ପୁରୀ(ବଡ଼ ଖବର ବ୍ୟୁରୋ): ଏ ଭେଟ ଥିଲା ଭକ୍ତ-ଭଗବାନଙ୍କର । ଏ ମିଳନ ଥିଲା ଆତ୍ମା-ପରମାତ୍ମାର । ୯ ମାସର ବ୍ୟବଧାନ ଭାଙ୍ଗି ଯାଇଥିଲା । ସରିଯାଇଥିଲା ଦୀର୍ଘ ପ୍ରତୀକ୍ଷାର ପ୍ରତିବନ୍ଧକ । ଉଲ୍ଲସିତ ଥିଲା ଶ୍ରୀମନ୍ଦିର । ଭାବ ବିହ୍ୱଳ ଥିଲେ ଶ୍ରଦ୍ଧାଳୁ । ରତ୍ନ ସିଂହାସନରେ ବସି ଆନନ୍ଦରେ ଦର୍ଶନ ଦେଉଥିଲେ ମହାବାହୁ । ଏମିତି ଅପୂର୍ବ, ଅଭୂତ, ଦିବ୍ୟ ଦୃଶ୍ୟ ଥିଲା ଶ୍ରୀକ୍ଷେତ୍ରରେ । କାହିଁକି ନା ଏତେ ଦିନ ପରେ ଭକ୍ତଙ୍କ ପାଇଁ ଜଗାର ଦୁଆର ଫିଟିଥିଲା । ମନ୍ଦିର ଆଗରେ ଝୋଟି, ଚିତା ସହ ସିଂହଦ୍ୱାର ଗୁମୁଟ ଫୁଲରେ ସଜା ଯାଇଥିଲା । ଲାଗୁଥିଲା ଯେମିତି ଭକ୍ତର ସ୍ୱାଗତ ପାଇଁ ପତିତ ପାବନ ବାନା, ନୀଳଚକ୍ର, ବାଇଶି ପାହାଚ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥିଲେ । ଆଜି ଅନୁମତି ଥିଲା ସେବାୟତଙ୍କ ପରିବାରକୁ । ୨୨ଶହ ସେବାୟତ ପରିବାର ୧୦ ହଜାର ସଦସ୍ୟ ୩ ଦିନରେ ଦର୍ଶନ ସାରିବେ । ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୱାର୍ଡ଼ୱାରୀ ଭାବେ ସକାଳ ୭.୩୦ ରୁ ରାତି ୯ଟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଦର୍ଶନ କରିବେ । ଚାଲନ୍ତୁ ଜାଣିନେବା ସେ ସଂପର୍କରେ,

୨୬ ତାରିଖରେ ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ୬,୯ ନଂ ୱାର୍ଡ଼ , ୧୨ ଟାରୁ ୪ ପର୍ଯ୍ୟନ୍ତ ୧୨,୧୫ନଂ ୱାର୍ଡ଼, ୪.୩୦ ରୁ ୯ ଟା ପର୍ଯ୍ୟନ୍ତ ୧୧,୨,୩ ନଂ ୱାର୍ଡ଼ ଦର୍ଶନ କରିବେ । ସେହିପରି ୨୭ ତାରିଖରେ ସକାଳ ସମୟରେ ୧୩ନଂ ୱାର୍ଡ଼ , ଦ୍ୱିପହର ସମୟରେ ୧୬,୧୮ନଂ ୱାର୍ଡ଼ ,ସନ୍ଧ୍ୟା ସମୟରେ ୧୭,୪,୨୦ନଂ ୱାର୍ଡ଼ ଦର୍ଶନ କରିବେ ।୨୮ ତାରିଖରେ ୧୦,୧୯ ୱାର୍ଡ଼ ନଂ ସକାଳ ସମୟରେ, ୮,୨୧ ନଂ ୱାର୍ଡ଼ ଦ୍ୱିପହର ସମୟରେ, ଶେଷରେ ୫ନଂ ୱାର୍ଡ଼ ଦର୍ଶନ କରିବେ । ୨୯ ଓ ୩୦ ତାରିଖରେ ସକାଳ ସମୟରେ ୧୪,୩୨ ଓ୨୩,୨୪ ନଂ ୱାର୍ଡ଼ , ଦ୍ୱିପହରରେ ୨୨,୨୬ ଓ ୨୫,୩୦ ନଂ ୱାର୍ଡ଼ ଶେଷରେ ସନ୍ଧ୍ୟାରେ ୧ ଓ ୭,୨୭ ନଂ ୱାର୍ଡ଼ ଦର୍ଶନ କରିବେ । ୩୧ ତାରିଖର ସକାଳ ସମୟରେ ୨୮ ନଂ ୱାର୍ଡ଼ , ଦ୍ୱିପହରରେ ୨୯,୩୧ ନଂ ୱାର୍ଡ଼ ଶେଷରେ ଦର୍ଶନ କରିବେ ।

ତେବେ ଦର୍ଶନର ଶୃଙ୍ଖଳା ପାଇଁ ୱାର୍ଡୱାରୀ ସମୟ ସାରଣୀ ପ୍ରସ୍ତୁତ ହୋଇଛି । ପ୍ରତି ୱାର୍ଡ ପାଇଁ ୪ ଘଂଟାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଶ୍ରଦ୍ଧାଳୁ ସାଥୀରେ ପରିଚୟ ପତ୍ର ନେଇ ଆସିବାକୁ ପ୍ରଶାସନ କହିଛି । ଅନ୍ୟପକ୍ଷରେ, ଆସନ୍ତା ୩ ତାରିଖରୁ ପୁରୀ ବାହାର ଲୋକେ ମନ୍ଦିରକୁ ଆସିପାରିବେ । ତେବେ ଏଥିଲାଗି ସେମାନଙ୍କୁ କୋଭିଡ ନେଗେଟିଭ ସାର୍ଟିଫିକେଟ ଦେଖାଇବାକୁ ହେବ । ଦୈନିକ ସର୍ବାଧିକ ୫ ହଜାର ଭକ୍ତଙ୍କୁ ଭିତରକୁ ଛଡାଯିବ ।

Leave a Reply

Your email address will not be published. Required fields are marked *