Masthead

ପ୍ରକୃତି ରାଣୀ ଶିମିଳିପାଳ

ବିଶ୍ୱ ପରିବେଶ ଦିବସ

(ଅଭିଷେକ ବେହେରା): ପ୍ରକୃତି-ସେ ଚିର ହାସ୍ୟ-ଲାସ୍ୟ-ଭାଷ୍ୟମୟୀ, ସେ ପ୍ରାଚୀନରେ ବି ନିତ୍ୟ ନୂତନ l ଯେତେ ବୟସ ବଢିଲେ ବି ନୂଆବୋଉ ସବୁବେଳେ ସେଇ ନୂଆବୋଉ l ପ୍ରକୃତି ସେମିତି ନୂଆବୋଉ ,ଯାହାର ସ୍ନେହ-ସହୋଗର ପଣତ ତଳେ ସଭିଏଁ ବନ୍ଧା l ପ୍ରକୃତି ସେ ତ ମମତାମୟୀ ମାଆ, ସେ ସ୍ନେହମୟୀ ଜନନୀ ସେ କରୁଣାମୟୀ ମାୟାମୟୀ ଦୟାମୟୀ ସେ ନବନବ ବିଭାରେ ହୁଏ ଆବିର୍ଭୂତା ନବ ଶୋଭାର ଭଣ୍ତାର ଆଣି,ଜୀବଜଗତକୁ ତାର ଅମୃତବୋଳା,ମମତା ପଖଳା କୋଳରେ କରେ ଲାଳନ ପାଳନ l ଏଇ ପ୍ରକୃତିର ଚୀରନ୍ତନୀ ଆଭାରେ ସମସ୍ତେ ପୁଲକିତ ଏହାର ବିଭାରେ ବିଲୋଳିତ ଏବଂ ପ୍ରଭାରେ ପ୍ରଭାବିତ l ସେ ଜନନୀ ସେ ନିତ୍ୟ ନବସ୍ବରୂପା ଛଳ ଛଳ ରୂପ-ରସ-ଶବ୍ଦ ଓ ଗନ୍ଧମୟ ସେ l ଅରଣ୍ୟ ଶୋଭିତା ,ସାଗର ଚୁମ୍ବିତା , ତଟିନୀ ସେବିତା ପୃଥିବୀମାତା ହିଁ ପ୍ରକୃତିର ଗନ୍ତାଘର l ପୃଥିବୀର ବିସ୍ତୁତ ପର୍ବତ୍ୟାଞ୍ଚଳରେ,ସୁବିସ୍ତୁତ ଅରଣ୍ୟାନୀ ଭିତରେ କେତେ ଯେ ସମ୍ପଦ ଅନାବିଷ୍କୃତ ହୋଇ ରହିଛି ତାର ଇୟତ୍ତା ନାହିଁ l ନଦୀର ଜଳ ବୃକ୍ଷର ଛାୟା ପବନର ଶୀତଳତା ବିହଙ୍ଗର କାକଳି ଚନ୍ଦ୍ରର ଜ୍ଯୋତି – ସର୍ବତ୍ର ମଧୁମୟ ଉତ୍ସରଣ ସାଜିଥିବା ଛବିଳ ଉତ୍କଳର ପ୍ରକୃତି ରାଣୀ ଶିମିଳିପାଳ ଅଭୟାରଣ୍ୟ ଓଡ଼ିଶାର ଘରେ ଘରେ ପରିଚିତ । ଓଡ଼ିଶାରେ ଅନେକ ବଣ ଜଙ୍ଗଲ ଥିଲେ ମଧ୍ୟ ଶିମିଳିପାଳର ସ୍ଥାନ ସେମାନଙ୍କ ମଧ୍ୟରେ ନିଆରା । ଶିମିଳିପାଳରେ ଥିବା ବନସ୍ଥଳୀ ଓ ବନ୍ୟପ୍ରାଣୀର ବିବିଧତା ବୋଧହୁଏ ପୁରା ପୂର୍ବଭାରତରେ କେଉଁଠି ନଥିବ । ୨୨୫୦ ବର୍ଗ କି.ମି. ଶାଳବଣକୁ ନେଇ ଏହାର ଗଠନ । ଅନେକ ଗିରିଶୃଙ୍ଗ ଜଳପ୍ରପାତ ଓ ଘାସ ପଡ଼ିଆ ଶିମିଳିପାଳରେ ଅବସ୍ଥାପିତ

ଶାଳଗଛର ଏହା ଏକ ମହାଭଣ୍ଡାର ଏବଂ ଆଜିର ଯୁଗରେ ଭାରତବର୍ଷରେ ଏତେ ବଡ଼ ଶାଳ ବନସ୍ଥଳୀ ଅନ୍ୟ କେଉଁଠି ନାହିଁ । ଆଉ ଗୋଟାଏ କାରଣ ପାଇଁ ମଧ୍ୟ ଶିମିଳିପାଳ ପରିବେଶ ପ୍ରେମୀଙ୍କ ମଧ୍ୟରେ ଗୋଟାଏ ଚର୍ଚ୍ଚାର ବିଷୟ । ଯେଉଁଠି ଖୁବ୍ କମ୍ ଜଙ୍ଗଲ ଅଛି ଶାଳ ଓ ଚମ୍ପାଗଛ ଏକା ସହିତ ବଢ଼ିବାର ଦେଖାଯାଏ । ଶିମିଳିପାଳର ଜଙ୍ଗଲରେ ଏହି ବିବିଧତା ଦେଖିବାକୁ ମିଳିଥାଏ । କିଛି ଶାଳ ଓ ଚମ୍ପାଗଛ ଶହଶହ ବର୍ଷ ପୁରୁଣା ଏବଂ ବହୁତ ଡେଙ୍ଗା । ଦେଖଣାହାରୀମାନେ ବିସ୍ମିତ ହୁଅନ୍ତି ଏହି ଗଛଗୁଡ଼ିକ ଦେଖିଲେ । ଅଭୟାରଣ୍ୟର ଉତ୍ତର ପଶ୍ଚିମ ଦିଗରେ ଥିବା କାଳିଆଣି ଫାଟକରୁ ଆପଣ ଯେବେ ଗୁଡ଼ଗୁଡ଼ିଆ ଗାଁକୁ ଯିବେ, ତେବେ ରାସ୍ତାକଡ଼ରେ ଏହି ଭଳିଆ ଦୁଇଟି ଗଛ ଦେଖିବାକୁ ପାଇବେ । ସେମାନଙ୍କର ନାମକରଣ କରାଯାଇଛି ଯଥାକ୍ରମେ ମହାଚମ୍ପା ଓ ମହାଶାଳ । ପର୍ଯ୍ୟଟକମାନେ ଶିମିଳିପାଳ ବୁଲିବାକୁ ଆସିଲେ ଏହି ଦୁଇଟି ଗଛକୁ ଦେଖିବାକୁ ଯେମିତି ହେଲେ ଆସନ୍ତି ।

ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ ଯେ ପୂର୍ବକାଳେ ଶିମିଳିପାଳ ଭିତରେ କେବଳ କିଛି ଖଡ଼ିଆ ଓ ମାଙ୍କଡ଼ିଆ ସଂପ୍ରଦାୟର ଆଦିବାସୀ ବସବାସ କରୁଥିଲେ । ତା’ ବ୍ୟତୀତ କିଛି ଗୌଡ଼ ଜାତିର ଲୋକମାନେ ନିଜ ଗାଈଗୋରୁ ଚରାଇବା ପାଇଁ ମଝିରେ ମଝିରେ ଆସୁଥିଲେ । ରାସ୍ତା କିଛି ନ ଥିଲା । କେବଳ କିଛି ଚଲାବାଟ ଦେଇ ସମତଳ ଗ୍ରାମରୁ ଗାଁ ଲୋକ ଆସୁଥିଲେ ଶିମିଳିପାଳର ଉପତ୍ୟକା (Valley)କୁ । କୁଡ଼ିଆ କରିକି ରହୁଥିଲେ, କାରଣ ଏଠାରେ ରହିଛି ଅନେକ ଗୁଡ଼ାଏ ସୁନ୍ଦର, ଆଖିଦୃଶିଆ, ବିଶାଳକାୟ ଘାସ ପଡ଼ିଆ । ଗାଈଗୋରୁ ଚରିବା ପାଇଁ ମିଳେ ନରମ କଅଁଳିଆ ଘାସ । ମହାବଳ ବାଘ ଓ ଦନ୍ତା ହାତୀର ଆକ୍ରମଣ ଡର ସତ୍ତ୍ୱେ ସେମାନେ ଏହି ସୁନ୍ଦର ଘାସପଡ଼ିଆ (meadows)ର ମୋହ ଛାଡ଼ି ପାରୁନଥିଲେ । ଆଜି ମଧ୍ୟ ଏହିଭଳିଆ ଅନେକ ଘାସପଡ଼ିଆ ସାରା ଶିମିଳିପାଳରେ ଦେଖିବାକୁ ମିଳେ । ସେଗୁଡ଼ିକ ହେଲା ନଅଣା, ଜେନାବିଲ, ଦେବସ୍ଥଳୀ, ବଳଦଘର, ମାଟୁଘର, ଯମୁନାଗଡ଼ ଓ ବାଛୁରୀଚରା ଇତ୍ୟାଦି । ବୁଦୁବୁଦିକିଆ କଁଅଳି ଦୁବ ଚରିବାକୁ ଦଳଦଳ ଚିତଳ ଓ ସମ୍ବର ଆସନ୍ତି ଏଇ ବିଶାଳକାୟ ଘାସପଡ଼ିଆମାନଙ୍କୁ । ହାତ ଗଣତି ଗାଁ ଓ କିଛି ଗାଁ ଲୋକଙ୍କ ବ୍ୟତୀତ ଶିମିଳିପାଳରେ ବାହାର ଲୋକଙ୍କର ପ୍ରବାହ ବା ଯାତାୟତ କହିବାକୁ ଗଲେ କିଛି ନ ଥିଲା । ତେବେ ବିଂଶ ଶତାବ୍ଦୀର ପ୍ରଥମ ୫୦-୬୦ ବର୍ଷ ଶିମିଳିପାଳର ଜଙ୍ଗଲ ପାଇଁ ଏତେ ଭଲ ନଥିଲା । ଭୋଳାନାଥ ବରୁହା ନାମକ ସଂସ୍ଥାକୁ ମୟୁରଭଞ୍ଜ ରାଜା କାଠକାଟିବାକୁ ଅନୁମତି ଦେଲେ । ଅନେକଗୁଡ଼ାଏ ମୁଲ୍ୟବାନ ଗଛକୁ ସଂସ୍ଥା କାଟିବା ଆରମ୍ଭ କଲା । ଶାଳ, ପିଆଶାଳ ଓ ଚମ୍ପା ପରି ମୂଲ୍ୟବାନ ଗଛଗୁଡ଼ାକୁ କାଟି ଲଗ୍ ଆକାରରେ ବାହାରକୁ ପରିବହନ କରାଗଲା । ଯେହେତୁ ଗଛ କାଟିବା ପାଇଁ ଲୋକ ଦରକାର ପଡ଼ିଲେ ସେଥିପାଇଁ କଣ୍ଟ୍ରାକ୍ଟର ଗଢ଼େଇକେଲା ଅଞ୍ଚଳରୁ ବହୁତ ମୁଲିଆମାନଙ୍କୁ ନେଇ ଆସିଲା । ଅନେକ ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ଲୋକମାନଙ୍କୁ ଆଣି ଶିମିଳିପାଳ ଭିତରେ ଅବସ୍ଥାପିତ କରାଗଲା । ଛୋଟଛୋଟ ଗାଁ ସବୁ ଗଢ଼ିଉଠିଲା । ଗଛକଟା ପୁରା ଦମ୍‌ରେ ଚାଲିଲା । ମହାବଳ ବାଘଙ୍କର ଆତଙ୍କ କମ୍ ନ ଥାଏ ସେତେବେଳେ । ସେଭଳିଆ କିଛି ଭରସାଯୋଗ୍ୟ ରେକର୍ଡ ନ ଥିଲେ ମଧ୍ୟ କୁହାଯାଏ କି ଶହଶହ ମହାବଳ ବାଘ ଆତଙ୍କ ଖେଳାଇ ରଖିଥିଲେ ଏବଂ କିଛି ବାଘ ମଣିଷଖିଆ ମଧ୍ୟ ପାଲଟି ଯାଇଥିଲେ । ଏହାକୁ ଆଖି ଆଗରେ ରଖି, କଣ୍ଟ୍ରାକ୍ଟର କିଛି ପୋଖତ ବାଘ ଶିକାରୀମାନଙ୍କୁ ମଧ୍ୟ ନେଇ ଆସିଲେ । ବାଘ ଶିକାର ଧିରେ ଧିରେ ଆରମ୍ଭ ହେଲା । ବାଘ ବାହାନାରେ ହରିଣ, କୁଟୁରା ଓ ସମ୍ବର ଶିକାର ମଧ୍ୟ ହେଲା । ଖୁବ ଦ୍ରୂତ ଗତିରେ ବାଘ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା । ଯେଉଁ ସବୁଜମୟ ବନସ୍ଥଳୀରେ ଦିନେ ଦନ୍ତାହାତୀ, ଗୟଳ, ହରିଣ ଓ ମୟୁର ଇତ୍ୟାଦି ନିର୍ଭୟରେ ବିଚରଣ କରୁଥିଲେ ସେଠି ରକ୍ତ ପିପାଷୁ, ମାଂସାଶୀ ମଣିଷ ବୁଲିବାକୁ ଲାଗିଲେ । ଯାନବାହନ ପାଇଁ ରାସ୍ତାଘାଟ ତିଆରି ହେଲା । ଟ୍ରକ୍ ଦ୍ଵାରା କାଠ ବୁହାଚାଲିଲା । ବାହାର ଦୁନିଆର କାଠ ଫର୍ଣ୍ଣିଚର ଓ ରେଳଲାଇନ୍‌ର ସ୍ଲିପର୍ ଆଦି ତିଆରି ହେଲା ଆମ ଶିମିଳିପାଳର କାଠ ଦ୍ଵାରା । ପାହାଡ଼ ଧୀରେ ଧୀରେ ଲଣ୍ଡା ହୋଇ ଆସିଲା । ଗଛକଟାର ପରିମାଣ ଏତେ ବଢ଼ିଗଲା ଯେ ଶେଷରେ କାଠକଟା କମ୍ପାନୀ ନିଜ ଖର୍ଚ୍ଚରେ ଗୋଟାଏ ନ୍ୟାରୋ ଗେଜ୍ (Narrow Gauge) ରେଳ ଲାଇନ୍‌ ବିଛେଇବାକୁ ନିଷ୍ପତ୍ତି ନେଲା । ମୟୁରଭଞ୍ଜ ରାଜାଙ୍କ ସହମତିକ୍ରମେ, ଶିମିଳିପାଳର ଉତ୍ତର ସୀମାରେ ଅବସ୍ଥିତ ଚହଲା ପାହାଡ଼ର ପାଦଦେଶରେ ଗାଁ ତାଳବନ୍ଧ ପର୍ଯ୍ୟନ୍ତ ରେଳଲାଇନ୍‌ ବିଛାଗଲା । କଟକ, କଲିକତା, ବାଲେଶ୍ୱରର ଡିପୋମାନଙ୍କୁ ଅତି ସହଜରେ କାଠ ପରିବହନ ଆରମ୍ଭ ହେଲା । ଶିମିଳିପାଳର ଜଙ୍ଗଲ ଅଶ୍ରୁ ବୁହାଉଥିଲେ ।

ତେବେ ଭଗବାନଙ୍କର ବରଦାନ ପରି ୧୯୭୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଭାରତରେ ୯ଟି ମହତ୍ତ୍ୱପୂର୍ଣ୍ଣ ଜଙ୍ଗଲଗୁଡ଼ିକୁ “Project Tiger’ର ଛତ୍ରଛାୟାରେ ଅନ୍ତର୍ଭୁକ୍ତ କରାଗଲା । ଲକ୍ଷ୍ୟଥିଲା ସଙ୍କଟାପନ୍ନ ସ୍ଥିତିରେ ଥିବା ବାଘ ସଂଖ୍ୟାକୁ ବଢ଼େଇବା ଶିମିଳିପାଳ ମଧ୍ୟ ଏହି ୯ଟି ଜଙ୍ଗଲ ମଧ୍ୟରେ ଥିଲା । ଶିମଳିପାଳ ପାଇଁ ଗୋଟେ ଆଶାର କିରଣ ଜାଗରିତ ହେଲା । ଏବଂ ସେଇ ଆଶାକୁ ଆଗେଇ ନେବାକୁ ଆସିଲେ ଜଣେ ଉଚ୍ଚ କୋଟୀର ଜ୍ଞାନୀ ଫରେଷ୍ଟ ଅଫିସର ପଦ୍ମଶ୍ରୀ ସରୋଜ ରାଜ ଚୌଧୁରୀ । ତାଙ୍କର ତତ୍ତ୍ୱାବଧାନରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଗଠନ କରାଗଲା । କାଠକଟା