Before Header

ମକରନ୍ଦଙ୍କ କ’ଣ ୨୪ ପ୍ଲାନ?

0 283

ରାୟଗଡ(ବଡ଼ ଖବର ବ୍ୟୁରୋ):୨୦୧୯ ନିର୍ବାଚନ । ସାରା ଓଡିଶାରେ ନବୀନଙ୍କ ଯାଦୁ । ବିଜୁ ଜନତା ଦଳର ଏକତରଫା ବିଜୟ । ହେଲେ ରାୟଗଡ ବିଧାନସଭାରେ କାମ ଦେଇନଥିଲା ବିଜେଡି ପ୍ଲାନ । ଏଭଳି ଘଡିସନ୍ଧି ମୂହୁର୍ତରେ ବିକାଶକୁ ଚାହିଁ ରହିଥିବା ମକରନ୍ଦ ମୁଦୁଲିଙ୍କ ଜନ୍ମମାଟି କାଶୀପୁର ବାସୀ ଏକତରଫା ଭୋଟ ଦେଇ ଝୋଡିଆ ପୁଅ ମକରନ୍ଦ ମୁଦୁଲିକୁ ସ୍ୱାଧୀନ ରୂପେ ଜିତାଇଥିଲେ । ଗଣତନ୍ତ୍ର ରାଷ୍ଟ୍ରରେ ଶାସନତନ୍ତ୍ର ଯେ କେତେ ଅସହାୟ ତାହା ଅନୁଭବ ହୋଇଥିଲା । ଯେତେବେଳେ ଜିଲାଠାରୁ ରାଜ୍ୟ ପର୍ଯ୍ୟନ୍ତ, ବିଜୁ ଜନତା ଦଳର ପୁରୁଖା ନେତାଙ୍କ ସୁଅ ଛୁଟିଥିଲା କାଶୀପୁରକୁ ।

ତଥାପି କାଶୀପୁରର ମତଦାତାଙ୍କୁ ତିଳେମାତ୍ର ପ୍ରଭାବିତ କରିପାରିନଥିଲେ । ଆଉ ବିଶାଳ ନିର୍ବାଚନ ପରିଚାଳନା ସତ୍ୱେ କାଶୀପୁର ବାସୀଙ୍କ ନିସ୍ପତି ଆଗରେ ବିଜେଡି ହାର ମାନିବାକୁ ବାଧ୍ୟ ହୋଇଥିଲା । କାଶୀପୁରବାସୀଙ୍କ କଡା ଜବାବ ପରିଣାମ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା ହାରିବାକୁ ବାଧ୍ୟ ହୋଇଥିଲେ । ମକରନ୍ଦଙ୍କ ନାମ ଆଗରେ ସାରା ରାଜ୍ୟରେ ଏକ ଭିନ୍ନ ପରିଚୟ ଯୋଡିହୋଇଗଲା । କିଏ ସେହି ମକରନ୍ଦ ମୁଦୁଲି । ଯିଏ କି ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ପରାଜିତ କଲେ । ଯଦି ତାଙ୍କ ରାଜନୈତିକ ଜୀବନକୁ ସମୀକ୍ଷା କରାଯାଏ, ତେବେ ଛାତ୍ର ଜୀବନରୁ ବୈପ୍ଲବିକ ଚିନ୍ତାଧାରା ରଖିଆସୁଥିବା ମଣିଷଟିଏ । ବିଏସପି ଦଳରେ ଯୋଗଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସତ ।

ଦିନ ଥିଲା କଂଗ୍ରେସ ଦଳରେ ରହି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଉ କଂଗ୍ରେସର ଜିଲା ସଭାପତି ଦୁର୍ଗପ୍ରସାଦ ପଣ୍ଡାଙ୍କ ହାତଧରି ୨୦୧୯ ନିର୍ବାଚନରେ ଟିକେଟ ଖଣ୍ଡେ ପାଇଁ ଲବି ଆରମ୍ଭ କରିଥିଲେ ମକରନ୍ଦ । ମକରନ୍ଦ ଜଣେ ଝୋଡିଆ ସମ୍ପ୍ରଦାୟର । ଆଉ ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ପାଇଁ ଚାଲିିଥିବା ଲଢ଼େଇର ସାଜିଥିଲେ ସୂତ୍ରଧର । ଆଉ ଆଦିବାସୀଙ୍କ ପାଇଁ ସଂରକ୍ଷଣ ଆସନରୁ ସେ ନିର୍ବାଚନ ଲଢିବା ପାଇଁ ଦାବୀ କରୁଥିବାରୁ କଂଗ୍ରେସରୁ ଟିକେଟ ପାଇବା ଅନିଶ୍ଚିତତା ହୋଇପଡିଲା । ଆଉ ଏହାର ସୁଯୋଗ ନେଇ ଅସନ୍ତୋଷ ବିଜେଡି ନେତା ତଥା କାଶୀପୁରର ବ୍ୟବସାୟୀ କୃଷ୍ଣ ମହାପାତ୍ର ଗୋଟିଚାଳନା ଆରମ୍ଭ କଲେ । ବିଜେଡି ବିରୋଧରେ ଲଢ଼ିବା ମରକନ୍ଦଙ୍କ ହାତଧରି ସର୍ବଦଳୀୟ ବୈଠକ ବସାଇଥିଲେ କାଶୀପୁରରେ ।

