Before Header

ରାଜ୍ୟ ରାଜନୀତି ପାଇଁ କାଲି ବଡ଼ ଦିନ, ହୋଇପାରେ ବଡ଼ ଘୋଷଣା

0 13

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ମାସ ଭିତରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ରାଜ୍ୟ ରାଜନୀତି ପାଇଁ ଆସନ୍ତାକାଲି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ରାଜ୍ୟରେ ସରକାରରେ ଥିବା ବିଜୁ ଜନତା ଦଳ ପାଇଁ ମାର୍ଚ୍ଚ ୫ ଢେର ଗୁରୁତ୍ୱ ବହନ କରେ । ଏହିଦିନ କେବଳ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ତାହା ନୁହେଁ, ୨୦୦୦ ମସିହା ଏହିଦିନ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଓଡ଼ିଶା ଆସିବାପାଇଁ କାଲିଭଳି ଦିନକୁ ପ୍ରଧାନମନ୍ତ୍ରୀ ମୋଦି କ’ଣ ପାଇଁ ଚୟନ କଲେ ତାକୁନେଇ ଚାଲିଛି ଅନେକ କଳ୍ପନା ଜଳ୍ପନା ।

ଆସନ୍ତାକାଲି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ପ୍ରଧାନମନ୍ତ୍ରୀଙ୍କର ଏକ ସରକାରୀ କାର୍ଯ୍ୟକ୍ରମ ରହିଛି । ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମଞ୍ଚରେ ଏକାଠି ହେବେ । ମାସକ ପୂର୍ବରୁ ଯେତେବେଳ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ସେତେବେଳେ ମଧ୍ୟ ଉଭୟ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ସେହି ସଭାରେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରିୟ ମିତ୍ର ଭାବେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କୌଣସି ଅଣ ଏନଡିଏ ଦଳର ନେତା ପ୍ରତି ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏମିତିକି ଏହି ସମ୍ବୋଧନ ଗ୍ରାଉଣ୍ଡରେ ବିଜେଡି ସହ ପ୍ରତ୍ୟେକ ସମୟରେ ଲଢେଇ କରୁଥିବା ବିଜେପିର ସାଧାରଣ କର୍ମକର୍ତ୍ତାଙ୍କୁ ନିରାଷ କରିଥିଲା ।

ଖାଲି ସେତିକି ନୁହଁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଘୋଷଣାକୁ ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା । କଂଗ୍ରେସ ଉଭୟ ଦଳଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କରିଥିଲା ସମାଲୋଚନା । ଆସନ୍ତାକାଲି ମଧ୍ୟ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ବସିବେ ମୋଦି -ନବୀନ । କାଲିର ସଭାରେ ମୋଦି ବିଜେଡିକୁ ଏନଡିଏରେ ସାମିଲ କରିବାକୁ ନେଇ କିଛି ଇଙ୍ଗିତ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାର କେତେ ଦୂର ଠିକ ହେଉଛି… କାଲି ପ୍ରଧାନମନ୍ତ୍ରୀ, ନବୀନଙ୍କୁ ସେହିଭଳି ସମର୍ଥନ କରିବେ ନା ରାଜ୍ୟ ସରକାରଙ୍କ ଉପରେ ରାଜ୍ୟ ବିଜେପି ଲଗାଉଥିବା ଅଭିଯୋଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ତାହା ଦେଖିବାକୁ ବାକି ରହିଲା ।

ସରକାରୀ ସଭାରେ ହୁଏତ ମୋଦି ଦଳୀୟ କଥା କହିନପାରନ୍ତି । ହେଲେ ଦଳୀୟ ପ୍ଲାର୍ଟଫର୍ମରେ ସେ ଶାସକ ବିଜେଡିକୁ କିଭଳି ଟାର୍ଗେଟ କରିବେ ତା ଉପରେ ରହିଛି ସମସ୍ତଙ୍କର ନଜର । ଏମିତିବି ଚର୍ଚ୍ଚା ହେଉଛି, ଯେହେତୁ କାଲି ବିଜୁବାବୁଙ୍କର ଜୟନ୍ତୀ । ମଞ୍ଚରେ ନବୀନଙ୍କ ଉପସ୍ଥିତିରେ ନରେନ୍ଦ୍ର ମୋଦି ବିଜୁବାବୁଙ୍କ ନାଁରେ ଭାରତରତ୍ନ ସମ୍ମାନ ଘୋଷଣା କରିପାରନ୍ତି । ତେବେ ଚର୍ଚ୍ଚା ତ ଅନେକ ହେଉଛି । ହେଲେ କାଲି ଚଣ୍ଡିଖୋଲର ସେହି ମଞ୍ଚରେ କ’ଣ ହେବ ତାହା ଜାଣିବା ପାଇଁ କାଲିପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଯାହାବି ହେଉ ଆଗକୁ ସାଧାରଣ ନିର୍ବାଚନ ହେତୁ ରାଜ୍ୟ ରାଜନୀତି ପାଇଁ କାଲିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.