ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହସ୍ପିଟାଲ ଗୁଡିକ ରୋଗୀଙ୍କୁ ଶୋଷଣ କରୁଛନ୍ତି । ବାରମ୍ବାର ଏ ଅଭିଯୋଗ ଆସୁଛି । ରାଜ୍ୟ ସରକାର କ’ଣ କିଛି ଜାଣୁନାହାନ୍ତି? ସରକାର ସବୁ ଜାଣୁଛନ୍ତି । ସରକାରଙ୍କ ଜାଣତରେ ସବୁ ହେଉଛି । ସରକାର ହିଁ ଏହି ହସ୍ପିଟାଲମାନଙ୍କୁ ବଳ ଦେଉଛନ୍ତି । ସରକାର ହିଁ ଏହି ହସ୍ପିଟାଲମାନଙ୍କୁ ଶୋଷଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାର ଜାଣିଶୁଣି ରୋଗୀଙ୍କୁ ଶୋଷଣ ବିରୋଧରେ କୌଣସି ଆଇନ ଆଣିବାକୁ ଚାହୁଁନାହାନ୍ତି । ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ- ୧୯୯୯ କାର୍ଯ୍ୟକାରୀ ହେଉଛି । ଏଥିରେ କେବଳ ହସ୍ପିଟାଲ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ରହିଛି । ରୋଗୀଙ୍କ ସ୍ୱାର୍ଥ ସୁରକ୍ଷା କଥା ନାହିଁ । ଗଲା ୨୧ ବର୍ଷ ମଧ୍ୟରେ ଏଥିରେ ୩ ଥର ସଂଶୋଧନ ହୋଇସାରିଛି । କିନ୍ତୁ ରୋଗୀଙ୍କ ଉପରେ ହେଉଥିବା ଶୋଷଣ ରୋକିବାକୁ, ହସ୍ପିଟାଲ ଉପରେ ଲଗାମ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ଆଣିବାକୁ ରାଜ୍ୟ ସରକାର ଚାହିଁନାହାନ୍ତି ।
କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ କଣ କଣ ଗାଇଡଲାଇନ ରହିବା ଦରକାର ସେ ସମ୍ବଦ୍ଧରେ ୨୦୧୦ ମସିହାରେ କେନ୍ଦ୍ର ସରକାର ଏକ ଗାଇଡଲାଇନ ଜାରି କରିଥିଲେ । ଏହାକୁ ଦେଶର ୧୧ ରାଜ୍ୟ ଗ୍ରହଣ କରିଥିବା ବେଳେ ଓଡିଶା ସରକାର କିନ୍ତୁ ଶୁଣିଲେ ନାହିଁ । ପରବର୍ତ୍ତୀ ସମୟରେ କେନ୍ଦ୍ର ଗାଇଡଲାଇନରେ ରୋଗୀଙ୍କ ସୁରକ୍ଷା ସମ୍ବଦ୍ଧରେ ଅଧିକ ପଏଣ୍ଟ ଯୋଡିବାକୁ ଜାତୀୟ ମାନବଧିକାର ସୁରକ୍ଷା କମିସନ ନିର୍ଦ୍ଦେଶ ଦେଲେ । ଏହି ଆଧାରରେ ୧୩ ପଏଣ୍ଟ ବିଶିଷ୍ଟ ଏକ ଗାଇଡଲାଇନ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ୨୦୧୯ ମସିହାରେ ଲେଖିଲେ କେନ୍ଦ୍ର ସରକାର । ତୁରନ୍ତ ଏହାକୁ ଆଇନରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କହିଲେ । କିନ୍ତୁ ଓଡିଶା ସରକାର ଏଯାଏଁ ସେ ଦିଗରେ କିଛି ବି ପଦକ୍ଷେପ ନେଉନାହାନ୍ତି ।
ସେହି ୧୩ ପଏଣ୍ଟର ଗାଇଡଲାଇନ ଲାଗୁ କରିବାକୁ ରାଜ୍ୟ କାହିଁକି ପଛାଉଛି, ତାହା ବୁଝିବାକୁ ପ୍ରଥମେ ଜାଣିନେବା ଏହି ଗାଇଡଲାଇନରେ କଣ କଣ ପଏଣ୍ଟ ରହିଛି ।
