ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ରେ ଅଶ୍ଲୀଳ ଫିଲ୍ମ । ଅଶ୍ଳୀଳ ଚଳଚିତ୍ର ନିର୍ମାଣ କରି ବିବାଦୀୟ ହୋଇଛନ୍ତି ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ସ୍ଵାମୀ । ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସହ ଓଡ଼ିଶାର ଲିଙ୍କ୍ ଥିବା ଜଣା ପଡ଼ିଛି । ରାଜକୁନ୍ଦ୍ରାଙ୍କ ପ୍ରଡକ୍ସନରେ କାମ କରୁଥିଲେ ଜଣେ ଓଡ଼ିଆ ହିରୋ ସେକ୍ସପିୟର ତ୍ରିପାଠୀ । ସେ ରାଜ୍ କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ତଥା ହଟସ୍ପଟ୍ ଓଟିଟି ପ୍ଲାଟଫର୍ମ ପାଇଁ ନିର୍ମିତ କେତେକ ଫିଲ୍ମରେ ଅଭିନୟ କରିଛନ୍ତି । ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ହଟସ୍ପଟ୍ରେ ଏହାକୁ ଅପଲୋଡ୍ ଅଭିଯୋଗକୁ ନେଇ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତ୍ରୀ ଓ ମଡେଲମାନଙ୍କୁ ଯୋର ଜବରଦସ୍ତ ନଗ୍ନ ସିନ୍ କରିବାକୁ ବାଧ୍ୟ କରିବା ନେଇ ଏକ ମାମଲାର ଖୋଳତାଡ଼ ସମୟରେ ରାଜ କୁନ୍ଦ୍ରାଙ୍କ କଳା କାରନାମା ପଦାକୁ ଆସିଛି।

ଆଉ ଏହି ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ତ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ସେକ୍ସପିୟରଙ୍କ କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର। ହଟ୍ସ୍ପଟ୍ ଆପ୍ ପାଇଁ ନିର୍ମିତ ଫିଲ୍ମ ପେଜ୍-ଥ୍ରୀ ଓ ସୁରତାଲରେ କୌଣସି ଅଶ୍ଲୀଳ ଦୃଶ୍ୟ ନଥିବା ସେ ସଫେଇ ମଧ୍ୟ ଦେଇଛନ୍ତି । ବେଆଇନ୍ କାମ ପାଇଁ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସ୍କାନରକୁ ଆସିବା ପରେ, ସେ ଚକିତ ଓ ମର୍ମାହତ ଥିବା କହିଛନ୍ତି ସେକ୍ସପିୟର ।

ପ୍ରଶ୍ନ ଉଠୁଛି ଅଭିନୟକୁ କ୍ୟାରିୟର କରିବାକୁ ମୁମ୍ବାଇ ସଂଘର୍ଷ କରୁଥିବା ଓଡ଼ିଆ କଳାକାର ସେକ୍ସପିୟର କୁନ୍ଦ୍ରାଙ୍କ ସଂସ୍ପର୍ଶରେ ଆସିଲେ କେମିତି? କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ସେକ୍ସପିୟର ଜାଣିଥିଲେ ନା ନାହିଁ ? ଏହାର ଯବାବରେ ସେକ୍ସପିୟର କହିଛନ୍ତି, ରାଜ୍ କୁନ୍ଦ୍ରା ବଲିଉ଼ଡର ଏକ ଜଣାଶୁଣା ନାଁ। ଲକଡାଉନ୍ ସମୟରେ ହାତରେ କାମ ନଥିଲା। ଭଲ ବ୍ୟାନର ଆଉ ଭଲ ଅଫର ଭାବି କାମ କରିଥିଲି । ଏସବୁ ଆଗରୁ ଜାଣିନଥିଲି ବୋଲି କହିଛନ୍ତି ସେକ୍ସପିୟର ।

ଏପଟେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ପ୍ରସାରଣ ମାମଲାରେ ଛାନଭିନ୍ ଜାରି ରଖିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ୍। ମାମଲାରେ ପୂର୍ବରୁ ଗିରଫ ହୋଇ ଜାମିନ୍ରେ ଥିବା ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ସମନ କରିଛି କ୍ରାଇମବ୍ରାଞ୍ଚ। କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ ୬ ଘଣ୍ଟାର ମାରାଥନ ଜେରା ବି କରାଯାଇଛି । କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ଥିବା ଶିଳ୍ପା କାହିଁକି ଇସ୍ତଫା ଦେଇଥିଲେ, ଉଭୟଙ୍କ ଜଏଣ୍ଟ ଆକାଉଣ୍ଟ ସହ ପର୍ଣ୍ଣ ଫିଲ୍ମର ଆୟର ଲିଙ୍କ୍ ରହିଛି କି ନାହିଁ ସେ ଦିଗର ବି ଖୋଳତାଡ଼ ଚାଲିଛି। ଅର୍ଥ ତୋଷାରପାତ ଓ ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ଅଭିଯୋଗରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିବାକୁ ଯାଉଥିବାରୁ ତାଙ୍କ ପାଇଁ ଅଡୁଆ ଦ୍ୱିଗୁଣିତ ହୋଇଛି।

୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି। ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ୟ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ହାସଲ କରିଛି ।ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି । ଏହାର ସତ୍ୟାସତ୍ୟ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *