ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୩ ଘଣ୍ଟା ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଆଲର୍ଟ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । କେନ୍ଦ୍ରୀୟ-ପୂର୍ବ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୨୯ ଓ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୨୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

୨୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ୪୮ ଘଣ୍ଟା ରହିବ । ଅଗଷ୍ଟ ୩୧ ତାରିଖ ବା ସେପ୍ଟେମ୍ବର ୧ ତାରିଖରେ ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହି ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇପାରେ । ୩୧ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ । କିନ୍ତୁ ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା ନାହିଁ । ଅବିଭକ୍ତ କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ସ୍ପଷ୍ଟ କରିଛନ୍ତି । ଭୁବନେଶ୍ୱରରେ ୨୮ରୁ ୩୧ ତାରିଖ ଯାଏ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରରେ ୨୮ରୁ ସେପ୍ଟେମ୍ବର ୧ ତାରିଖ ଯାଏ ସବୁଦିନ ବର୍ଷା ହେବ । ୩୧ ତାରିଖରୁ ଆନ୍ଧ୍ରପ୍ରଦେଶରେ ଅତିପ୍ରବଳ ବର୍ଷା ହେବ ।

Leave a Reply

Your email address will not be published. Required fields are marked *