ମକରନ୍ଦ ନାମରେ ସମ୍ବୋଧନ କରି ସାଥିରେ ଧରି ବିକାଶର ସୁନେଲି ସ୍ୱପ୍ନ ଦେଖାଇଥିଲେ କାଶୀପୁରବାସୀଙ୍କୁ । ଆଉ ସ୍ୱାଧୀନ ପ୍ରାର୍ଥୀ ରୂପେ ମକରନ୍ଦଙ୍କୁ ଲଢ଼ିବାକୁ ପାହାଡ ଘେରା କାଶୀପୁରରୁ ବିଜେଡି ବିରୋଧରେ ରଣହୁଙ୍କାର ଦେଲେ । କାଶିପୁରିଆଙ୍କ ଏହି ଆହ୍ୱାନକୁ ନେଇ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲା । କୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ କାଶୀପୁରିଆ ଦିନରାତି ଏକକରି ମକରନ୍ଦ ପାଇଁ କ୍ଷେତ୍ର ପ୍ରସୁସ୍ତି କରି ୨୦୧୯ ନିର୍ବାଚନରେ ଜିତାଇବାରେ ସମର୍ଥ ହୋଇପାରିଥିଲେ । ଅନୁଭବ ହେଲା ଗଣତନ୍ତ୍ରର ବିଜୟ ହୋଇଛି । ହେଲେ କିଛି ମାସ ପରେ ମକରନ୍ଦ ଓ କୃଷ୍ଣଙ୍କ ଏକାଠି ବସିବା ଆଉ ଦେଖିବାକୁ ମିଳଲା ନାହିଁ । ଧିରେଧିରେ ବିଜେଡି ଶିବିର ଆଡକୁ ଢ଼ଳିବାରେ ଲାଗିଲେ ମକରନ୍ଦ ।

ଆଉ ସରକାରୀ ଦଳସହ ଆସୋସିଏଟ ଆସୋସିଏଟ କହି ଶଙ୍ଖ ଦଳର ବ୍ୟାନର ତଳେ ବସିବା ଆରମ୍ଭ କରିଦେଲେ ମକରନ୍ଦ ଆଉ ସାଧାରଣ ଜନତାଙ୍କ ଠାରୁ ଦୂରକୁ ଠେଲି ହୋଇହୋଇ ଗଲେ । ଆଉ ନିଜ ବୈଠକଖାନାରେ କମ ବିଜୁ ଜନତାଦଳର ଜିଲା ସଭାପତି, ବିଧାୟକ, ନେତା ମନ୍ତ୍ରୀଙ୍କ ଶିବିରରେ ଉଠାବସା ବହୁ ମାତ୍ରାରେ ଦେଖିବାକୁ ମିଳିଲା । ଶାସକ ଦଳର ସହଯୋଗୀ କହୁଥିବା ମକରନ୍ଦଙ୍କ ବେକରେ କେତେବେଳେ ଯେ ଶଙ୍ଖ ଚିହ୍ନର ଗାମୁଛା ପଡିଗଲା ତାହା ନିଜେ ମଧ୍ୟ ଜାଣିପାରିଲେ ନାହିଁ । ଆଉ ଏହାକୁ କାଶୀପୁର ବାସୀ ଗ୍ରହଣ କରିନପାରିନଥିଲେ । ଧୋକା ଦେଇଦେଲେ ମକରନ୍ଦ ।

ଏଭଳି ଏକ କଟୁକ୍ତି କାଶୀପୁର ପାହାଡ ଉପତ୍ୟକାରେ ଶୁଣିବାକୁ ମିଳିଲା । ସିଧାସଳଖ ମକରନ୍ଦଙ୍କୁ ବିରୋଧ କରିବାରେ ଲାଗିଲେ । ବୈଠକ ମାନଙ୍କରେ ଠେଲାପେଲା ଓ ହାତାହାତି ଭଳି ଚିତ୍ର ମଧ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳିଲା । ଆଉ କାଶୀପୁରରେ ବିଜେଡି ଦଳ ଭିତରେ ରହିଥିବା ମତପାର୍ଥକ୍ୟର ମୋହରା ହୋଇଗଲେ ବିଧାୟକ ମକରନ୍ଦ । ତେବେ କିଛି ରାଜନୈତିକ ସମୀକ୍ଷକ ଏବେ କହୁଛନ୍ତି ଯେ ଶାସକ ଦଳର ଏ ହେଉଛି ଏକ ରାଜନୈତିକ ଚକ୍ରାନ୍ତ ।

ଏବେ ଶୁଣିବାକୁ ମିଳିଲାଣି ଯେ ୨୪ରେ ମକରନ୍ଦ କରିବେ କ’ଣ? କାଶୀପୁରବାସୀ କ’ଣ ସ୍ୱାଧିନ ଭାବେ ୨୦୨୪ରେ ସୁଯୋଗ ଦେବେ ? ନା ବିଜେଡି ଟିକେଟରେ ବିଧାନସଭା ଯିବେ? ଏହା ମଧ୍ୟ ସନେ୍ଦହ ଯେ ଭୋଟର କ’ଣ ତାଙ୍କୁ ଆଉ ଆଗ ଭଳି ସ୍ୱୀକାର କରିବେ? ଯାହା ଏବେ ତର୍ଜମାର ବିଷୟ ହୋଇପଡ଼ିଛି ।ରାଜନୀତି କହିଲେ ଆୟାରାମ ଗୟାରାମ । ଆଜି ଏହି ଦଳରେ ତ କାଲି ଆଉ କେଉଁ ଦଳରେ ବିକାଶ ପାଇଁ ସରକାରଙ୍କ ସହ ଆସେସିଏଟ ହୋଇ କାମ କରୁଥିଲି । ସମୟ ନଷ୍ଟ କରିନାହିଁ । ତେବେ ଆଗକୁ କ’ଣ ହେବେ ତାହା ସମୟ ହି କହିବ ବୋଲି କହିଛନ୍ତି ମକରନ୍ଦ ।

Leave A Reply

Your email address will not be published.