1600450085_file-parliament-pti

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଦେଖିବାକୁ ଯାଉଛି ନୂଆ ସଂସଦ ଭବନ । ତେବେ ବର୍ତ୍ତମାନ ଥିବା ସଂସଦ ଭବନକୁ କିଏ ନିର୍ମାଣ କରିଥିଲେ, ଏହାର ଡିଜାଇନ କିଏ କରିଥିଲେ ଏବଂ ଏହା କେଉଁଠୁ ଆସିଥିଲା? ତାକୁ ନେଇ ରହିଛି ଅନେକ ତଥ୍ୟ । ଯାହାକୁ ନେଇ ବହୁ ଅନୁମାନ କଳ୍ପନା ଜଳ୍ପନା ମଧ୍ୟ କରାଯାଏ । ସଂସଦ ଭବନକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ନୂଆଦିଲ୍ଲୀରେ ଅବସ୍ଥିତ ୧୪୪ ସ୍ତମ୍ବ ବିଶିଷ୍ଟ ବିଶାଳ ସଂସଦ ଭବନର ଡିଜାଇନ କିଏ ପ୍ରସ୍ତୁତ କରିଥିଲା । ଏପରି ପରିକଳ୍ପନା କେଉଁଠୁ ଆସିଥିଲା । ତାକୁ ଯଦି ଆମେ ପରିକଳ୍ପନା କରିବା, ତେବେ ତାହା ଆମକୁ ମଧ୍ୟପ୍ରଦେଶର ମୋରେନା ସହରକୁ ନେଇଯାଏ ।

ସଂସଦ ଭବନ ହେଉଛି ଗଣତନ୍ତ୍ରର ମନ୍ଦିର । ଯାହା ବ୍ରିଟିଶ ଯୁଗରୁ ରହିଆସିଛି । ସାର୍ ଏଡୱିନ ଲୁଟିନ୍ସ ଏବଂ ହର୍ବର୍ଟ ବେକଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା । ଯେଉଁମାନେ ନୂତନ ଦିଲ୍ଲୀର ଅନେକ ଯୋଜନା କରିଥିଲେ ଏବଂ ନିର୍ମାଣ ମଧ୍ୟ କରିଥିଲେ । ସଂସଦ ଡିଜାଇନର ସବୁଠାରୁ ଉଲ୍ଲେଖନୀୟ ହେଉଛି ୧୪୪ ସ୍ତମ୍ବ । ସ୍ଥାପତ୍ୟରେ ଭାରତୀୟ ସ୍ପର୍ଶରେ ରଣା, ବାଲକୋନି ଏବଂ ମାର୍ବଲ ଲାଟାଇସ୍ ସ୍କ୍ରିନ୍ ବ୍ୟବହାର କରାଯାଇଛି । ସଂସଦ ଭବନଟି ବଡ଼ ବଗିଚା ଦ୍ୱାରା ଘେରି ରହିଛି ଏବଂ ଏହାର ପରିସୀମା ବାଲୁକା ପଥର ରେଲିଂ ଦ୍ୱାରା ବାଡ଼ିତ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମଧ୍ୟପ୍ରଦେଶର ଏକ ମନ୍ଦିର ସହିତ ସଂସଦ ଭବନର ସମାନତା ରହିଛି । ସମାନତା ଏତେ ଯେ, ପରିଦର୍ଶକ ଓ କିଛି ବିଶେଷଜ୍ଞମାନେ ନିଶ୍ଚିତ ଯେ, ଏହା ଭାରତର ସଂସଦ ଭବନର ଡିଜାଇନ ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିଛି ।
ମଧ୍ୟପ୍ରଦେଶର ଗ୍ୱାଲିଅର ନିକଟ ସୋରେନା ଜିଲ୍ଲା ମିତାୱାଲି ଗାଁରେ ଅବସ୍ଥିତ ଚଉଶଠୀ ଯୋଗୀନି ମନ୍ଦିର । ଏହି ମନ୍ଦିର କାଞ୍ଚପାଗା ରାଜା ଦେବପାଲଙ୍କ ଦ୍ୱାରା ୧୩୨୩ ମସିହାରେ ନିର୍ମାଣ କରାଯାଇଥିଲା । ଯାହା ଭାରତୀୟ ସଂସଦ ଭବନକୁ ପୂର୍ବାନୁମାନ କରିଥାଏ । ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏହି ମନ୍ଦିର ପ୍ରାୟ ୧୦୦ ଫୁଟ ଉଚ୍ଚରେ ଏକ ବିଚ୍ଛିନ୍ନ ପାହାଡ଼ ଉପରେ ଛିଡ଼ା ହୋଇଛି । ଏହାର ସ୍ଥାପତ୍ୟ ଶୈଳୀକୁ ଥରେ ଭଲଭାବେ ନିରୀକ୍ଷଣ କଲେ, ୨ଟି ଅଟ୍ଟାଳିକା ମଧ୍ୟରେ ସମାନତା ସ୍ପଷ୍ଟ ହେବ ।

ଯଦିଓ ମଧ୍ୟପ୍ରଦେଶର ଏହି ମନ୍ଦିର ପ୍ରକୃତରେ ଭାରତୀୟ ସଂସଦ ଭବନ ପାଇଁ ପ୍ରେରଣା ରୂପେ କାର୍ଯ୍ୟ କରିଛି ତାହାର କିଛି ଐତିହାସିକ ପ୍ରମାଣ ନାହିଁ । ଭାରତୀୟ ସଂସଦ ଅଫିସିଆଲ ୱେବସାଇଟ ମଧ୍ୟ ଏହି ମନ୍ଦିରକୁ ସଂସଦ ଡିଜାଇନର ପେରଣାର ଉତ୍ସ ବୋଲି ସ୍ୱୀକାର କରେ ନାହିଁ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ କେ. କେ. ମହମ୍ମଦ ବିଶ୍ୱାସ କରନ୍ତି ଯେ, ଦୁଇ ସଂରଞ୍ଚନା ମଧ୍ୟରେ ସମାନତାକୁ ଅଣଦେଖା କରାଯାଇପାରିବ ନାହିଁ । ଏହା ସହିତ ସେ କହିଛନ୍ତି, ସଂସଦ ଭବନର ଡିଜାଇନ ଚଉଷଠୀ ଯୋଗିନୀ ମନ୍ଦିର ଦ୍ୱାରା ଅନୁପ୍ରାଣିତ ହୋଇଛି । ପ୍ରାୟ ୭୦୦ ବର୍ଷ ପୂର୍ବେ ୧୩୨୩ ମସିହାରେ ରାଜା ଦେବପାଲଙ୍କ ଶାସନ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏହାସହିତ ସଂସଦ କାନ୍ଥରେ ଖୋଦିତ ବୈଦିକ ମନ୍ତ୍ର ପ୍ରମାଣ କରେ ଯେ, ବ୍ରିଟିଶ ସ୍ଥାପତିମାନେ କୋଠା ନିର୍ମାଣ ସମୟରେ ଭାରତୀୟ କଳାକୁ ଧ୍ୟାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *