ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶନିବାର, ରବିବାର ଭୁବନେଶ୍ୱର କ୍ଲବ୍ ଭୋଟ୍ । ଦୁଇ ଦିନ ଧରି ଏହି ସଂଭ୍ରାନ୍ତ କ୍ଲବ ପାଇଁ ଭୋଟ ପଡୁଛି । ତେବେ ସବୁଠୁ ଚର୍ଚ୍ଚାରେ ଥିବା ସଭାପତି ଆସନ ପାଇଁ ଲଢେଇ ଜୋରଦାର ହେଉଛି । ବିଜୟ ଏବଂ ଅସିତଙ୍କ ଲଢେଇକୁ ନେଇ ସାଧାରଣରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବିଜୟ ଅବସର ନେବା ପରେ ବର୍ତ୍ତମାନ କୌଣସି ପଦପଦବୀରେ ନାହାନ୍ତି । କିନ୍ତୁ, ଅସିତ ତ୍ରିପାଠୀ ଚିଫ୍ ସେକ୍ରେଟାରୀ ପଦରୁ ଅବସର ନେଇଥିଲେ ବି ସରକାରଙ୍କ ବଡ ବଡ ପଦପଦବୀରେ ଅଛନ୍ତି । ଯାହାକୁ ନେଇ ଲୋକଙ୍କ ପ୍ରଶ୍ନ ରହିଛି ଅସିତ ଏତେ ସବୁ ଦାୟିତ୍ୱ ଭିତରେ ଗୋଟେ କ୍ଲବର ସଭାପତି ପାଇଁ କାହିଁକି ମନ ବଳାଉଛନ୍ତି । ସେଥିପାଇଁ ସମୟ ଖର୍ଚ୍ଚ କରିବାକୁ ଆଗଭର କାହିଁକି ହେଉଛନ୍ତି ? ଏବେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ରହିଛନ୍ତି । ଏଭଳି କ୍ଷେତ୍ରରେ କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ସରକାରୀ ନିୟମ କିମ୍ବା କ୍ଲବର ନିୟମ ଅନୁସାରେ କୌଣସି ବାଧା ନ ଥିଲେ ବି ନୈତିକତା ଦୃଷ୍ଟି କୋଣ, କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ଆଂଗଲରୁ ଦେଖିଲେ ସରକାରଙ୍କ ଏହି ପ୍ରମୁଖ ଅଫିସର ଏହି କ୍ଲବ ରାଜନୀତିରେ ନିଜକୁ ପ୍ରୋଜେକ୍ଟ କରିବା କେତେଦୂର ଠିକ୍? ପଶ୍ଚିମାଞ୍ଚଳ ବିକାଶର ଦାୟିତ୍ୱ ତାଙ୍କ ଉପରେ । ମୁଖ୍ୟମନ୍ତ୍ରୀଙ୍କୁ ବି ପରାମର୍ଶ ଦେଉଛନ୍ତି ରାଜ୍ୟ ପାଇଁ । ସେତେବେଳେ ଗୋଟେ କ୍ଲବର ସଭାପତି ପାଇଁ ସମୟ ଦେବା, ସଭାପତି ହେବା ପରେ କ୍ଲବ ପାଇଁ ସମୟ ବ୍ୟୟର କଥା କହିବା ଠିକ୍ ଲାଗୁନାହିଁ । ସବୁବେଳେ ଅଭିଯୋଗ ହେଉଛି ପଶ୍ଚିମ ଓଡ଼ିଶାର ବିକାଶ ହେଉନାହିଁ । ତେବେ ଅସିତ ଏହି ସମୟ ପଶ୍ଚିମ ଓଡିଶା ବିକାଶରେ ଖର୍ଚ୍ଚ କରିବା ଉଚିତ୍ ବୋଲି ସାଧାରଣ ଲୋକେ ମତ ଦେଉଛନ୍ତି । ସଂପୂର୍ଣ୍ଣ ଅବସର ନେବା ପରେ କ୍ଲବ ରାଜନୀତିରେ ସାମିଲ ହେବାରେ କାହାରି ଆପତ୍ତି ନାହିଁ କିନ୍ତୁ, ଦୁଇ ଦୁଇଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କ୍ଲବର ସଭାପତି ଭାବେ ସେ ରାଜନେତାଙ୍କ ଭଳି ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା କେତେ ଯୁକ୍ତିଯୁକ୍ତ । ତାକୁ ପୂରା କରିବାକୁ ସମୟ ଦେବେ କହୁଛନ୍ତି, ତାହା ତାଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ସରକାରୀ ପଦବୀରେ ଥିବା ଲୋକ ପାଇଁ କେତେଦୂର ସମ୍ଭବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ।