ିଦେଲା। ଲକଡାଉନ ପରେ ଅର୍ଜୁନ ଗାଁକୁ ଆସିଥିଲେ ମଧ୍ୟ ପୁନର୍ବାର କର୍ମକ୍ଷେତ୍ରକୁ ଯାଇପାରି ନ ଥିଲେ। ଗାଁରେ ବି ତାଙ୍କୁ କାମ ମିଳିଲା ନାହିଁ। ଅର୍ଥ ଅଭାବରୁ ୩ ଛୋଟଛୁଆ, ବୃଦ୍ଧ ବାପା-ମା’ ଓ ସ୍ତ୍ରୀଙ୍କ ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ବି ସମ୍ଭବ ହେଲାନାହିଁ। ଫଳରେ ଘରେ ଲାଗିଲା କଳିଝଗଡ଼ା। ଏହାକୁ ନେଇ ଅର୍ଜୁନ ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାଙ୍କ ଭିତରେ ଝଗଡ଼ା ହେଉଥିଲା ବୋଲି ଅର୍ଜନୁଙ୍କ ବାପା କହିଛନ୍ତି।

ନଭେମ୍ବର ୨ ତାରିଖରେ ଅର୍ଜୁନ ମଦ୍ୟପାନ କରି ଘରକୁ ଆସିଥିଲେ। ଘରେ ରାସନ ନାହିଁ ମଦ ପିବାକୁ ପଇସା କିଏ ଦେଲା ବୋଲି ସନ୍ଧ୍ୟା ପଚାରିବାରୁ ସେଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ତୀବ୍ର ହୋଇଥିଲା ଯେ ଅର୍ଜୁନ ଘର ଭିତରେ ପଶି ସନ୍ଧ୍ୟାଙ୍କ ଶାଢ଼ି ବେକରେ ଦେଇ ଆତ୍ମହତ୍ୟା କରି ଦେଇଥିଲେ। ଘରର ଏକମାତ୍ର ପୁଅ ଅର୍ଜୁନଙ୍କ ମୃତ୍ୟୁ ପରେ ଏବେ ପରିବାର ପୂରା ଭାଙ୍ଗିପଡ଼ିଛି। ଅର୍ଜୁନଙ୍କ ୩ଟି ଛୋଟ ଛୁଆ, ବୃଦ୍ଧ ବାପା ମା’ ଓ ସ୍ତ୍ରୀ ଏବେ ଚଳିବା କଷ୍ଟସାଧ୍ୟ ହୋଇପଡ଼ିଛି। ଅର୍ଜୁନଙ୍କ ମୃତ୍ୟୁକୁ ୫ ଦିନ ବିତିଗଲାଣି ମାତ୍ର ପରିବାରରେ ଜଳୁନି ଚୁଲି। କାହରି ପେଟକୁ ଯାଉନି ଦାନା। ଅନ୍ୟପଟେ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିବାକୁ ବି ପାଖରେ ପଇସା ନାହିଁ। ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ମଧ୍ୟ ମିଳିନାହିଁ। ଯଦି ତାଙ୍କୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାନ୍ତି ତେବେ ସନ୍ଧ୍ୟା ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିପାରନ୍ତେ ବୋଲି ନିବେଦନ କରିଛନ୍ତି।

Leave A Reply

Your email address will not be published.