-ଏଥିରେ କୁହାଯାଇଛି, କୌଣସି ଗୁରୁତର ରୋଗୀଙ୍କୁ ଆଡମିଶନ କରିବାକୁ କୌଣସି ହସ୍ପିଟାଲ ମନାକରି ପାରିବେ ନାହିଁ । କୌଣସି ଆଳ ଦେଖାଇ ଷ୍ଟେବଲ୍ ନ ହେବା ଯାଏଁ ଗୁରୁତର ରୋଗୀଙ୍କୁ ଚିକିତ୍ସାରୁ ବଂଚିତ କରାଯାଇପାରିବ ନାହିଁ । କୌଣସି ରୋଗୀଙ୍କୁ ଆଡମିଶନ କରିବାକୁ ହେଲେ ତାଙ୍କ ରୋଗ ହିସାବରେ ଆନୁମାନିକ କେତେ ଟଙ୍କା ଖର୍ଚ୍ଚ ହେବ ସେ ସଂପର୍କରେ ସୂଚନା ପ୍ରଦାନ କରାଯିବ ।
-ଟ୍ରିଟମେଣ୍ଟ ପାଇଁ ଲାଗୁଥିବା ଉପକରଣ, ସର୍ଭିସ ଆଦି ବାବଦରେ ଏକ ରେଟ୍ ଚାର୍ଟ ପ୍ରତି ହସ୍ପିଟାଲ ସାର୍ବଜନୀନ ଭାବେ ପ୍ରଦର୍ଶିତ କରିବେ । ରୋଗୀ ପାଇଁ କେଉଁ କେଉଁ ବାବଦରେ କେତେ ଖର୍ଚ୍ଚ ହେଲା ସେହି ଦିନ ହିଁ ରୋଗୀ କିମ୍ବା ତାଙ୍କ ସଂପର୍କୀୟକୁ ସୂଚନା ଦିଆଯିବ । ଦୈନିକ ସୂଚନା ନ ଦେଇ ଡିସଚାର୍ଜ ବେଳେ ହସ୍ପିଟାଲ ଏକାଥରେ ମନଇଚ୍ଛା ବିଲ୍ ଦର୍ଶାଇ ପାରିବେ ନାହିଁ ।
-ରୋଗୀ ପାଖରେ ସେକେଣ୍ଡ ଓପିନିୟନର ବ୍ୟବସ୍ଥା ରହିବ । କୌଣସି ବିଲ୍, ଟେଷ୍ଟ କିମ୍ବା ଚିକିତ୍ସା ସଂପର୍କରେ କିଛି ବି ସନ୍ଦେହ ହେଲେ ରୋଗୀକୁ ଆଉ କାହାର ପରାମର୍ଶ ନେବାରେ ସଂପୂର୍ଣ୍ଣ ସୁଯୋଗ ଓ ସହାୟତା ପ୍ରଦାନ କରାଯିବ । କୌଣସି ରୋଗୀ ହସ୍ପିଟାଲର ଚିକିତ୍ସାରେ ଅସନ୍ତୁଷ୍ଟ ହେଲେ ସେ ତୁରନ୍ତ ହସ୍ପିଟାଲ ଛାଡି ଅନ୍ୟ ହସ୍ପିଟାଲକୁ ସିଫ୍ଟ ହୋଇପାରିବ । ଏଥିରେ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧା ଦେଇପାରିବେ ନାହିଁ ।
-ସବୁଠୁ ବଡ଼ ହେଉଛି, କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କର ମୃତଦେହକୁ ତୁରନ୍ତ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତରିତ କରାଯିବ । ଏଥିରେ ଆଦୌ ବିଳମ୍ବ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଏସବୁ ନିୟମର ଠିକ୍ ପାଳନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷମାନେ ବାଧ୍ୟ । ଏହାର ପାଳନ ନ ହେଲେ ରୋଗୀ ଅଭିଯୋଗ କଲେ ସଂପୃକ୍ତ ମେଡିକାଲ ବିରୋଧରେ କର୍ତ୍ତୃପକ୍ଷ କର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତାବ ରହିଛି ।
