ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ ମଧ୍ୟ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । କିନ୍ତୁ ୨୮ ତାରିଖରୁ ବର୍ଷା ନାହିଁ ବୋଲି ପୂର୍ବାନୁମାନ ଦିଆଯାଇଛି । ଗୁରୁବାର ଲଘୁଚାପ ସୃଷ୍ଟି ହେବ ।
ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାରେ ଭାରୀ ବର୍ଷା ଆଶଙ୍କା ଅଛି । କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ପବନର ଝଟ୍କା ୬୦କିମି ଛୁଇଁପାରେ । ମୟୂରଭଞ୍ଜକୁ ଅଧିକ ବର୍ଷା ଅଛି । ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୨୭ ତାରିଖରେ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ୨୮ ତାରିଖ ଯାଏଁ ଗଭୀର ସମୁଦ୍ରକୂ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
