ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଆଜି ଭାରତର ପ୍ରଥମ ସହିଦ, ମହାନ ସଂଗ୍ରାମୀ, ଦେଶଭକ୍ତ ଜୟୀ ରାଜଗୁରୁ ଙ୍କର ୨୮୩ ତମ ଜୟନ୍ତୀ। ୧୭୩୯ ଅକ୍ଟୋବର ୨୯ ଅଁଳା ନବମୀ ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜୟୀ ରାଜଗୁରୁ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ସଂଗ୍ରାମୀଙ୍କ ମଧ୍ୟରେ ସହିଦ ଜୟୀରାଜଗୁରୁ ଅନ୍ୟତମ । ସମଗ୍ର ଭାରତବାସୀ ପରାଧୀନତାର ଶିକୁଳିରେ ସନ୍ତୁଳି ହେଉଥିବାବେଳେ ଓଡ଼ିଶାରେ ପାଇକ ବିଦ୍ରୋହର ବହ୍ନ ଜଳିଥିଲା, ଯାହାର ନେତୃତ୍ୱ ନେଇଥିବା ମହାନାୟକଙ୍କ ମଧ୍ୟରେ ଜୟୀ ରାଜଗୁରୁ ଥିଲେ ଅନ୍ୟତମ । ଗୋରା ଶାସକ ବିରୋଧରେ ଉତ୍କଳର ପ୍ରତିଟି ପ୍ରାଣରେ ସେ ବିପ୍ଳବର ବହ୍ନି ଜାଳିଥିଲେ । ଓଡ଼ିଶାର ଶେଷ ସ୍ୱାଧୀନ ରାଜ୍ୟ ଖୋରଧା, ଏହାର ରାଜା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଉଦ୍ୟମ କରି ସେ ପ୍ରାଣଦଣ୍ଡ ଭୋଗ କରିଥିଲେ । ଏହା ଘଟିଥିଲା କେବଳ ବିଶ୍ୱାସଘାତକତାର ପରିଣାମ ସ୍ୱରୂପ ।
ପୁରୀ ଜିଲ୍ଲାର ହରେକୃଷ୍ଣପୁର ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓଡ଼ିଶାବାସୀଙ୍କ ପାଇଁ ପାଲଟିଗଲେ ଜୟୀ ରାଜଗୁରୁ । ବେଦ, ପୁରାଣ ଓ ଶାସ୍ତ୍ର ଅଧ୍ୟୟନ ରୁଚି ରଖୁଥିଲେ ଜୟୀ ରାଜଗୁରୁ । କେବଳ ବଂଶ ପରମ୍ପରା ରାଜ ପୁରୋହିତ ନଥିଲେ, ଶାସ୍ତ୍ର ବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ଭାବେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ । ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାକୁ ଚାହୁଁଥିଲେ । ବାପାଙ୍କ ଅନ୍ତେ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ରାଜସଭାରେ ସେ ରାଜଗୁରୁ ତଥା ମନ୍ତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ । ତା ପରେ ସେ ରାଜଗୁରୁ ପାଲଟିଗଲେ । ଖୋର୍ଦ୍ଧା ରାଜାଙ୍କୁ ଉତ୍କଳର ଶାସକ ଭାବେ ପ୍ରତିଷ୍ଠିତ କରିବା ପାଇଁ ସେ ଉଦ୍ୟମ ଚଳାଇଥିଲେ ।
୧୮୦୩ରେ ଇଂରେଜମାନେ ଓଡ଼ିଶା ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଏବଂ ସେମାନଙ୍କ ବଶତା ସ୍ୱୀକାର କରିବାକୁ ବାଧ୍ୟ କଲେ । ରାଜଗୁରୁଙ୍କ ସ୍ୱାଭିମାନକୁ ଏହା କଠୋର ଆଘାତ ଦେଲା । ଫିରିଙ୍ଗି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ପଣ କରି ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ସେ ନିଜ ସୈନ୍ୟବାହିନୀରେ ମିଶାଇଲେ । ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ବରୁଣେଇ ଗଡ଼କୁ ସୁଦୃଢ଼ କରିଥିଲେ । ଇଂରେଜ ବିରୁଦ୍ଧରେ ଗରିଲା ଯୁଦ୍ଧକୌଶଳ ରାଜଗୁରୁ ଆରମ୍ଭ କରିଥିବା କୁହାଯାଏ । ଇଂରେଜମାନେ ଶେଷରେ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ରାଜଗୁରୁଙ୍କୁ ବନ୍ଦୀ କରିବା ସହ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଅକ୍ତିଆର କରିନେଲେ ।
୧୮୦୬ରେ ତାଙ୍କୁ ବିଚାର ପାଇଁ ମେଦିନୀପୁର ପଠାଇ ଦିଆଗଲା । ବିଚାର ପରେ ଡିସେମ୍ବର ୬ରେ ତାଙ୍କୁ ଅମାନୁଷିକ ଭାବେ ହତ୍ୟା କରାଗଲା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋରା ଶାସକଙ୍କ ଆଗରେ ମୁଣ୍ଡ ନୁଆଁଇନଥିବା ଜୟୀ ରାଜଗୁରୁଙ୍କ ଅବଦାନକୁ ଓଡ଼ିଶା ମାଟି ଚିରକାଳ ଝୁରିବ।