Before Header

ବନକଲାଗି ପରେ କେମିତି ଝଲସନ୍ତି ମହାପ୍ରଭୁ?

0 31

ପୁରୀ (ବଡ଼ ଖବର ବ୍ୟୁରୋ):  ବନକଲାଗି ନୀତି ବା ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର ସଂପନ୍ନ କରାଯାଏ। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ପ୍ରବେଶ କରି ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିଥାଏ। ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ୱିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖସିଂହାର ନୀତି ହୋଇଥାଏ । ଏହି ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ ୩ ଖଣ୍ଡ ଶ୍ରୀକପଡ଼ା ଦିଅନ୍ତି। ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରି, କଳା ତେଲ ଆଦି ଯୋଗାଇ ଦେବେ। ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇଦେବେ।

୭ ପ୍ରକାର ସେବକ ବନକଲାଗି ସେବା ସଂପାଦନ କରିଥାନ୍ତି। ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ୩ଜଣ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ୩ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ଏହି ନୀତି କରନ୍ତି । ଦ୍ୱିପ୍ରହର ଧୂପ ସରି ଧୋପଖଳା ହେବା ପରେ ପାଳିଆ ଖୁଣ୍ଟିଆ ତିନିଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି। ତିନି ପୁଷ୍ପାଳକ ସିଂହାସନକୁ ଉଠି ଗରାବଡ଼ୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି। ଚାଙ୍ଗଡ଼ା ମେକାପ ତିନି ବାଡ଼ରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଣ୍ଟିଆମାନେ ମାଳ ଫୁଲ ଯୋଗାଇ ଦେବା ପରେ ଏହା ତିନି ବାଡ଼ରେ ଲାଗି ହୋଇଥାଏ । ପରେ କର୍ପୁର ଲାଗି ହୋଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହାକୁ ମଧ୍ୟାହ୍ନ ପହୁଡ଼ ଆଳତି କୁହାଯାଏ। ଏହା ପରେ ପରେ ପାଳିଆ ପଢ଼ିଆରୀ ଜୟ-ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଏହା ପୂର୍ବରୁ ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢ଼େଇରେ ରଖିଥାନ୍ତି।

ଆଳତି ଓ ଜୟ-ବିଜୟ ଦ୍ବାର ବନ୍ଦ ପରେ ୩ଜଣ ଦତ୍ତ ସେବକ ବନକ ପେଡ଼ାରେ ବନକ ରଖି ବେହେରଣ ଦ୍ବାର ଦେଇ ସିଂହାସନ ଉପରକୁ ଉଠିଥାନ୍ତି। ଗରାବଡ଼ୁଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ କରିଥାନ୍ତି। ମୁଦୁଲି ୩ଟି ରୁପା ପିଙ୍ଗଣରେ କର୍ପୂର ଜଳ ନେଇଥାନ୍ତି, ଚାଙ୍ଗଡ଼ା ମେକାପଠାରୁ ୩ ଖଣ୍ଡ ଶ୍ରୀକପଡ଼ା ନେଇଥାନ୍ତି। ମଝିବାଡ଼ରେ ବନକଲାଗି ହେବା ସମୟରେ ପାଳିଆ ମେକାପ ଅଖଣ୍ଡ ସେବକଙ୍କଠାରୁ ବଇଠା ନେଇ ଦେଖାଇବା ପରେ ବନକଲାଗି ଆରମ୍ଭ ହୋଇଥାଏ। ପ୍ରାୟ ଦୁଇ ଘଣ୍ଟା ଧରି ବନକଲାଗି କରି ଦତ୍ତ ସେବକ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ପାଳିଆ ମେକାପ ସିଂହାସନରୁ ଧୋଇଥାନ୍ତି। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଏବଂ କଳା ଆଦି ପାରମ୍ପରିକ ରଙ୍ଗରେ ଶୃଙ୍ଗାର ହୋଇସାରିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଲସି ଉଠେ।

Leave A Reply

Your email address will not be published.