ପୁରାପୁରି ବନ୍ଦ ନ ହୋଇଥିଲେ ମଧ୍ୟ, ଖୁବ୍ ମାତ୍ରାରେ ଅଂକୁଶ ଲଗାଇବାକୁ ପ୍ରୟାସ କରାଗଲା । ଶିକାର ଉପରେ ପ୍ରତିବନ୍ଧ ଲଗାଇବାକୁ ପ୍ରୟାସ କରାଗଲା । ଷ୍ଟାଫ୍ ସଂଖ୍ୟା କମ୍ ଥିବାରୁ ନିଯୁକ୍ତି ଆରମ୍ଭ କରାଗଲା । ରେଞ୍ଜ୍‌ ଏବଂ ବିଟ୍‌ମାନ ସ୍ଥାପନ କରାଗଲା । ଆହୁରି ଅନେକ କାମ ବାକିଥାଏ । ଚୌଧୁରୀ ବାବୁଙ୍କ କାନ୍ଧ ଉପରେ ଶିମିଳିପାଳର ପୁନରୁଦ୍ଧାର ଚିନ୍ତା ସବୁବେଳେ ଲାଗିଥାଏ । ତେବେ ୧୯୭୪ ମସିହାର ଗୋଟାଏ ଅକ୍ଟୋବର ସନ୍ଧ୍ୟାରେ କିଛି ଖଡ଼ିଆ ଆଦିବାସି ଯଶିପୁର “ପ୍ରୋଜେକ୍ଟ ଟାଇଗର’’ ର କାର୍ଯ୍ୟାଳୟରେ ପହଁଞ୍ଚି ଚୌଧୁରୀ ବାବୁଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ । ତାଙ୍କ ହାତରେ ଥିଲା ଲୁଗାରେ ଘୋଡ଼ା ହୋଇଥିବା କିଛିବସ୍ତୁ ଗୋଟାଏ । ଚୌଧୁରୀ ବାବୁ ଭେଟି କାରଣ ପଚାରିବାରୁ ଜଣା ପଡ଼ିଲାଯେ ସେମାନେ ଶିମିଳିପାଳ ଭିତରେ ଥିବା ଜେନାବିଲ ଗାଁରୁ ପ୍ରାୟ ୪୦ କିଲୋମିଟର ଚାଲିକି ଆସିଛନ୍ତି । ଆଣିଛନ୍ତି ଗୋଟାଏ ଭେଟି ସାଥିରେ । ଘୋଡ଼ା ହୋଇକି ଥିବା ଜିନିଷଟି ଥିଲା ଗୋଟାଏ ସୁନ୍ଦର ନିରୀହ ବାଘ ଛୁଆଟିଏ । ତାକୁ ସେମାନେ ତା ମା’ ପାଖରୁ ଛଡ଼ାଇ ଆଣିଥିଲେ । ଜେନାବିଲ୍‌ ଜଙ୍ଗଲର ଖଇରୀ ନଦୀ କଡ଼ରେ ପାଇଥିଲେ ମା’ ଓ ଛୁଆ ବାଘକୁ । ଲୋକଙ୍କୁ ଦେଖି ମା’ ବାଘ ନିଜ ଛୁଆକୁ ବଞ୍ଚାଇବାକୁ ବୁଦ୍ଧି ଖଟାଇଥିଲା । ଲୋକଙ୍କ ଧ୍ୟାନ ଛୁଆଠାରୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିଲା ଓ ସେଠାରୁ ଚାଲି ଯାଇଥିଲା । ଭାବିଥିଲା ବୋଧହୁଏ ଲୋକେ ତା’ ପଛେ ପଛେ ଯିବେ ଓ ପିଲାଟାକୁ ଛାଡ଼ିଦେବେ । କିନ୍ତୁ ତାର ଧାରଣା ଭୁଲ୍ ଥିଲା । ବାଘ ଛୁଆଟା ଖଡ଼ିଆଙ୍କ ହାତରେ ଧରା ପଡ଼ିଗଲା । କୌତୁହଳରେ ବାଘଛୁଆକୁ ନିଜ ସହିତ ଗାଁକୁ ନେଇ ଆସିଲେ ସେମାନେ । କିଛି ଘଣ୍ଟା ଗାଁରେ ରଖିଲା ପରେ ଯଶିପୁରକୁ ବାହାରିଲେ ସେମାନେ । ଧରା ପଡ଼ିବାର ପ୍ରାୟ ୪୦ ଘଣ୍ଟା ପରେ ବାଘଛୁଆଟି ଚୌଧୁରୀ ବାବୁଙ୍କ ପାଖରେ ପହଞ୍ଚିଲା । ନିଜ କୋଡ଼କୁ ନେଇ ଆସିଲେ । ଛୁଆଟି ଯେପରି ନିଜ ବାପା ପାଖରେ ପହଞ୍ଚି ଯାଇଥିଲା । ବାଘ ଛୁଆଟିର ନାଁ ସେଇ ଜେନାବିଲର ନଦୀ ଖଇରୀ ନାମରେ ନାମିତ କରାଗଲା । ଶିମିଳିପାଳର ସବୁଠାରୁ ସୁନ୍ଦରୀ ବାଘୁଣି ଖଇରୀର କାହାଣୀ ଆରମ୍ଭ ହେଲା ସେ ଦିନ । ଚୌଧୁରୀ ବାବୁଙ୍କ ତତ୍ତ୍ୱାବଧାନରେ ସୁସ୍ଥ ସବଳ ହୋଇ ବଢ଼ି ଚାଳିଲା । ଧୀରେଧୀରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଗଲା ଖଇରୀ । ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟିକଲା । ଖବର କାଗଜ ଓ ପତ୍ର ପତ୍ରିକାରେ ଖଇରୀ ବିଷୟରେ ଲେଖା ବାହାରିଲା । ବିଦେଶରୁ ମଧ୍ୟ ଗଣମାଧ୍ୟମ ଏବଂ ଶୁଭେଚ୍ଛୁଙ୍କ ସୁଅ ଛୁଟିଲା ଯଶିପୁରକୁ । ଶିମିଳିପାଳକୁ ଖଇରୀ ବାଘୁଣି ଆନ୍ତର୍ଜାତିକ ସ୍ତରରେ ଡା.ଚୌଧୁରୀଙ୍କୁ ବିଖ୍ୟାତ କରି ଦେଇଥିଲା । ତେବେ ୧୯୮୧ର ମାର୍ଚ୍ଚ ମାସରେ ଦୁର୍ଭାଗ୍ୟଜନକ ଭାବେ ଖଇରୀର ଦେହାନ୍ତ ହେଲା ର‍୍ୟାବିଜ୍ ରୋଗରେ । ଭାଙ୍ଗିପଡ଼ିଲେ ଶହଶହ ବନ୍ୟପ୍ରାଣୀ ପ୍ରେମୀ । କିନ୍ତୁ ସବୁଠାରୁ ବେଶୀ ମର୍ମାହତ ହେଲେ ଚୌଧୁରୀ ବାବୁ । କିଛିଦିନ ପରେ ଦୁଃଖ ସହି ନ ପାରି ଓ ଖଇରୀକୁ ଝୁରିଝୁରି ହୃଦ୍‌ଘାତରେ ଆରପାରିକୁ ଚାଲିଗଲେ ଚୌଧୁରୀ ବାବୁ । ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ମନେ ପକାନ୍ତି ଚୌଧୁରୀ ବାବୁଙ୍କୁ ଶିମିଳିପାଳର ଷ୍ଟାଫ୍ କିନ୍ତୁ ସବୁଠାରୁ ବେଶୀ ବୋଧହୁଏ ମନେପକାନ୍ତି ଶିମିଳିପାଳର ସେହି ଶାଳବଣକୁ ଯାହାକୁ ଚୌଧୁରୀ ବାବୁ ସୁରକ୍ଷିତ ରଖିପାରିଥିଲେ । ଯଦି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଘୋଷିତ ହୋଇ ନଥାନ୍ତା ଓ ଚୌଧୁରୀ ବାବୁଙ୍କ ଭଳି ଅଫିସର ଶିମିଳିପାଳ ଆସି ନଥାନ୍ତେ ତାହେଲେ ବୋଧହୁଏ ଆଜି ଶିମିଳିପାଳ ଗୋଟିଏ ଧ୍ଵଂସବିଧ୍ୱସ୍ତ ଜଙ୍ଗଲ ପାଲଟି ଯାଇଥାନ୍ତା ।

