Before Header

ଡ୍ରାଇଭରଙ୍କ ଅମାପ ଦୌଲତ

0 338

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରାଇଭଙ୍କର ଅମାପ ଦୌଲତ । ରାଜ୍ୟ ସରକାରଙ୍କର କୋଟିପତି ଡ୍ରାଇଭର । ଦିନକୁ ଦିନ ଖୋଲିବାରେ ଲାଗିଛି ବିରଞ୍ଚି ସାମ୍ରାଜ୍ୟର ଗୁମର । ସାମ୍ନାକୁ ଆସୁଛନ୍ତି ନୂଆ ନୂଆ ଚେହେରା । ଏବେ ବିରଞ୍ଚି ସାହୁ ଲିଙ୍କର ଆଉ ଜଣଙ୍କ ନାଁ ପଦାକୁ ଆସୁଛି । ରାଜ୍ୟରେ ଚାଲିଥିବା ନିଯୁକ୍ତି ଦୁର୍ନୀତିର ଆଉ ଏକ ଫର୍ଦ୍ଦ ସମ୍ନାକୁ ଆସିଛି । କିଭଳି ଜଣେ ସରକାରୀ ଡ୍ରାଇଭର ଚାକିରି କରାଇଦେବା ନାଁରେ ପିଲାଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଅମାପ ସମ୍ପତିର ମାଲିକ ହୋଇଛନ୍ତି ତା’ର ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି ବଡ଼ ଖବର ହାତରେ ।

ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡରେ କେମିତି ଚାଲିଥିଲା ଦୁର୍ନୀତି ତାର ତଥ୍ୟ ରଖିଛନ୍ତି ନିମାପଡାର ଯୁବକ ରାଜେଶ ବରାଳ । ଆଉ ରାଜେଶ ସିଧାସିଧା ଲୋକସେବା ଭବନର ଜଣେ ଡ୍ରାଇଭରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ରାଜେଶ ତାଙ୍କ ଗାଁର ସୁଜାତା ସ୍ୱାଇଁଙ୍କର ଷ୍ଟାଟିଷ୍ଟିକାଲ ଫଲ୍ଡ ସର୍ଭେରେ ନିଯୁକ୍ତିକୁ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପରେ ତନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ଏହାର କିଛିଦିନ ପରେ ତାଙ୍କ ଘର ଠିକଣାରେ ଏକ ଚିଠି ଆସିଥିଲା । ଏଥିରେ ସୁଜାତାଙ୍କ ପରୀକ୍ଷା ନମ୍ବର ସହ ଅଭିଯୋଗକାରୀ ରାଜେଶଙ୍କର ନମ୍ବର ରହିଥିଲା । ମାତ୍ର ରାଜେଶ କୌଣସି ପରୀକ୍ଷା ଦେଇନଥିଲେ । ପରୀକ୍ଷା ବେଳକୁ ତାଙ୍କ ବୟସ ୩୮ବର୍ଷ ମଧ୍ୟ ହୋଇଥିଲା । ତେବେ ସୁଜାତା ସ୍ୱାଇଁଙ୍କୁ ଚାକିରି ଦେବା ପଛରେ ଲୋକସେବା ଭବନର ଏହି ଡ୍ରାଇଭରଙ୍କ ସମ୍ପୃକ୍ତି ଥିବା ରାଜେଶ ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ରାଜେଶ ସମ୍ପୃକ୍ତ ଡ୍ରାଇଭରଙ୍କ କୋଟି କୋଟି ଟଙ୍କାର ସମ୍ପତି ଥିବା ମଧ୍ୟ ଅଭିଯୋଗ କରିଥିଲେ । ଜଣେ ଡ୍ରାଇଭର ଏତେ ସମ୍ପତିର ମାଲିକ ହେଲେ କେମିତି ବୋଲି ଅଭିଯୋଗ ହେବା ପରେ ଆମେ ସତ ପରିଖିବା ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇଥିଲୁ । ସେଠାରେ ଡ୍ରାଇଭରଙ୍କର ସମ୍ପତି ଦେଖି ଆମର ବି ହୋସ ଉଡିଯାଇଥିଲା ।

ଲୋକସେବା ଭବନରେ ଜଣେ ଡ୍ରାଇଭର ଭାବେ କାମ କରୁଥିବା ନିମାପଡା ଅଞ୍ଚଳର ସୁରେନ୍ଧ୍ର ପ୍ରଧାନଙ୍କ ସମ୍ପତ୍ତି ଦେଖିଲେ ଆପଣଙ୍କର ବି ଆଖି ଲାଖିଯିବ । ନିମାପଡା ଚାରିଛକ ରାସ୍ତାରେ ଗୋଟିଏ ବିରାଟ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ସହ ଅନେକ ଜମି ମଧ୍ୟ ରହିଛି ବାବୁଙ୍କର । ଖାଲି ସେତିକି ନୁହେଁ ବାବୁଙ୍କର ଏକାଧିକ ଟ୍ରକ ସହ ଜେସିବି ମଧ୍ୟ ଥିବା ଆଞ୍ଚଳବାସୀ କହିଥିଲେ । ଏହାବାଦ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାବୁଙ୍କ ପୁଅଙ୍କ ନାଁରେ ଏକ ଦାମୀ ଧଳାରଙ୍ଗର ସ୍କର୍ପିଓ ଗାଡ଼ି ମଧ୍ୟ ରହିଛି । ତେବେ ଜଣେ ସାଧାରଣ ଡ୍ରାଇଭରଙ୍କର ଏତେ ସମ୍ପତି ହେଲା କେମିତି ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଖାଲି ସେତିକି ନୁହେଁ ରାଜ୍ୟର ଜଣେ ପ୍ରଭାବଶାଳୀ ପୂର୍ବତ୍ତନ ମନ୍ତ୍ରୀଙ୍କର ମଧ୍ୟ ଡ୍ରାଇଭର ଥିଲେ ସୁରେନ୍ଦ୍ର । ଏହାରି ଭିତରେ ସେହି ଅଞ୍ଚଳ ଯୁବକ ରାଜେଶଙ୍କ ବୟାନ ରାଜ୍ୟରେ ଚାଲିଥିବା ଚାକିରି ଦୁର୍ନୀତିର ପର୍ଦ୍ଦାଫାସ କରୁଛି । ତେବେ ଭିଜିଲାନ୍ସ ତୁରନ୍ତ ଏହି ମାମଲାରେ ହସ୍ତେକ୍ଷପ କରିବା ସହ ଡ୍ରାଇଭର ସୁରେନ୍ଦ୍ର ପ୍ରଧାନଙ୍କର ସମ୍ପତ୍ତି ଯାଞ୍ଚ ପାଇଁ ଦାବି ହୋଇଛି । ଓଡ଼ିଶାରେ ଏମିତି କେତେ ବିରଞ୍ଚି ସାହୁ ଅଛନ୍ତି ତା’ର ମଧ୍ୟ ତଦନ୍ତ ହେବା ଅବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.