ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇଛି ବଡ଼ ଧରଣର ଅଦଳବଦଳ । ଏଥିରେ ଓଡ଼ିଶାରୁ ୩ଜଣ ସ୍ଥାନ ପାଇଛନ୍ତି । ଦୁଇଜଣ ଓଡ଼ିଆ ପୁଅ ହୋଇଥିବା ବେଳେ ଆଉ ଜଣେ ଓଡ଼ିଶାରୁ ଯାଇଛନ୍ତି ରାଜ୍ୟସଭା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରରେ ଓଡ଼ିଶାର ବହୁ ନେତା ମନ୍ତ୍ରୀ ହୋଇଛନ୍ତି । ମାତ୍ର କେହି ରେଳବାଇ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ପାହ୍ୟା ପାଇନଥିଲେ । ଦ୍ୱିତୀୟ ପାଳିର ଦ୍ୱିତୀୟ ଇନିଂସିରେ ନମୋଙ୍କ ଏହି ଡ୍ରିମ୍ ଟିମରେ ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି କ୍ୟାବିନେଟ୍ ପାହ୍ୟା । ପୁଣି ରେଳ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ ।

ଦ୍ୱିତୀୟ ପାଳିର ଦ୍ୱିତୀୟ ଇନିଂସିରେ ମୋଦି ଗଢିଛନ୍ତି ନିଜର ୟୁଥ ଡ୍ରିମ୍ ଟିମ୍ । ନମୋଙ୍କ ଏହି ଡ୍ରିମ୍ ଟିମରେ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି । ତାଙ୍କୁ ମିଳିଛି କ୍ୟାବିନେଟ୍ ପାହ୍ୟା । ପୂର୍ବରୁ କାହ୍ନୁଚରଣ ଲେଙ୍କା, ଭକ୍ତ ଦାସ, ରେଳରାଷ୍ଟ୍ରମନ୍ତ୍ରୀ ଥିଲେ । ଏବେ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ  । ରାଜ୍ୟସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସହ ଯୋଗାଯୋଗ, ଇଲୋଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ପ୍ରଥମ ଥର ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ନମୋଙ୍କ ଡ୍ରିମ୍ ଟିମରେ ସ୍ଥାନ ପାଇଛନ୍ତି ।

ରାଜସ୍ଥାନର ଜୋଧପୁରରେ ଜନ୍ମିତ ଅଶ୍ୱିନୀ ୧୯୯୪ରେ ସର୍ବଭାରତୀୟ ପରୀକ୍ଷାରେ ସାରା ଦେଶରେ ୨୭ ନମ୍ବର ର୍ୟାଙ୍କରେ ଆସିଥିଲେ । ଓଡ଼ିଶା କ୍ୟାଡରର ଏହି ଆଇଏଏସ ଅଫିସର ବାଲେଶ୍ୱର ଏବଂ କଟକର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୩ ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ଚ ପଦପଦବୀରେ ରହି ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ପରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରି ବାଚପେୟୀଙ୍କ ଅତିପ୍ରିୟ ହୋଇପାରିଥିଲେ । ପିଏମ୍ଓରେ ଥିବା ବେଳେ ଅଶ୍ୱିନୀ ଓଡ଼ିଶାର ବହୁ ବରିଷ୍ଠ ନେତାମାନଙ୍କ ସହ ଯୋଗାଯୋଗରେ ଥିଲେ ।

ରାଜ୍ୟସଭା ପଠାଇବା ପାଇଁ ବିଜେପିର ପ୍ରସ୍ତାବକୁ ବିଜେଡି ସମର୍ଥନ କରିଥିଲା । ବିଜେପିର ରାଜନୈତିକ ଶତ୍ରୁ ବିଜେଡି ସମର୍ଥନରେ ବୈଷ୍ଣବ ଯାଇଛନ୍ତି ରାଜ୍ୟସଭା । କ୍ୟାବିନେଟ୍ କ’ଣ ସେ ରାଷ୍ଟ୍ରମନ୍ତ୍ରୀ ହେବେ ବୋଲି କେହି ଚିନ୍ତା କରିନଥିଲେ । କିନ୍ତୁ ହଠାତ୍ ତାଙ୍କ ନାମ ଚର୍ଚ୍ଚାକୁ ଆସିଲା । ବୈଷ୍ଣବ ମାରିଲେ ଛକ୍କା । ରାଷ୍ଟ୍ରମନ୍ତ୍ରୀ ନୁହେଁ, ସିଧା କ୍ୟାବିନେଟ୍ ପାହ୍ୟା । ପୁଣି ରେଳ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ଏବେ ସେ ରେଳମନ୍ତ୍ରୀ ।

ଓଡ଼ିଶାରେ ରେଳବାଇର ବିକଳଚିତ୍ର ସେ ନିଜେ ଦେଖିଛନ୍ତି । ଖାଲି ଦେଖିନାହାନ୍ତି ଅନୁଭବ ମଧ୍ୟ କରିଛନ୍ତି । ଏବେ ଓଡ଼ିଶାରେ ୨ ହଜାର ୬୦୦ କିଲୋମିଟର ରେଳପଥ ରହିଛି । ଏହାକୁ ବୃଦ୍ଧି କରିବାର ବହୁ ଆବଶ୍ୟକତା ରହିଛି । ଓଡ଼ିଶାରେ ଅଧପନ୍ତିରଆ ହୋଇ ପଡିରହିଥିବା ୧୧ଟି ରେଳପଥ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଓଡ଼ିଶାରେ ରେଳପଥର ଲମ୍ବା ବଢିପରନ୍ତା ।

ଖୋର୍ଦ୍ଧା –ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀପ, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟପୁର, ଟିଟିଲାଗଡ଼-ରାୟଗଡ଼ା, ତାଳଚେର-ଗୋପାଳପୁର, ଜୟପୁର-ମାଲକାନଗିରି, ବାଂଶପାଣି- ଦୈତାରୀ, ଭଦ୍ରକ- ନିର୍ଗୁଣ୍ଡି, ରାଉରକେଲା- ଝାରସୁଗୁଡା ଓ ନାରାୟଣଗଡ- ଭଦ୍ରକ, ରେଳଲାଇନ୍ କାମ ଶୀଘ୍ର ଶେଷ ହୋଇପାରେ । ରେଳଲାଇନକୁ ଛାଡି ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ହେବାର ଆବଶ୍ୟକତା ମଧ୍ୟ ରହିଛି । ଓଡ଼ିଶାକୁ ରେଳବାଇ ବଜେଟରେ ଅଧିକ ଅଧିକ ଅର୍ଥ ଦେବାକୁ ପ୍ରତିବର୍ଷ ରାଜ୍ୟ ସରକାର କରିଆସୁଥିବା ଦାବିର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆମେ ଆଶା କରିବା । ଅଶ୍ୱିନୀଙ୍କ କାର୍ଯ୍ୟକାଳରେ ଓଡ଼ିଶାରେ ରେଳବାଇର ଆଖିଦୃଶିଆ ବିକାଶ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *