ପ୍ରଣାମ ବାପୁ,
ଆପଣଙ୍କ ଜୟନ୍ତୀରେ ମୋ ମନର କିଛି କଥା ଓ ବ୍ୟଥା ଆପଣଙ୍କ ସହ ବାଣ୍ଟିବାକୁ ଚାହୁଁଛି । ସେଥିପାଇଁ ଏହି ଚିଠି ଲେଖିଲି । ଦେଶ ଆଜିର ଦିନକୁ ଜାତିର ପିତାଙ୍କ ଜୟନ୍ତୀ ଭାବେ ପାଳନ କରୁଛି । ସମଗ୍ର ବିଶ୍ୱ ଆପଣଙ୍କୁ ଅହିଂସାର ପୂଜାରୀ, ମହାନ ରାଜନୈତିକ କ୍ରାନ୍ତିକାରୀ ଭାବେ ସ୍ମରଣ କରୁଛି । କିନ୍ତୁ ମୋ ନଜରରେ ଏହା ସହ ଆପଣ ଜଣେ ସର୍ବକାଳୀନ ଶ୍ରେଷ୍ଠ ସାମ୍ବାଦିକ । ତେଣୁ ମୁଁ ଭାବୁଛି, ଆପଣ ଆଜି ନାହାନ୍ତି, ବୋଧହୁଏ ଭଲ ହୋଇଛି । ଥିଲେ, ଦୁଃଖରେ ଭାଙ୍ଗି ପଡ଼ିଥାନ୍ତେ । ମିଡିଆର କାର୍ଯ୍ୟକଳାପ ଦେଖି ବାରମ୍ବାର ଆମରଣ ଅନଶନରେ ହିଁ ବସିଥାନ୍ତେ । ଏ ଦେଶରେ ମିଡିଆର ପରିଭାଷା ବଦଳିଯାଇଛି । ଆପଣ ସର୍ବଦା ସତ୍ୟ ଓ ତଥ୍ୟଭିତ୍ତିକ ସାମ୍ବାଦିକତା କଥା କହୁଥିଲେ । କିନ୍ତୁ ମିଡିଆରେ ଏବେ ମେଞ୍ଚା ମେଞ୍ଚା ମିଛ ସାମ୍ବାଦିକତାର ଆଧାର ପାଲଟିଛି । ସାମ୍ବାଦିକତା ନାଁରେ ଚାଲିଥିବା ଡ୍ରାମା ବି ଆପଣଙ୍କୁ ବ୍ୟଥିତ କରିଥାନ୍ତା । କରୋନା ପ୍ରଭାବରେ ଦେଶର ଆର୍ଥିକ ସ୍ଥିତି, ଲୋକଙ୍କ ଜୀବନଜୀବିକା ଭଳି ସମସ୍ୟା ଓ ପ୍ରସଙ୍ଗ ଆମ ଆଗରେ ରହିଛି । କିନ୍ତୁ ମିଡିଆ ପାଇଁ ଦୀପିକା ପାଦୁକୋନଙ୍କ ହ୍ୱାଟ୍ସଆପ୍ ଚାଟ୍, ବଲିଉଡରେ ଡ୍ରଗ୍ସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଯାହା ଉପରେ ମାସ ମାସ ଧରି ଲଗାତର ଡିବେଟ୍ ଚାଲିଛି ।