ଶିମିଳିପାଳରେ ଥିବା ପାହାଡ଼ ଶୃଙ୍ଗ (peak)ଙ୍କ ମଧ୍ୟରେ ସବୁଠାରୁ ଉଚ୍ଚତମ ହେଉଛି ଖଇରିବୁରୁ ( ୧୧୭୮ମି.) ଏବଂ ମେଘାସନି ( ୧୧୫୮ ମି.) । ଯେତେଥର ବୁଲିଲେ ମଧ୍ୟ ମେଘାସନି ଉପରୁ ଶିମିଳିପାଳର ସବୁଜମୟ ପ୍ରକୃତିର ଦୃଶ୍ୟ ଦେଖିବାର ଉଲ୍ଲାସ କେବେହେଲେ କ୍ଷୁର୍ଣ୍ଣ ହୁଏନାହିଁ । ମାଇଲ ମାଇଲ ଦୂର ଶାଳବଣ ଓ ତା ମଧ୍ୟରେ ଏଣେତେଣେ ମୁଣ୍ଡ ଟେକି ରହିଥିବା ପର୍ବତ ଶୃଙ୍ଗ ସବୁ । ମେଘାସନିର ଅର୍ଥ ହେଉଛି “ମେଘର ଆସନ” । ବଙ୍ଗୋପସାଗରରୁ ମୌସୁମୀ ବାୟୁ ଯେବେ ମେଘାସନିରେ ପିଟି ହୁଏ, ତେବେ ସାରା ଶିମିଳିପାଳରେ ବର୍ଷା ଆରମ୍ଭ ହୋଇଯାଏ । ମେଘାସନି ଓ ଖଇରିବୁରୁ ସ୍ପଞ୍ଜ ପରି ବର୍ଷା ପାଣିକୁ ଭିଡ଼ିଧରେ ଯାହା ଫଳରେ ଅନେକ ନଈନାଳର ଆଭିର୍ଭାବ ହୁଏ । ଗୋଟାଏ ମାଟି ରାସ୍ତା ମେଘାସନି ଉପରକୁ ତିଆରି କରାଯାଇଛି । ସାପପରି ଅଙ୍କାବଙ୍କା ରାସ୍ତାରେ ଆପଣ ଜିପ୍ ଚଲେଇକି ଗଲା ସମୟରେ ଏକ ରୋମଞ୍ଚକର ଅନୁଭୂତି ଆପଣଙ୍କୁ ଗ୍ରାସ କରିଯାଏ । କୁହୁଡ଼ି ମାଡ଼ି ଥାଏ ଚାରିଆଡ଼େ, ତେଣୁ ବେଶୀଦୂର ରାସ୍ତାରେ ଆଗକୁ ଦେଖିବା ସମ୍ଭବପର ହୁଏନାହିଁ । ଅତି ସାବଧାନ ହୋଇ ଗାଡ଼ି ଚଲେଇବାକୁ ପଡ଼େ କାରଣ ଅଚାନକ ଆପଣଙ୍କ ସାମନାରେ ବିଶାଳକାୟ ଦନ୍ତାହାତୀ ସହିତ ଭେଟ ହୋଇପାରେ । ଯଦି ତାହା ହୁଏ ତାହାହେଲେ ସାବଧାନତାର ସହିତ, ବିଚଳିତ ନ ହୋଇ ଗାଡ଼ିର ଇଞ୍ଜିନ୍ ଚାଲୁ ରଖି ଉଠାଣିରେ ଠିଆ ହେବାକୁ ପଡ଼ିବ । ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । କିନ୍ତୁ ଯେତେ ଡରିବେ ସେତେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ଏତତ୍‌ବ୍ୟତୀତ ଆପଣଙ୍କୁ ଜଙ୍ଗଲରେ ଗାଡ଼ି ଚଲାଇବା ବେଳେ ନିଜର ଇନ୍ଦ୍ରିୟ ଶକ୍ତିକୁ ସବୁଠାରୁ ଅଧିକ ବ୍ୟବହାର କରିବାକୁ ପଡ଼ିଥାଏ । ମେଘାସନିର ଜଙ୍ଗଲରେ ଅନେକ ଗୁଡ଼ାଏ ରାପ୍ଟର ବା ଶିକାରୀ ପକ୍ଷୀ ଉଡ଼ିବୁଲନ୍ତି । ତାଙ୍କୁ ବସିଥିବାର ଦେଖିବାର ମଜ୍ଜା ନିଆରା । ବିଶାଳକାୟ ଶିକାରୀ ଚଢ଼େଇ ଯେମିତିକି Crested Hawk Eagle, Crested serpent Eagle ଏବଂ Oriental Honey Buzzard । ଯଦି ଆପଣଙ୍କ ଭାଗ୍ୟ ଟିକେ ତେଜ ଥିବ ତା ହେଲେ ଆପଣ Shaheen Falcon ମଧ୍ୟ ଦେଖିପାରନ୍ତି । ଭାରତବର୍ଷର ବିଖ୍ୟାତ ପକ୍ଷୀ ଗବେଷକ ବା Orinthologist, ସ୍ୱର୍ଗତ ଡା. ସଲିମ ଅଲ୍ଲି ଅନେକ ଥର ଶିମିଳିପାଳ ଆସିଛନ୍ତି ଏବଂ ମେଘାସନିକୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ ମେଘାସନିର ଗିରି ଶୃଙ୍ଖଳା, Shaheen Falcon ପାଇଁ ସଠିକ୍ ପ୍ରଜନନ ସ୍ଥଳୀ ଏବଂ ସେଥିପାଇଁ ମେଘାସନି ଓ ଆଖପାଖ ଜଙ୍ଗଲକୁ ସୁରକ୍ଷିତ ରଖିବା ବହୁତ ମହତ୍ତ୍ୱପୂର୍ଣ୍ଣ ।

ଆଜିର ତାରିଖରେ, ଶିମିଳିପାଳରେ ୩୬୧ ପ୍ରକାରର ଚଢ଼େଇ ଅଛନ୍ତି । ତହିଁ ମଧ୍ୟରୁ କିଛି ଚଢ଼େଇର ବହୁଳ ମହତ୍ତ୍ୱ ଅଛି । ଯେହେତୁ ଶିମିଳିପାଳର ବୃକ୍ଷଲତା Lower Himalaya ଏବଂ ପଶ୍ଚିମଘାଟର ମିଶ୍ରଣ, ଏହାର ଚଢ଼େଇ ବିବିଧତା ମଧ୍ୟ ସେହିପରି । Peninsular ଭାରତରେ ଏତେ ବିବିଧତା ଖୁବ୍ କମ୍ ଜଙ୍ଗଲରେ ଦେଖିବାକୁ ମିଳେ ।ଏଠି Thick-billed Green Pigeon ବସା ମଧ୍ୟ ଦେଖିବାକୁ ମିଳିଥାଏ ଏହି ଚଢ଼େଇ କେବଳ ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳୁଥିଲା ।। ପୁରା ଶିମିଳିପାଳ ବିଶେଷ କରି ଭଞ୍ଜବସା (Bhanjabasa) ସେକ୍ସନରେ ଏହା ଭଲ ସଂଖ୍ୟାରେ ଦେଖାଯାନ୍ତି । ଦଳଦଳ ହୋଇ ଏମାନଙ୍କୁ ଜରି (Jadi) ଗଛର ଫଳ ଖାଇବାର ଦେଖିବାକୁ ମିଳିଛି । ସେହିପରି ଆଉ ଗୋଟାଏ ଚଢ଼େଇ ଯାହାର ମହତ୍ତ୍ୱ ବହୁତ ବେଶୀ, ସେ ହେଉଛି Pale Capped Pigeon । ଶିମିଳିପାଳରେ ଏହାକୁ ପାଖରୁ ଦେଖିବା ଏକ ପ୍ରକାର ନିଶ୍ଚିତ । ବିଶେଷକରି ଚହଲା ଓ ଜେନାବିଲ ଅଞ୍ଚଳରେ ଏହା ଦେଖିବାକୁ ମିଳେ । Saltlick ମାନଙ୍କରେ ଏହା ବିଶେଷକରି ଗ୍ରୀଷ୍ମ ଋତୁରେ ମାଟି ଖାଇବାର ଦେଖିବାକୁ ମିଳେ । ପୁରା ଶିମିଳିପାଳରେ କୋଚିଲା ଖାଇ ଚଢ଼େଇ ମଧ୍ୟ ଦେଖିବାକୁ ମିଳେ। ବିଶେଷକରି ବାରହାକାମୁଡ଼ାର ମାଟୁଘର ଜଙ୍ଗଲରେ (Malabar Red Hornbill) ବହୁତ ମାତ୍ରାରେ ଦେଖାଯାଏ । ଆଗରୁ ଚଢ଼େଇ ବେପାରୀ ଏହାକୁ ଧରି ନେଇ ବାହାର ବଜାରରେ ବିକୁଥିଲେ। ଆଜି କିନ୍ତୁ ଏହା ପୁରାପୁରି ବନ୍ଦ ହୋଇଗଲାଣି । ବିଶେଷକରି ଫଳନ୍ତି ଗଛଗୁଡ଼ାକରେ Hornbill ପକ୍ଷୀ ମାଳ ମାଳ ହୋଇ ବସିବାର ଦେଖିବାକୁ ମିଳେ । ଏହି ଚଢ଼େଇର ଅଣ୍ଡା ଦେବା ପ୍ରକୃତି ଅଲଗା ଚଢ଼େଇମାନଙ୍କ ଠାରୁ ପୁରାପୁରି ଭିନ୍ନ ଓ ନିଆରା । ଖରାଦିନର ଆରମ୍ଭରେ ଏମାନେ ଉଚ୍ଚଶାଳ କିମ୍ବା ଅନ୍ୟ ଗଛର କୋରଡ଼ ଖୋଜି ବୁଳନ୍ତି । ଉପଯୁକ୍ତ କୋରଡ଼ ମିଳିଲା ପରେ ମାଈ ବଢେଇ କୋରଡ଼ ଭିତରେ ପଶିଯାଏ ଏବଂ କୋରଡ଼ର ମୁହଁକୁ ଦୁଇ ଚଢ଼େଇ ମିଶିକି ମଳ ଓ ମାଟି ଓ ନିଜ ଲାଳ ସାହାଯ୍ୟରେ ବନ୍ଦ କରିଦିଅନ୍ତି । କେବଳ ଟିକେ ଫାଙ୍କ ରଖାଯାଏ ଯାହାଦ୍ୱାରା ମାଈ ଚଢ଼େଇ ନିଜର ଥଣ୍ଟକୁ ବାହାର କରିକି ରଖେ । କୋରଡ଼ ଭିତରେ ଅଣ୍ଡା ଦିଏ । ଅଣ୍ଡା ଦେବାଠାରୁ ଆରମ୍ଭ କରି, ଅଣ୍ଡା ଉଷୁମେଇବା ଏବଂ ତା’ ପରେ ଅଣ୍ଡା ଫୁଟିବା ଯାଏ, ମାଈ ଚଢ଼େଇ ନିଜକୁ ସେଇ କୋରଡ଼ ଭିତରେ ଲୁଚେଇ ରଖିଥାଏ । କେବଳ ଖାଇବା ସମୟରେ ଅଣ୍ଡିରା ଚଢ଼େଇ ନିଜ ଥଣ୍ଟରେ ଆଣିଥିବା ବିଭିନ୍ନ ପ୍ରକାର କୋଳି ଓ ଏଣ୍ଡୁଅ ଇତ୍ୟାଦିକୁ ମାଈ ଚଢ଼େଇ ଥଣ୍ଟରେ ଠେଲି ଦିଏ । ଅଣ୍ଡା ଫୁଟିବା ପରେ ମଧ୍ୟ ଯେତେବେଳେ ଯାଏଁ hornbiliର ଛୁଆମାନେ ଉଡ଼ିବା ଯୋଗ୍ୟ ହୋଇ ନଥିବେ, ଏହି ପ୍ରକ୍ରିୟା ଚାଲିଥିବ । ଏହା ଏକ ନିବିଡ଼ ସମ୍ପର୍କ ଯାହା ଦେଖିବା ଖୁବ୍ କମ୍ ପକ୍ଷୀ ପ୍ରେମୀମାନଙ୍କୁ ମିଳେ । ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ବର୍ଷା ଆରମ୍ଭ ହୁଏ ସେଇ ସମୟରେ କୋରଡ଼ର କାନ୍ଥ ଧୀରେ ଧୀରେ ନରମ ହୁଏ ଏବଂ ଦୁଇ ପକ୍ଷୀ ମିଶି ସେଇ କାନ୍ଥକୁ ଭାଙ୍ଗି ଦିଅନ୍ତି । ଛୁଆମାନେ ବାହାରି ଏକ ନୂଆ ଦୁନିଆରେ ପଦାର୍ପଣ କରନ୍ତି ଏବଂ ମୁକ୍ତ ଆକାଶରେ ଡେଣା ମେଲେଇ ଉଡ଼ି ବୁଲନ୍ତି । ଗୋଟାଏ ନୂଆ Hornbill ପିଢ଼ିର ଆରମ୍ଭ ହୁଏ ଶିମିଳିପାଳର ଜଙ୍ଗଲରେ ।

ଶିମିଳିପାଳରେ ମହାବଳବାଘ ସଂଖ୍ୟା ଆଜି ପ୍ରାୟ ୩୦ ପାଖାପାଖି ବା ତହିଁରୁ କମ୍ । ମହାବଳବାଘ ଆମ ରାଜ୍ୟରେ ସବୁଠାରୁ ଅଧିକ ଏଇଠି ଦେଖାଯାଆନ୍ତି । ଏହାର ମହତ୍ତ୍ୱ ଆମ ଓଡ଼ିଶା ପାଇଁ ବହୁତ ଅଧିକ । ୨୦୧୦ ପୂର୍ବରୁ Core Area ମଧ୍ୟରେ ୪ଟି ବଡ଼ବଡ଼ ଗାଁ ଏବଂ ୨ ଛୋଟ ଗାଁ ଥିଲା । ଅଧିକ ଜନବସତି ଥିବାରୁ ବହୁତ ବିଶୃଙ୍ଖଳା ପରିସ୍ଥିତି ରହୁଥିଲା । ଧୀରେ ଧୀରେ ସରକାର ଆମର ବ୍ୟାଘ୍ର ସଂରକ୍ଷଣ ଦିଗରେ ତତ୍ପରତା ଦେଖାଇଲେ । ସ୍ଥିର କରାଗଲା ଯେ ସମୟକାଳେ ଯଦି ଶିମିଳିପାଳ ଏବଂ ଏହାର ବନ୍ୟଜନ୍ତୁଙ୍କୁ ସୁରକ୍ଷା କରିବାର ଅଛି ତା ହେଲେ ଏହି ଗାଁଗୁଡ଼ିକୁ ଶିମିଳିପାଳ ପରିସୀମା ବାହାରକୁ ବିସ୍ଥାପିତ କରିବା ଅନିବାର୍ଯ୍ୟ । ପ୍ରଥମେ ଜେନାବିଲ୍‌, ତା’ ପରେ ବାର୍‌ହା କାମୁଡ଼ା, ଯମୁନାଗଡ଼ ଏବଂ ୨୦୧୫ରେ କବାଟ ଘାଇ ଗାଁ Core Areaରୁ ଗାଁଲୋକଙ୍କ ସହମତି କ୍ରମେ ଏବଂ ଉଚିତ ଅନୁକମ୍ପା ରାଶି ଦେଲା ପରେ ଶିମିଳିପାଳ ସୀମା ବାହାରକୁ ବିସ୍ଥାପିତ କରାଗଲା । ବନ୍ୟପ୍ରାଣୀ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଗଲା । ଏବେ କେବଳ Bakua (ବକୁଆ) ଗାଁ Core Area ଭିତରେ ଅଛି । ବନ୍ୟପ୍ରାଣୀ ବିଭାଗ ତାର ପୁରା ଚେଷ୍ଟା ଚଳାଇଛି ଏହି ଗାଁକୁ Core Area ବାହାରକୁ ସ୍ଥାପିତ କରିବାକୁ । ଆଜି Jenabil ଗାଁର ଘାସ ପଡ଼ିଆ ଦେଖିଲେ ଆପଣ ବିସ୍ମିତ ହୋଇଯିବେ । ଯେଉଁ ଜାଗାରେ ଗାଈ, ଛେଳି, ବଳଦ ଓ ମଣିଷ ବୁଲୁଥିଲେ ସେଇ ଘାସ ପଡ଼ିଆରେ ନିର୍ଭୟରେ ଆଜି ସମ୍ବର, ହରିଣ ଏବଂ ହାତୀ ଚଳପ୍ରଚଳ କରୁଛନ୍ତି ।ଆମର ତୃଣଭୋଜୀମାନେ ନିର୍ଭୟରେ ଚରୁଥିଲେ । ଲୋକଙ୍କ ଡର ତାଙ୍କ ମନରେ ନଥିଲା । ଏହି କଥା କହୁଛି ଯେ ଶିମିଳିପାଳର ସ୍ଥିତି ଆଜି ବହୁମାତ୍ରାରେ ସୁଧୁରିଯାଇଛି । କେବଳ ସେତିକି ନୁହେଁ ଯେଉଁ ମାତ୍ରାରେ ଆଗରୁ ଚୋର ଶିକାରୀ ପଶୁଥିଲେ ତାହା ବହୁତ କମିଯାଇଛି । ମୁଁ କହି ରଖେ କି ଏହା ପୂରାପୂରି ବନ୍ଦ ହୋଇନି । ଶିମିଳିପାଳର ସୀମା ବହୁତ ବଡ଼ ଥିବାରୁ କାଠ ଚୋର ଓ ଶିକାରୀ ଅନେକ ଚୋରାଛପା ଚଲାବାଟ ଦ୍ଵାରା ଶିମିଳିପାଳ ଭିତରକୁ ପ୍ରବେଶ କରିଥାନ୍ତି । ଆମ ବନରକ୍ଷୀମାନେ ସବୁବେଳେ ଉଦ୍ୟମ ଚଳାଇଥାନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଯେତିକି ଶିକାରୀ ଓ କାଠ ଚୋରମାନଙ୍କୁ ଧରା ହୋଇଛି ଓ କୋର୍ଟ ଚାଲାଣ କରାଯାଇଛି ତାହା ବୋଧ ହୁଏ ଆଗରୁ କେବେ ହୋଇନଥିଲା । ଗୋଟାଏ ସମୟ ଥିଲା ଯେବେ ଶହଶହ ଗ୍ରାମବାସୀ ଅଖଣ୍ଡ ଶିକାର କରିବାକୁ, ଆମର ଏହି ସୁନ୍ଦର ଜଙ୍ଗଲକୁ ପ୍ରବେଶ କରୁଥିଲେ । ଛୋଟଛୋଟ ଚଢ଼େଇଠାରୁ ଆରମ୍ଭ କରି କୁଟୁରା, ସମ୍ବର ଓ ହରିଣମାନଙ୍କୁ ଶିକାର କରୁଥିଲେ । ଗ୍ରାମବାସୀଙ୍କର ଏହି ଅଦ୍ଭୂତପୂର୍ବ ସଂଖ୍ୟା ଆଗରେ ଆମର ମୁଷ୍ଟିମୟ ବନରକ୍ଷୀ ଓ ବନପାଳମାନେ ହାତ ଯୋଡ଼ିକି ଫେରିଯିବା ପାଇଁ ଅନୁରୋଧ କରିବା ଛଡ଼ା କିଛି ବିକଳ୍ପ ନ ଥିଲା । କିନ୍ତୁ ୨୦୧୨ ପରେ ବହୁତ ଚେଷ୍ଟା, ସାହସ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଅଖଣ୍ଡ ଶିକାରକୁ ପୁରାପୁରି ବନ୍ଦ ରଖା ଯାଇପାରିଛି । ଶିମିଳିପାଳର ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ଯାହା କେବେ ଆଗରୁ ପରିକଳ୍ପନା କରାଯାଇ ନ ଥିଲା । ଏହି ପରିଶ୍ରମର ଫଳ ଧୀରେ ଧୀରେ ଆମକୁ ଦେଖିବାକୁ ମିଳୁଛି । ଏବେ ହରିଣ, କୁଟୁରା ଓ ସମ୍ବର ସଂଖ୍ୟା ବହୁତ ମାତ୍ରାରେ ବଢ଼ିବାକୁ ଲାଗିଲାଣି । ପରିଣତି ସ୍ୱରୂପ ଆମର ବାଘ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଛି, କାରଣ ବାଘର ଖାଦ୍ୟ ସ୍ରୋତ ବଢୁଛି । ଶିମିଳିପାଳକୁ ଲାଗି ରହିଥିବା ହଦ୍‌ଗଡ଼ ଅଭୟାରଣ୍ୟରେ ମଧ୍ୟ ମହାବଳ ବାଘ ଦେଖିବାକୁ ମିଳିଲାଣି । ବାଘ ବିଶେଷକରି ଅଣ୍ଡିରା ବାଘକୁ ବୃହତ୍ ଜାଗା ଦରକାର ପଡ଼େ । ନୂଆ “Territory” ଦରକାର ପଡୁଥିବାରୁ ବାଘମାନେ ଶିମିଳିପାଳକୁ ଲାଗି ରହିଥିବା ବିଭିନ୍ନ ଜଙ୍ଗଲ ଆଡ଼କୁ ମୁଁହାଇଲେଣି । ଆନନ୍ଦପୁର, ଠାକୁରମୁଣ୍ଡା ଓ ହଦଗଡ଼ରେ କ୍ରମାଗତ ଭାବେ ମହାବଳ ବାଘ ଦେଖାଯାଉଛନ୍ତି କିମ୍ବା ସେମାନେ ମାରିଥିବା ଶିକାରର ମଢ଼ ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥାହେଲା ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଲେ କେବଳ ଆଖପାଖ ଜଙ୍ଗଲର ଉପକାର ହେବ ତାହା ନୁହେଁ, ବରଂ ଆମ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡକୁ (ଯେଉଁଠାରେ ବାଘ ସଂଖ୍ୟା କହିବାକୁ ଗଲେ ପୁରାପୁରି ଲୋପ ପାଇଯାଇଛି) ମଧ୍ୟ ଫାଇଦା ହେବ । କାରଣ ଶିମିଳିପାଳ ସହିତ ଯୋଡ଼ି ହୋଇଛି ଝାଡ଼ଖଣ୍ଡର ସରଣ୍ଡା (Saranda) ଜଙ୍ଗଲ । ଦିନେ ଅଧେ ଯେଉଁ ମହାବଳ ବାଘ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଦେଖାଦେଉଛନ୍ତି, କୁହାଯାଏ କି ସବୁ ଶିମିଳିପାଳରୁ ଚଳପ୍ରଚଳ କରିଥିବା ବାଘ । ଏବେ ଆମ ବନବିଭାଗର ଦାୟିତ୍ୱ ଦୁଇଗୁଣ ହୋଇଯିବ । କାରଣ ଯେଉଁ ଚେଷ୍ଟା ସେମାନେ ଶିମିଳିପାଳର ପରିସୀମା ମଧ୍ୟରେ କରୁଛନ୍ତି ତାହା ସେମାନଙ୍କୁ ଶିମିଳିପାଳର ପରିସୀମା ବାହାରେ କରିବାକୁ ପଡ଼ିବ । ନହେଲେ ବାଘ ସଂଖ୍ୟା କଦାପି ବଢ଼ି ପାରିବନି ।

