Before Header

ବାରମ୍ବାର ଘଟୁଛି ଏଭଳି କାଣ୍ଡ !

0 45

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ କାଳ ସାଜିଛି ମୁକୁଳା ଡ୍ରେନ । ଗତ ୬ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍‌ ରାଜଧାନୀରେ ୫ ମୁଣ୍ଡ ନେଇ ସାରିଲାଣି । ଭୁବନେଶ୍ୱରବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି ମୁକୁଳା ଡେମ । ବିଭିନ୍ନ ସ୍ଥାନରେ ଡ୍ରେନ ମୁକୁଳା ପଡିବା ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ହେଲେ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଛି । ଏହା ମଧ୍ୟରେ ପୁଣି ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଟ୍ୟୁସନ ଯାଉଥିବା ୧୫ ବର୍ଷର ଛାତ୍ର ଡ୍ରେନରେ ଭାସି ଯାଇଥିଲା । ଦୀର୍ଘ ୨୦ ଘଣ୍ଟା ଖୋଜିବା ପରେ ଶେଷରେ ଜ୍ୟୋତିର ମରଶରୀରକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ତେବେ ଗଣ୍ଡମୁଣ୍ଡ ନାଳରେ ଘଟିଥିବା ଏହି ଅଘଟଣରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା । ରାଜଧାନୀରେ ଏପରି ଘଟିବା କିଛି ନୂଆ କଥା ନୁହଁ । ପ୍ରଶାସନ ଜାଣିଶୁଣି ଲୋକମାନଙ୍କୁ ମରଣଯନ୍ତାକୁ ଠେଲି ଦେଉଛି କହିଲେ କିଛି ଭୁଲ ହେବ ନାହିଁ ।

କାହିଁକିନା ୬ ବର୍ଷ ମଧ୍ୟରେ ୫ ମୁଣ୍ଡ ଗଲାଣି । ତଥାପି ବିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଅନ୍ୟପଟେ ବିଏମସିର ଅବହେଳାର ଉଦାହରଣ ଅନେକ ରହିଛି । ୨୦୧୫ ମସିହାରେ ନୟାପଲ୍ଲୀ ଅଞ୍ଚଳରେ ମା’ ସହିତ ପୁଅ ସ୍କୁଲରୁ ଫେରିବାବେଳେ ନୟାପଲ୍ଲୀ ଡ୍ରେନରେ ଭାସି ମୃତ୍ୟୁବରଣ କରିଥିଲେ । ସେହିପରି ୨୦୧୭ ମସିହାରେ ଲଗାଣ ବର୍ଷା ଯୋଗୁଁ କକ ୟୁନିଟ-୬ ଅଞ୍ଚଳରେ ଡ୍ରେନରେ ଫଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତଥାପି ବିଏମସି ଅଧିକାରୀ ଏହାକୁ ଅଣଦେଖା କରିଥିଲେ । ତେଣୁ ୨୦୧୮ ମସିହାରେ ଜଣେ ଶିଶୁ ଆଉ ଜଣେ ବୃଦ୍ଧା ମଧ୍ୟ ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିଲେ । ସେହିପରି ୨୦୧୯ ମସିହାରେ କକ ନୟାପଲ୍ଲୀ ଥାନା ଅଧିନସ୍ଥ ସାଲିଆସାହି ଏକାମ୍ର ଭିଲ୍ଲା ଛକରେ ନିକଟରେ ଥିବା ଡ୍ରେନର ପାଣି ସୁଅରେ ଭାସିଯାଇ ଜଣେ ବୃଦ୍ଧ ପ୍ରାଣ ହରାଇଥିଲେ ।

ଏହା ସତ୍ତେ୍ୱ ମଧ୍ୟ ବିଏମସି ମୁଣ୍ଡରେ ଚେତା ପଶୁନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । ତଥାପି ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡଲାଇନକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଉଛି । ସାମାନ୍ୟ ଅଣଦେଖା ପାଇଁ ଅମୂଲ୍ୟ ଜୀବନଟିଏ ଚାଲିଯାଉଛି । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ବିଏମସିକୁ ୧ ହଜାର କୋଟି ଟଙ୍କା ଦେଇଥିଲେ । ହେଲେ ଖୁଲମଖୁଲା ନିୟମକୁ ଭଙ୍ଗ କରୁଛି ବିଏମସି । ଏନେଇ ନା କୌଣସି କାର୍ଯ୍ୟାନୁଷ୍ଠାନ ହେଉଛି ? ନା ଏଭଳି ଘଟଣାର ପୁନରାବୃତ୍ତି ନହେଉ ବୋଲି କୌଣସି ପଦକ୍ଷେପ ନିଆଯାଉଛି ? କେଉଁଠି ନା କେଉଁଠି ବିଏମସି ସହିତ ରାଜ୍ୟସରକାର ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଏହାର ସମାଧାନ ରାଜ୍ୟ ସରକାର କେବେ କରୁଛନ୍ତି ।

Leave A Reply

Your email address will not be published.