ଦିଲ୍ଲୀ ନିର୍ଭୟା ଓ ହାଥରସ ନିର୍ଭୟା ଭିତରେ ଏତେ ପାତରଅନ୍ତର କାହିଁକି? ସେ ସମୟରେ ଶାସକ ଦଳ ଉପରେ ଅଙ୍ଗୁଳି ଉଠିଥିଲା । କିନ୍ତୁ ଏବେ ସେଠାକାର ସରକାରଙ୍କୁ ଯେମିତି କ୍ଲିନଚିଟ୍ । ସବୁ ମିଡିଆର ଖେଳ । ସତ୍ତା ବିରୋଧରେ ମୁହଁ ଖୋଲିବା ବି ସ୍ୱାର୍ଥ, ସତ୍ତା ସହ ସାଲିସ ପଛରେ ବି ସ୍ୱାର୍ଥ । ଏହା ହିଁ ଆଜିର ମିଡିଆ । ବାପୁ, ଆଜି ଯଦି ଆପଣ ଥାଆନ୍ତେ, ଏ ସବୁ ଦେଖୁଥାନ୍ତେ, କ’ଣ ଅନୁଭବ କରୁଥାନ୍ତେ ଜାଣିନି । ଆପଣ ଯୁକ୍ତି କରୁଥିଲେ, ଦୋଷ ଓ ଦୁର୍ନୀତିର ପର୍ଦ୍ଦାଫାସ ହିଁ ମିଡିଆର ମୂଳ ଲକ୍ଷ୍ୟ । ହାଥରସ ଘଟଣାରେ ସତ୍ତା ପକ୍ଷକୁ ପ୍ରଶ୍ନ ପଚାରିବା ବଦଳରେ ଜାତୀୟ ମିଡିଆର ଜଣେ ବଡ଼ ଟିଭି ଜର୍ଣ୍ଣାଲିଷ୍ଟ ବିରୋଧୀଙ୍କୁ ରାଜସ୍ଥାନର ଆଉ ଏକ ବଳାତ୍କାର ଉପରେ ପ୍ରଶ୍ନ ପଚାରୁଛନ୍ତି । ବାପୁ, ଚାଟୁକାରିତା କେଉଁ ସ୍ତରକୁ ଗଲାଣି ଆପଣ ଦେଖନ୍ତୁ । ସତ୍ତା ପକ୍ଷକୁ ବଞ୍ଚାଇବା ପାଇଁ ହାଥରସ ଦୁଷ୍କର୍ମ ଘଟଣାକୁ ଗୁରୁତ୍ୱହୀନ କରି ‘ଅଯୋଧ୍ୟା ପରେ କାଶୀ’ ପ୍ରସଙ୍ଗ ଉଠାଉଛି ଆଉ ଗୋଟିଏ ବଡ଼ ଜାତୀୟ ଗଣମାଧ୍ୟମ । ‘ପୁଛତା ହୈ ଭାରତ’ କହୁଥିବା ଆଉ ଗୋଟିଏ ମିଡିଆ ଏବେ ବି ଅଭିନେତ୍ରୀମାନଙ୍କ ହ୍ୱାଟ୍ସଆପ୍ ଚାଟ୍ ପାଖରେ ଅଟକି ରହିଛି । ଇଣ୍ଡିଆ କ’ଣ ଜାଣିବାକୁ ଚାହୁଁନି (India wants to know) ହାଥରସ ଘଟଣାରେ ପରିବାରର ବିନା ସମ୍ମତିରେ ପୋଲିସ କେମିତି ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିବାର ସାହସ କଲା ? ଏହା ଅର୍ଥ ଏହା ନୁହେଁ କି, ରାଜନୈତିକ ସମୀକରଣ ଆଧାରରେ ମିଡିଆ ନିଷ୍ପତ୍ତି ନେଉଛି ଯେ ଭାରତ କ’ଣ ଜାଣିବାକୁ ଚାହେଁ ?