ଶିମିଳିପାଳର ସବୁଠାରୁ ପ୍ରିୟ ଜାଗା ହେଉଛି ଦେବସ୍ଥଳୀ ଓ ବାରହାକାମୁଡ଼ା । ଦେବସ୍ଥଳୀର ସୁନ୍ଦରତା ଅତୁଳନୀୟ । ଦକ୍ଷିଣ ଶିମିଳିପାଳର ବାରହାକାମୁଡ଼ା ରେଞ୍ଜ୍‌ (Barhakamuda range)ରେ ଅବସ୍ଥିତ ଦେବସ୍ଥଳୀ । ସତରେ ଯେମିତି ଦେବଙ୍କ ବାସସ୍ଥଳୀ ହେଉଛି ଦେବସ୍ଥଳୀ । ବିଶାଳକାୟ ଘାସପଡ଼ିଆକୁ ଘେରି ରହିଯାଇଛି ଉତ୍ତର ଦିଗରେ ଗନପତି ପାହାଡ଼, ସତେ ଯେମିତି ଗୋଟାଏ ବିରାଟକାୟ କାନ୍ଥ । ପଡ଼ିଆ ମଝିରେ ଅବସ୍ଥିତ ସୁନ୍ଦର ବର୍ତ୍ତୁଳାକାର (Cylindrical) ଦୁଇମହଲା ବିଶିଷ୍ଟ ବନପାଳଙ୍କର ବାସସ୍ଥଳୀ । ତାଙ୍କ ତଦାରଖରେ ରହେ ଦେବସ୍ଥଳୀ । ଦିନବେଳେ ଖାଲିଥାଏ ପଡ଼ିଆଟି । କେବଳ ଆକାଶରେ ଶିକାର ଖୋଜି ବୁଲନ୍ତି କିଛି ବାଜପକ୍ଷୀ । କିନ୍ତୁ ସଂନ୍ଧ୍ୟା ହେବାମାତ୍ରେ ଚିତ୍ର ବଦଳି ଯାଏ । ଶହଶହ ସମ୍ବର ଓ ହରିଣ ଆସି ପହଞ୍ଚନ୍ତି ଦେବସ୍ଥଳୀରେ ଥିବା ଗୋଟାଏ କୃତ୍ରିମ Saltlick କୁ । ସେମାନେ ଆସିବାର କାରଣ ହେଲା ଯେ ସବୁ ତୃଣଭୋଜୀ ପଶୁମାନଙ୍କୁ ଲୁଣ ଭଲଲାଗେ । ଆମ ଫରେଷ୍ଟ ଡିପାର୍ଟମେଣ୍ଟ ଏହିଭଳିଆ କିଛି କୃତ୍ରିମ Saltlick ବା ଲୁଣ ଚଟା ତିଆରି କରି ରଖିଛନ୍ତି ସାରା ଶିମିଳିପାଳରେ ଯାହାକି ଜନ୍ତୁମାନଙ୍କୁ ଉପଯୁକ୍ତ ଲବଣ ଖୋରାକ ଯୋଗାଇ ଦେଇଥାଏ । ଦେବସ୍ଥଳୀରେ ସବୁଠାରୁ ଅଧିକ ସମ୍ବର ଦେଖିବାକୁ ମିଳିଥାଏ ବର୍ଷାଦିନେ ବଡ଼ବଡ଼ ଦଳରେ ଗୟଳ ମଧ୍ୟ ଆସନ୍ତି ଘାସ ଚରିବାକୁ । ମଝିରେ ମଝିରେ ସମ୍ବର ସତର୍କଡାକ ବା Alarm Call ଦିଅନ୍ତି । ଲଗାତର ନିଜ ଖୁରାକୁ ପଡ଼ିଆରେ ପିଟନ୍ତି । ସତର୍କର ସୂଚନା ସବୁ ପଶୁମାନଙ୍କୁ ମିଳିଯାଏ । ବୋଧହୁଏ ତାଙ୍କର ଇନ୍ଦ୍ରିୟ ଶକ୍ତି ତାଙ୍କୁ କହେ ଯେ ପାଖରେ ମହାବଳ ବାଘ କିମ୍ବା କଲରାପତରିଆ ବାଘ ଅଛି । । ୧୯୯୮ରେ ଶେଷଥର ପାଇଁ Dhole ଦେଖାଦେଇଥିଲେ ଶିମିଳିପାଳର ବରେହିପାଣିରେ । କ’ଣ ପାଇଁ ସେମାନେ ଉଭାନ ହୋଇଗଲେ ଶିମିଳିପାଳରୁ ? କାହା ପାଖରେ କିଛି କାରଣ ନାହିଁ । କିଛି ପୁରୁଣା ବନରକ୍ଷୀ ତାଙ୍କୁ ସବୁବେଳେ ଦେଖି ଆସୁଥଲେ ପେଟ୍ରୋଲିଙ୍ଗ୍ କରିବା ସମୟରେ । ଏପରିକି ବାରହାକାମୁଡ଼ାର ମାଟୁଘର ଘାସ ପଡ଼ିଆରେ ଗୋଟାଏ ଦଳରେ ୨୦ ପର୍ଯ୍ୟନ୍ତ ବଳିଆକୁକୁର ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିର ପରିସ୍ଥିତି ଭିନ୍ନ । ଯେତେ ଖୋଜାହେଲେ ମଧ୍ୟ ସେମାନେ ଦେଖା ଦେଉନାହାନ୍ତି । ଗବେଷକଙ୍କ ମତରେ ଶିମିଳିପାଳରେ ସେମାନେ ଲୋପ ପାଇ ଯାଇଛନ୍ତି । ଯଦି ଆଗାମୀ ଦିନରେ ବଳିଆ କୁକୁର ଫେରି ଆସନ୍ତି ଶିମିଳିପାଳକୁ, ତାହେଲେ ତା’ଠାରୁ ବଡ଼ ଖୁସି ଖବର କିଛି ହେବନି ।

ଦେବସ୍ଥଳୀ ପରି ଅନେକ ସୁନ୍ଦର ସୁନ୍ଦର ଜାଗା ସମଗ୍ର ଶିମିଳିପାଳରେ ଖେଳେଇ ହୋଇ ରହିଛି । ଶୀତ ଋତୁର ଆଗମନ ସହିତ ପର୍ଯ୍ୟଟକଙ୍କ ସୁଅ ଛୁଟେ ଏହି ସବୁ ଜାଗାମାନଙ୍କୁ । ଆମ ରାଜ୍ୟ ପର୍ଯ୍ୟଟକଙ୍କ ଛଡ଼ା ଆମ ପଡ଼ୋଶୀ ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକଙ୍କ ଆତଯାତ ବଢ଼େ ଆମର ଏହି ଅରଣ୍ୟରେ । ବିଶେଷକରି ସେମାନେ ଚହଲାର ଘାସ ପଡ଼ିଆରେ ଚରୁଥିବା ହରିଣ, ରାଜାଙ୍କର ପୁରୁଣା ବଙ୍ଗଳା; ବରେହିପାଣି, ଯୋରନ୍ଦାରେ ଥିବା ଜଳ ପ୍ରପାତ ଏବଂ ଗୁଡ଼ଗୁଡ଼ିଆରେ ଥିବା “Orchidarium ଦେଖିବାକୁ ଭଲପାଆନ୍ତି । ବରେହିପାଣି ଓ ଯୋରନ୍ଦାର ସୁନ୍ଦରତା ବିସ୍ମୟକର । ବୁଢ଼ାବଳଙ୍ଗ ନଦୀ ଶିମିଳିପାଳର ଧୁଡ଼ୁରୁ ଚମ୍ପାରୁ ବାହାରି ବରେହିପାଣିରେ ଗୋଟାଏ ବିଶାଳ ଜଳ ପ୍ରପାତର ରୂପନିଏ । ଗୋଟାଏ ବରେହି ଦଉଡ଼ିର ରୂପପରି ନଦୀର ପାଣି ପାହାଡ଼ ଉପରୁ ତଳକୁ ପଡ଼େ ଅତି ତୀବ୍ର ଗତିରେ । ଦେଖଣାହାରୀଙ୍କ ମନମୁଗ୍ଧ ହୋଇଯାଏ ବୁଢ଼ାବଳଙ୍ଗ ନଦୀର ଏହି ରୂପ ଦେଖି । ସେହିପରି, ଯୋରନ୍ଦାରେ ଆଉ ଗୋଟାଏ ବିଶାଳକାୟ ଜଳପ୍ରପାତ ଅଛି । ଦେଖିଲେ ହିଁ ବିଶ୍ୱାସ ହୋଇପାରେ ଯେ ଆମ ରାଜ୍ୟରେ ଏତେ ସୁନ୍ଦର ସୁନ୍ଦର ଜଳପ୍ରପାତ ଗୁଡ଼ାଏ ଅଛି ।

