ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ଠାରୁ ରହିଛି କ’ଣ ଆଶା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଓଡ଼ିଶାରୁ ମନୋନୀତ ହୋଇ କିମ୍ବା ନିର୍ବାଚିତ ହୋଇ ରାଜ୍ୟବାସୀଙ୍କ ସେବା କରିବା ସୁଯୋଗ ମିଳିନି । ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ପାର୍ଲାମେଣ୍ଟକୁ ଯାଇଛନ୍ତି ସେ । ତଥାପି ଓଡ଼ିଶାର ଉନ୍ନତି ପାଇଁ ସେ ସଦା ଚେଷ୍ଟିତ । ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ସେ କ୍ୟାବିନେଟ୍ ପାହ୍ୟା ପାଇଥିବା ବେଳେ ଦ୍ୱିତୀୟ ପାଳିର ପ୍ରଥମ ଅଦଳବଦଳରେ ମଧ୍ୟ ମିଳିଛି କ୍ୟାବିନେଟ୍ ପାହ୍ୟା ।

ଅନଗୁଳ ମାଟିର ପୁଅ ଧର୍ମେନ୍ଦ୍ର । ରାଜନୈତିକ ପରିବାରର ଦାୟାଦ । ୧୯୬୯ ଜୁନ୍ ୨୬ ତାରିଖରେ ଜନ୍ମ ହୋଇଥିବା ଧର୍ମେନ୍ଦ୍ର ଓଡ଼ିଶାର ପ୍ରଗତି ଓ ଉନ୍ନତି ପାଇଁ ଚେଷ୍ଠିତ । ବିଜେପି ସଂଗଠନର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦଳ ପାଇଁ କାର୍ଯ୍ୟ କରି ସେ କେନ୍ଦ୍ରୀୟ ନେତାଙ୍କ ନଜରକୁ ଆସିଥିଲେ । ୨୦୧୨ ରୁ ୨୦୧୮ ପର୍ଯ୍ୟନ୍ତ ସେ ବିହାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ଧର୍ମେନ୍ଦ୍ର ପୋଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ।

୨୦୧୮ରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ଓ ବିଜେପି ପ୍ରତି ପ୍ରତିବଦ୍ଧତା କେନ୍ଦ୍ରୀୟ ନେତାଙ୍କୁ ସନ୍ତୁଷ୍ଟ କରିପାରିଥିଲା । ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ମନ୍ତ୍ରିମଣ୍ଡଳର ପ୍ରଥମ ବଡ଼ ଧରଣର ଅଦଳବଦଳରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ମିଳିଛି କ୍ୟାବିନେଟ୍ ପାହ୍ୟା । ବିଭାଗ ବଦଳିଛି ସତ କିନ୍ତୁ ପାହ୍ୟା ଅତୁଟ ରହିଛି । ଏବେ ସେ ଦେଶର ଶିକ୍ଷାମନ୍ତ୍ରୀ । ଖାଲି ସେତିକି ନୁହେଁ, ଦକ୍ଷତା ବିକାଶ ବିଭାଗ ମଧ୍ୟ ତାଙ୍କ ହାତରେ ରହିଛି ।

ସାରା ଦେଶକୁ ଗୋଟିଏ ଗୋଟିଏ ଡୋରିରେ ବାନ୍ଧିବା ପାଇଁ କେନ୍ଦ୍ର ସରକାରଙ୍କ ଗୋଟିଏ ଯୋଜନା ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ  ଏବେ ଧର୍ମେନ୍ଦ୍ରଙ୍କ କାନ୍ଧରେ । ଓଡ଼ିଶାରେ ଅଛି ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଏଠାରେ ଅନେକ ବିଭାଗ ଖୋଲିବାର ଆବଶ୍ୟକତା ରହିଛି । ବହୁ ବିଭାଗରେ ପ୍ରଫେସର, ଅଧ୍ୟାପକ ପଦବୀ ଖାଲିରହିଛି । ଅନେକ ଜାତୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ଖୋଲିପାରି ନାହିଁ ।

ମେଧାବୀ ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରକୁ ଯାଉଛନ୍ତି । ଖର୍ଚ୍ଚାନ୍ତ ହେଉଛନ୍ତି । ଓଡ଼ିଶାରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ଲାଗିରହିଛି ଅନେକ ସମସ୍ୟା । ଓଡ଼ିଆ ପୁଅ କେନ୍ଦ୍ରର ଶିକ୍ଷାମନ୍ତ୍ରୀ । ପ୍ରତିଟି ଓଡ଼ିଆ ଗର୍ବିତ ନିଶ୍ଚୟ । ସାଢେ ଚାରିକୋଟି ଓଡ଼ିଆ ତାଙ୍କଠାରୁ ଅଧିକ ଆଶା କରିବା ମଧ୍ୟ ସ୍ୱାଭାବିକ । ସେ ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଥିବା ବେଳେ ଓଡ଼ିଶାରେ ଯେପରି ଉନ୍ନତି କରିଛନ୍ତି ଶିକ୍ଷା କ୍ଷେତ୍ରରେ ତା’ଠାରୁ ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା ଓ ବିଶ୍ୱାସ ।

 

Leave a Reply

Your email address will not be published. Required fields are marked *