ବାପୁ, ଆପଣ ଯେତେବେଳେ ସାମ୍ବାଦିକତା କରୁଥିଲେ, ବିଦେଶୀ ଶାସକଙ୍କ ଅତ୍ୟାଚାର ଥିଲା । ଆପଣଙ୍କ ଭଳି ଅନେକ ମହାନ ସାମ୍ବାଦିକ କିନ୍ତୁ ନଇଁ ନ ଯାଇ ସବୁ ଜୁଲମ ସହି ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦାକୁ ବଜାୟ ରଖିଥିଲେ । ଆପଣ କହୁଥିଲେ ପ୍ରେସ୍ ସ୍ୱାଧୀନତା ଏକ ବହୁମୂଲ୍ୟ ବିଶେଷାଧିକାର । କୌଣସି ଦେଶ ଏଥିରୁ ପଛକୁ ହଟିପାରିବ ନାହିଁ । ବିନା ଭୟରେ ସତ୍ୟର ଉଦଘାଟନ କଥା ଆପଣ ଶିଖାଇଛନ୍ତି । ସାହସର ସହ ସତ୍ତା ପକ୍ଷକୁ ପ୍ରଶ୍ନ ପଚାରିବା ହିଁ ସାମ୍ବାଦିକତା ବୋଲି କହିଛନ୍ତି । ତେଣୁ ଆପଣ ନିଶ୍ଚୟ ଭାବିଥିବେ ସ୍ୱାଧୀନ ଭାରତରେ ମିଡିଆର ସ୍ୱାଧୀନତା ଅଧିକ ବଢ଼ିବ । ହେଲେ ୧୯୭୫ ଜରୁରୀକାଳୀନ ପରିସ୍ଥିତିରେ ମିଡିଆ ଯେଉଁଭଳି ସରକାରୀ ଚାପରେ ଗୁରୁଣ୍ଡିବାକୁ ଲାଗିଲା ତାହା ଭାବିଲେ ଲାଜ ଲାଗୁଛି । ବନ୍ଧୁକ ଆଗରେ କଲମର ଦୁର୍ବଳତା ଆଜି ବି ସରିନାହିଁ, ତାହା ଆହୁରି ଲଜ୍ଜାର କଥା ।
ବାପୁ, ତେବେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପରେ ଏକ ଜାତୀୟ ଖବରକାଗଜର ପ୍ରଥମ ପୃଷ୍ଠାରେ ଗୋଟିଏ ଗଧର ଫଟୋ ଓ କିଛି ଲେଖା ମୋତେ ବିଶେଷ ଆକର୍ଷିତ କରିଛି । ଚାଟୁକାରିତା ସାମ୍ବାଦିକତାକୁ ନେଇ ମୋ ମନରେ ଥିବା ଅନେକ ଶଙ୍କାକୁ ଦୂର କରି ଦମ୍ଭ ଭରିଛି । ମୁଁ ଭାବୁଛି ଏବେ ବି ସବୁକିଛି ଶେଷ ହୋଇନି । ମିଡିଆ ବଞ୍ଚିଛି । ଆଗକୁ ବି ବଞ୍ଚିବ । ବାପୁ, ଆପଣ ସାମ୍ବାଦିକତାକୁ ନେଇ ଯାହା ଯାହା କହିଛନ୍ତି, ସେଥିରୁ ଗୋଟିଏ କଥା ମୋତେ ଗଭୀର ପ୍ରଭାବିତ କରିଛି । ସେବା ହିଁ ଜଣେ ସାମ୍ବାଦିକର ବ୍ରତ ହେବା ଉଚିତ । ତେଣୁ ଆପଣଙ୍କ ଜନ୍ମଦିନରେ ମୁଁ ଭରସା ଦେବାକୁ ଚାହୁଁଛି, ‘ବଡ଼ ଖବର’ ଟିଭି ଚ୍ୟାନେଲ ଲୋକଙ୍କ ସେବା କରିବ, ଲୋକଙ୍କ ପାଇଁ ଛିଡ଼ା ହେବ । ଲୋକଙ୍କ ପାଇଁ ସତ୍ତା ପକ୍ଷକୁ ପ୍ରଶ୍ନ କରିବ । ଅନ୍ଧକାର ଯେତେ ବହଳ ହୋଇଥାଉ ନା କାହିଁକି, ‘ବଡ଼ ଖବର’ କେବେ ବି ସତ୍ୟ ପଥରୁ ହଟିବ ନାହିଁ । ବାପୁ, ଆପଣ ଯେଉଁଠି ଅଛନ୍ତି, ଭଲରେ ଥା’ନ୍ତୁ । ଆମକୁ ଆଶୀର୍ବାଦ କରୁଥାନ୍ତୁ ।
।। ଇତି ।।
ଆପଣଙ୍କ ଗୁଣମୁଗ୍ଧ
ଅର୍ଦ୍ଧେନ୍ଦୁ ଦାସ (ସାମ୍ବାଦିକ)