କିନ୍ତୁ କେବଳ ମହାବଳ ବାଘ ଦେଖିବା ଆଶାରେ ଆସିଥିବା ପର୍ଯ୍ୟଟକ ନିଜ ମନ ଖଟା କରି ଫେରିବେ । କାରଣ, ଭାରତର କିଛି ଅନ୍ୟ ଅଭୟାରଣ୍ୟଙ୍କ ତୁଳନାରେ ଶିମିଳିପାଳର ଆକାର ବହୁତ ବଡ଼ ଓ ଅରଣ୍ୟ ମଧ୍ୟ ଅଧିକ ଘଞ୍ଚ । କିଛି ଦୂରରେ ଯଦି ବି ବାଘ ଥିବ, ଆପଣ ଜାଣି ପାରିବେନି । ତାଛଡ଼ା, ଶିମିଳିପାଳରେ ଅନେକ ଚିରସ୍ରୋତା ନଈନାଳ ଓ ଜଳକୁଣ୍ଡମାନ ଅଛି । ଯାହାଫଳରେ ବାଘକୁ ପାଣି ପିଇବାକୁ କିଛି ନିର୍ଦ୍ଦିଷ୍ଟ ଜାଗାକୁ ଆସିବାକୁ ପଡ଼େନାହିଁ । ସେଥିପାଇଁ ତାଙ୍କୁ ଠାବ କରିବା କାଠିକର ପାଠ ହୋଇଯାଏ । ତେଣୁ ପର୍ଯ୍ୟଟକ ଭାବେ ଆମେ କେବଳ ମହାବଳ ବାଘ ଉପରେ ଧ୍ୟାନ ନ ଦେଇ ପୁରା ପରିବେଶର ସୁନ୍ଦରତାର ମଜା ନେବାପାଇଁ ଉଦ୍ୟମ କରିବା ଉଚିତ । ରାସ୍ତାସାରା ଅନେକ ପ୍ରକାରର ପ୍ରଜାପତି, ଚଢ଼େଇ, ଗଛଲତା ଓ ବିଭିନ୍ନ ରଙ୍ଗର ମଳାଙ୍ଗ (Orchid) ଦେଖିବାକୁ ମିଳିଥାଏ । ଏଇମାନଙ୍କର ସୁନ୍ଦରତା କୌଣସି ବାଘଠାରୁ କମ୍ ନୁହେଁ । ସେଥିପାଇଁ ପର୍ଯ୍ୟଟକଙ୍କ ସହିତ ଯାଉଥିବା ଶିମିଳିପାଳର ଗାଇଡ୍‌ମାନଙ୍କୁ ମଧ୍ୟ ଉପଯୁକ୍ତ ତାଲିମ୍ ଦେବା ଉଚିତ, କାରଣ ସେମାନେ ଏହି ଭାବରେ ପର୍ଯ୍ୟଟକମାନଙ୍କୁ ସଚେତନ କରାଇପାରିବେ । ତା’ହେଲେ ପର୍ଯ୍ୟଟକ ହତୋତ୍ସାହିତ ହୋଇ ଫେରିବେନି ଶିମିଳିପାଳରୁ ବରଂ ଫେରିଲା ପରେ ବି ଶିମିଳିପାଳର ସୌନ୍ଦର୍ଯ୍ୟକୁ ମନେ ପକେଇ ଆନନ୍ଦିତ ହେବେ । ଆମ ଶିମିଳିପାଳ ପରି ଜଙ୍ଗଲ ସତରେ ବିରଳ
ମେଘାସନି ଓ ଖଇରିବୁରୁ ପରି ପର୍ବତ; ବୁଢ଼ାବଳଙ୍ଗ, ଦେଓ, ସାଳନ୍ଦୀ, ଭଣ୍ଡନ, ପଲପଲା ପରି ନଦୀ; ଲକ୍ଷଲକ୍ଷ ଶାଳ ଗଛ; ମହାବଳ ବାଘ ଠାରୁ ଆରମ୍ଭ କରି ହାତୀ, ଭାଲୁ, ହରିଣ, ସମ୍ବର, ଗୟଳ; ବିଭିନ୍ନ କିସମର ଚଢ଼େଇ, ପ୍ରଜାପତି, ଫୁଲ; କ’ଣ ନାହିଁ ଏଇ ଜଙ୍ଗଲରେ ? ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ, ପରମ୍ପରା, ଆଦିବାସୀଙ୍କର ସଂସ୍କୃତି ଠାରୁ ଆରମ୍ଭ କରି ମୟୂରଭଞ୍ଜ ରାଜଦରବାର ସହିତ ଜଡ଼ିତ ଅନେକ କାହାଣୀ, ସବୁଥିରେ ଶିମିଳିପାଳ ଜଙ୍ଗଲର ଛାପ ଅଛି । ଆମର ଏହି ଧରୋହରକୁ ବଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । କେବଳ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ଏହି ଦିଗରେ କାମ କଲେ ଚଳିବନି, ବରଂ ଆମ ସମସ୍ତଙ୍କୁ ହାତରେ ହାତ ଦେଇ ଆଗକୁ ମାଡ଼ିଯିବାକୁ ହେବ । ତା’ହେଲେ ଆମ ଆଗାମୀ ପିଢ଼ି ବାଘ ମାମୁଁକୁ ନିଜର ବାସସ୍ଥଳୀ, ଶିମିଳିପାଳର ଶାଳ ଜଙ୍ଗଲରେ ନିର୍ଭୟରେ ବୁଲିବାର ଦେଖିପାରିବେ ।
ଆଜି ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଜୈବବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳର ସଂକ୍ଷିପ୍ତ ରୂପରେଖ ପୁଣିଥରେ ସମସ୍ତଙ୍କ ମନରେ ସତେଜତାର ମଞ୍ଜି ବୁଣିପାରିବ ବୋଲି ଆଶା ଏବଂ ବିଶ୍ବାସ।

(ଲେଖକଙ୍କ ନିଜସ୍ୱ ମତ)
ବାରିପଦା,ମୟୂରଭଞ୍ଜ
ଯୋଗାଯୋଗ- ୯୫୮୩୮୯୯୪୮୦

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 🔴 ୫ଦିନ ଯାଏ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴  ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ 🔴 ଭାରତରେ ଲଞ୍ଚ୍ ହେବ ସାଟେଲାଇଟ୍ ଇଣ୍ଟରନେଟ୍ 🔴 ରଥଯାତ୍ରାକୁ ଆସିବେ ମୋଦି! 🔴 ବଢ଼ୁଛି କୋଭିଡ୍, ୧ହଜାରରୁ ଉର୍ଦ୍ଧ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା