Before Header

ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ

0 571

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ରଥଯାତ୍ରା ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ । ମନ୍ତ୍ରୀ ହେବାକୁ ବିଜେଡିରେ ପୁଞ୍ଜାପୁଞ୍ଜା ଆଶାୟୀ ବାହାରିଲେଣି । ସବୁ ଅନାଇ ରହିଛନ୍ତି ନବୀନ ନିବାସ ସିଗନାଲକୁ । ଅନ୍ୟପକ୍ଷରେ ମନ୍ତ୍ରୀପଦ ହରାଇବା ଆଶଙ୍କା ବି ଘାରିଛି କେତେକ ମନ୍ତ୍ରୀଙ୍କୁ । ହେଲେ ନବୀନଙ୍କ ମୁଣ୍ଡରେ କି ଯୋଜନା ଚାଲିଛି, କେହି ଉଠରାଇ ପାରୁନାହାନ୍ତି । ହେଭିୱେଟ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ନେବେ ନା ଆଦୌ ଚର୍ଚ୍ଚାରେ ନଥିବା ବିଧାୟକଙ୍କୁ ମନ୍ତ୍ରୀ କରି ନବୀନ ସରପ୍ରାଇଜ ଦେବେ, ଏବେଠାରୁ କହିବା ମୁସ୍କିଲ । ୨୦୧୯ରେ ବଡ଼ ବିଜୟ ସହ ବିଜେଡି ପୁନଃ କ୍ଷମତାକୁ ଫେରିଥିଲା ।

୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ପଞ୍ଚମ ପାଳି ସରକାର ଆରମ୍ଭ କରିଥିଲେ ନବୀନ । ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ପାଇଲେ ୧୦ଜଣ । କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ବରିଷ୍ଠ ନେତା ନବକିଶୋର ଦାସଙ୍କୁ ସିଧା କ୍ୟାବିନେଟ ପାହ୍ୟା ମିଳିଥିଲା । ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଟୁକୁନି ସାହୁ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଏକାଥରକେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ଅଶୋକ ପଣ୍ଡାଙ୍କୁ ବାଦ୍‌ ଦେଲେ ରାଷ୍ଟ୍ରମନ୍ତ୍ରୀ ତାଲିକାରେ ସ୍ଥାନ ପାଇଥିବା ବାକି ୮ଜଣ ଯାକ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଲେ। ନବୀନଙ୍କ ପଞ୍ଚମ ପାଳି ସରକାରକୁ ଇତିମଧ୍ୟରେ ୨ ବର୍ଷ ପୂରିଗଲାଣି ।

ଏହି ଦୁଇବର୍ଷ ସରକାରଙ୍କ ଥିଲା ବଡ଼ ଚ୍ୟାଲେଞ୍ଜ । ବିଭିନ୍ନ ବିଭାଗର ଦୁର୍ନୀତି ପଦାରେ ପଡିଯାଇଛି । ଅର୍ଥାତ୍ ମନ୍ତ୍ରୀମାନଙ୍କର ମନମାନୀ ଓ ଦୁର୍ନୀତି ପଦାରେ ପଡିଯାଇଛି । କିଛି ଘଟଣାରେ ମଧ୍ୟ ଜନ ଅସନ୍ତୋଷ ଚରମା ସୀମାରେ ପହଞ୍ଚିଛି । ମଣ୍ଡିରେ ଧାନ କିଣାବିକା ନେଇ ବିରୋଧୀ ବିଧାନସଭାରେ ସରକାରଙ୍କୁ ଘେରିଥିବା ବେଳେ ରାଜରାସ୍ତାରେ ଚାଷୀ ସରକାରଙ୍କୁ ହଲ୍ଲାପଟା କରିଛନ୍ତି । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ଆନ୍ଦୋଳନ ଜାରି ରହିଛି । କୋଭିଡ ପରିଚାଳନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଆଗରେ ସରକାରଙ୍କ ଛବି ମଳିନ ପଡିଯାଇଛି । ଏହି ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ନୟାଗଡ଼ର କୁନିଝିଅ ପରୀକୁ ବିଚାରକୁ ନିଆଯାଇପାରେ । ଲୋକଙ୍କ ମନରେ ସରକାରଙ୍କ ପ୍ରତିଥିବା ନକରାତ୍ମକ ଛବି ବଦଳାଇବା ପାଇଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଏକମାତ୍ର ବିକଳ୍ପ ବୋଲି ନବୀନ ବୁଝିସାରିଲେଣି । ସଂଗଠନ ସମ୍ଭାଳିଥିବା ନେତାଙ୍କୁ ଏବେ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଏହି ତାଲିକାରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନାଁ ଚର୍ଚ୍ଚା ହେଉଛି। ଏହାବାଦ୍‌ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ନାଁ ମଧ୍ୟ ଆଶାୟୀ ତାଲିକାରେ ଥିବା କୁହାଯାଉଛି । ମନ୍ତ୍ରୀପଦ ପାଇଁ ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ଅମାତ, ଚନ୍ଦ୍ରସାରଥୀ ବେହେରା ଓ ସୁଧୀର ସାମଲଙ୍କ ନାଁ ମଧ୍ୟ ଢେର ଚର୍ଚ୍ଚା ହେଉଛି । କିନ୍ତୁ ପରାମର୍ଶଦାତାଙ୍କ ଶୁଭଦୃଷ୍ଟି ସୌମ୍ୟରଞ୍ଜନଙ୍କ ଉପରେ ପଡିବ କି ନାହିଁ ଆମର ସନ୍ଦେହ ରହିଛି । ସବୁଠୁ ବଡ଼ ଜିଲ୍ଲା ଗଞ୍ଜାମର ମନ୍ତ୍ରୀ ସଂଖ୍ୟା ବଢ଼ିପାରେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବେ ମନ୍ତ୍ରୀ ହେବାକୁ ମନ ବଳାଇଲେଣି । ଅଦଳବଦଳରେ ଯଦି ପୁରୀ ଜିଲ୍ଲାରୁ ଜଣେ ମନ୍ତ୍ରୀ ବାଦ୍‌ ପଡ଼ନ୍ତି, ତେବେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ମନ୍ତ୍ରୀ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜ ସାଂସଦ ସାମିଲ ହେବା ପରେ ଏହି ଜିଲ୍ଲା ଉପରେ ଏବେ ବିଜେଡି ବିଶେଷ ନଜର ରଖିଛି । ତେଣୁ ଜିଲ୍ଲାରୁ ଆଉ ଜଣକୁ ମନ୍ତ୍ରୀ ପଦ ମିଳିପାରେ । ଏହି ତାଲିକାରେ କରଞ୍ଜିଆର ନୂଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯୁବ ମୁହଁ ଭାବେ ଦେବେଶ ଆଚାର୍ୟ୍ୟ ଓ ବ୍ୟୋମକେଶ ରାୟଙ୍କ ନାମକୁ ନେଇ ମଧ୍ୟ ବିଚାର କରିପାରନ୍ତି ନବୀନ । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିର ଜୋରଦାର ପ୍ରଦର୍ଶନ ସତ୍ତେ୍ୱ ମୋଦିଙ୍କ ନୂଆ ଟିମରେ ପଶ୍ଚିମ ଓଡ଼ିଶାକୁ କୌଣସି ମନ୍ତ୍ରୀପଦ ମିଳିନାହିଁ ।

ବିଜେଡି ଏହାକୁ ପ୍ରସଙ୍ଗ କରି ବିଜେପିକୁ ଘେରିବା ସହ ପଶ୍ଚିମ ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ବେଶ୍‌ ଗୁରୁତ୍ୱ ଦେବା ପାଇଁ ବିଚାର କରାଯାଉଛି । ନୂଆଙ୍କୁ ସୁଯୋଗ ଦେବାକୁ କିଛି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବେ । ଏମିତି ଆଶଙ୍କା ନେଇ କେତେକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ । ସବୁ ପରେ ବି ମନ୍ତ୍ରିମଣ୍ଡଳରେ ଯେଉଁମାନେ ରହିବେ, ସେମାନଙ୍କ ଭିତରୁ କେତେକଙ୍କ ବିଭାଗ ଅଦଳବଦଳ ହେବ । ଆଶାୟୀ ନେତାଙ୍କ ଶିବିର ଏବେ ଚଳଚଞ୍ଚଳ । ସବୁବେଳେ ନିଜ ନିଷ୍ପତ୍ତିରେ ଚକମା ଦେଉଥିବା ନବୀନ ଏଥର କି ସରପ୍ରାଇଜ୍‌ ଦେବେ ରଥଯାତ୍ରା ପରେ ଜଣାପଡ଼ିବ ।

Leave A Reply

Your email address will not be published.