ଏହି ନିୟମକୁ ରାଜ୍ୟ ସରକାର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସାମିଲ କରିବାକୁ କେନ୍ଦ୍ର ଓ ଏନଏଚଆରସିଙ୍କ ନିର୍ଦ୍ଦେଶ ରହିଛି । ୨ ବର୍ଷ ହେଲା ରାଜ୍ୟ ସରକାରଙ୍କୁ କୁହାଯାଇଛି । କିନ୍ତୁ ସରକାର ଏହାର ପାଳନ କରୁନାହାନ୍ତି । ଏହି ସବୁ ନିୟମ ଲାଗୁହେଲେ କାହାର ଲାଭ ହେବ, କାହା ଉପରେ ଅଙ୍କୁଶ ଲାଗିବ? ନିଶ୍ଚିତ ଭାବେ ଏହି ଆଇନ ରୋଗୀ ଶୋଷଣ ବିରୋଧରେ ବଡ ଅସ୍ତ୍ର ହେବ, ଘରୋଇ ହସ୍ପିଟାଲର ଶୋଷଣ ଉପରେ ଅଙ୍କୁଶ ଲଗାଇବ । ଏତେ ଭଲ ପ୍ରସ୍ତାବ, ରାଜ୍ୟବାସୀଙ୍କ ଉପକାର କରିବ, ତାହେଲେ ରାଜ୍ୟ ସରକାର ଏହାକୁ କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ ଉଠୁଛି ।
ଯଦି ଆମ ସରକାର ଆମ ରାଜ୍ୟର ଲୋକଙ୍କ ସ୍ୱାର୍ଥ ଚିନ୍ତା କରୁଥାନ୍ତେ, ତାହେଲେ ତ କେବେଠୁ ଏହାକୁ ଲାଗୁ କରିବା କଥା । ପ୍ରତିଦିନ ଏଭଳି ଶୋଷଣର ଖବର ଆସୁଛି, ତଥାପି ସରକାର ଚୁପ୍ ବସିଛନ୍ତି । ଏହାର ଅର୍ଥ କଣ? ଏହାର ଅର୍ଥ ଏହା , ଓଡିଶା ସରକାର ଓଡିଶାବାସୀ ନୁହେଁ ବରଂ ଗୁଣ୍ଡାଗର୍ଦ୍ଦି କରୁଥିବା ହସ୍ପିଟାଲଙ୍କ ସପକ୍ଷରେ ଅଛନ୍ତି । ସରକାର ଚାହୁନାହାନ୍ତି ଏଭଳି ଶୋଷଣ ବନ୍ଦ ହେଉ । କାହିଁକି ନା ସରକାରଙ୍କ ଏମାନଙ୍କ ସହ ଭିତିରିଆ ନେକ୍ସସ ଅଛି । ସରକାରଙ୍କ ବଳରେ ବଳିୟାନ ହୋଇ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏଭଳି ଗୁଣ୍ଡାଗର୍ଦ୍ଦି ସ୍ତରରେ ପହଞ୍ଚାଇ ଦେଇଛନ୍ତି ହସ୍ପିଟାଲ ମାଲିକମାନେ ।
ସିକ୍ୟୁରିଟି ଗାର୍ଡ, ବାଉନ୍ସର ଲଗାଇ ରୋଗୀ ଓ ରୋଗୀଙ୍କୁ ସଂପର୍କୀୟକୁ ମାଡ ମାରିବାକୁ ଏମାନେ ପଛାନ୍ତି ନାହିଁ । ଡରାଇ ଧମକାଇ ଟଙ୍କା ଆଦାୟ କରାଯାଏ । ପ୍ରତିଦିନ ହସ୍ପିଟାଲ ବାରଣ୍ଡାରେ ସାଧାରଣ ଲୋକେ ମୁଣ୍ଡ ପିଟୁଛନ୍ତି, ଏଠି ରୋଗୀ ଶୋଷଣର ଶିକାର ହେଉଛି, ଟଙ୍କା ନ ଥିଲେ ଚିକିତ୍ସା ମିଳୁନି, ହସ୍ପିଟାଲ ବାରଣ୍ଡା ଧରିଲେ, ସାଧାରଣ ଲୋକଙ୍କ ସର୍ବସ୍ୱ ଲୁଟି ନିଆଯାଉଛି, ଶବକୁ ବି ହସ୍ପିଟାଲମାନେ ଛାଡୁ ନାହାନ୍ତି, ଆଉ ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡିଶାରେ କୁଆଡେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ହୋଇଛି । ଯେଉଁ ସରକାର ନିଜର ନାଗରିକଙ୍କୁ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରାଇପାରେ ନାହିଁ, ସେହି ଶାସକ ଠିକ୍ ସେତିକି ସମ୍ବେଦନହୀନ, ଯେତିକି ଗଣ୍ଡାଗର୍ଦ୍ଦି କରୁଥିବା ସେହି ହସ୍ପିଟାଲମାନେ ।