ଅନୁଗୁଳ (ବଡ଼ ଖବର ବ୍ୟୁରୋ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାନ ଗାନ୍ଧିବାଦୀ ନେତା ଚିରନମସ୍ୟ ନବକୃଷ୍ଣ ଚୌଧୁରୀଙ୍କୁ ଅପମାନ ପରେ ଅପମାନ ଦେବା ପରେ ଏବେ ପ୍ରଶାସନ ପ୍ରତିମୂର୍ତ୍ତି ହଟାଇନେବାକୁ ବାଧ୍ୟ ହୋଇଛି । ଅନୁଗୁଳ ଗୋପବନ୍ଧୁ ପାର୍କରେ ନବ ବାବୁଙ୍କ ସାର୍ଟ ପ୍ୟାଣ୍ଟ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା । ଜୀବନସାରା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବବାବୁ ଅତ୍ୟନ୍ତ ସାଧାସିଧା, ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ ।
ଖଦି ଧୋତି ପିନ୍ଧୁଥିଲେ । ତେଣୁ ନବ ବାବୁଙ୍କୁ ବିଲାତି ପୋଷାକ ପିନ୍ଧାଯିବାକୁ ନେଇ ବିରୋଧ ହୋଇଥିଲା । ପରେ ନୂଆ ନିର୍ମାଣ ବଦଳରେ ପ୍ରଶାସନ ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି କରିବା ପାଇଁ ଚେଷ୍ଟା କରିଥିଲା । ଧୋତି ମଧ୍ୟ ଅତ୍ୟନ୍ତ ବିକୃତ ଦିଶୁଥିଲା । ତାହା ଧୋତି ଭଳି ଦିଶୁନଥିଲା । ତାହା ଆଉ ଏକ ନୂଆ ବିବାଦକୁ ଜନ୍ମ ଦେଇଥିଲା । ଏହି ବିବାଦ ପରେ ଏବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ପ୍ରଶାସନ ବାଧ୍ୟ ହୋଇ ପ୍ରତିମୂର୍ତ୍ତି ହଟାଇଛି ।
ଏବେ ପ୍ରଶ୍ନ ଉଠୁଛି ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାପୁରୁଷଙ୍କୁ ସମ୍ମାନ ବଦଳରେ ଏଭଳି ବାରମ୍ବାର ଅପମାନ କାହିଁକି? ପୂର୍ବରୁ ଅନୁଗୁଳ ଜିଲ୍ଲାପାଳଙ୍କ ସଭା ପ୍ରକୋଷ୍ଠରୁ ନବବାବୁଙ୍କ ଫଟୋଚିତ୍ରକୁ ହଟାଇ ଦିଆଯାଇଥିଲା । ବହୁ ବିବାଦ ପରେ ପୁଣି ସ୍ଥାନିତ ହୋଇଥିଲା । ସେପଟେ ତାଙ୍କ ଭଙ୍ଗା ଘର ତାଙ୍କ ସ୍ମୃତି ନଷ୍ଟ ହେବାକୁ ବସିଲାଣି । ଏବେ ତାଙ୍କ ପ୍ରତିମୂର୍ତ୍ତିକୁ ଯେଉଁଭଳି ଭାବେ ଅପମାନିତ କରାଗଲା ତାହା ଏକ ନୂଆ ବିବାଦକୁ ଜନ୍ମ ଦେଇଛି ।
ଆମେ ପୂଜ୍ୟପୂଜା ସଂସ୍କୃତିକୁ ଭୁଲିଯାଉଛେ କି? ଆମେ ଆମ ପୂର୍ବଜମାନଙ୍କୁ ସମ୍ମାନ ଦେଇପାରୁନେ କି? ନବକୃଷ୍ଣ ଚୌଧୁରୀଙ୍କ ପରିବାରର ଅବଦାନ ସାରା ବିଶ୍ୱରେ ବିରଳ । ତାଙ୍କ ଭଳି ତ୍ୟାଗୀ ମଣିଷ ସାରା ଭାରତ ବର୍ଷରେ ନାହିଁ କହିଲେ ଚଳେ । ଏଭଳି ପୂଣ୍ୟାତ୍ମାଙ୍କୁ ଯେଉଁ ଭଳି ବାରମ୍ବାର ଅପମାନିତ କରାଯାଉଛି ଏହା ପଛରେ କାହାର ମନ୍ଦ ଉଦ୍ଦେଶ୍ୟ ରହିଛି ଓ ସେ କେବେ ଦଣ୍ଡିତ ହେବ ତାହା ଏବେ ଦେଖିବାର ବିଷୟ ।
ନବ ବାବୁଙ୍କ ଅପମାନକୁ ନେଇ ଅନେକ ବୁଦ୍ଧିଜୀବୀ, ସାଧାରଣ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରିକି ନବକୃଷ୍ଣ ଚୌଧୁରୀଙ୍କ ଝିଅ ଗାନ୍ଧିବାଦୀ କ୍ରିଷ୍ଣା ମହାନ୍ତି ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନବବାବୁଙ୍କ ସହିତ ଯେଉଁଭଳି ଅଶୋଭନୀୟ କାର୍ଯ୍ୟ କରାଯାଉଛି ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି ।
ନବବାବୁଙ୍କୁ ଉଚିତ୍ ସମ୍ମାନ ଦେଇନପାରିବା ନିଶ୍ଚିତ ରୂପେ ଏକ ଲଜ୍ଜାର ବିଷୟ । ଏ ଜାତି ତାଙ୍କ ଭଳି ପୂଣ୍ୟାତ୍ମାଙ୍କୁ ସମ୍ମାନ ଦେଇନପାରିବା ଘୋର ନିନ୍ଦାର ବିଷୟ । ନବକୃଷ୍ଣ ଚୌଧୁରୀଙ୍କ ପରିଚୟ କେବଳ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ । ଭୂ-ଦାନ ଆନ୍ଦୋଳନରେ ତାଙ୍କ ପରିବାର ସର୍ବସ୍ୱ ଦାନ କରିଦେଇଥିଲେ । ତାଙ୍କ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ କଥା କୁହନ୍ତୁ ଅବା ତାଙ୍କ ପତ୍ନୀ ମାଳତୀ ଦେବୀଙ୍କ କଥା କୁହନ୍ତୁ କିମ୍ବା ତାଙ୍କ ପରପିଢି ସମସ୍ତେ ଏ ରାଜ୍ୟ ଓ ଦେଶର ବିକାଶ ପାଇଁ ନିଜକୁ ସମର୍ପିତ କରି ଦେଇଥିଲେ । ନବବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ନିରାଡ଼ମ୍ବର ଜୀବନଚର୍ଯ୍ୟା ପାଇଁ ଚର୍ଚ୍ଚିତ ଥିଲେ ।
କେବେବି ମୁଖ୍ୟମନ୍ତ୍ରୀ ହେବାର ଅହଂକାର ତାଙ୍କୁ ସ୍ପର୍ଶ କରି ପାରିନଥିଲା । ଭାଷା, ଆଇନ, ନିଶା ନିବାରଣ ଆଇନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନେଇଥିଲେ । କେବେ ବି କ୍ଷମତାର ଗର୍ବ ତାଙ୍କୁ ଛୁଇଁ ପାରିନଥିଲା । ସେ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ ମାତ୍ର ଗୋଟିଏ ପେଟିରେ ତାଙ୍କର ସବୁ ଜିନିଷ ଭର୍ତ୍ତି କରି ଟ୍ରେନରେ ଅନୁଗୁଳ ବାଜି ଛାତ୍ରାବାସକୁ ଚାଲିଯାଇଥିଲେ । ଏଭଳି ଜଣେ ମହାପୁରୁଷଙ୍କୁ ଏ ଜାତି କେବେବି ଉଚିତ୍ ସମ୍ମାନ ଦେଇପାରିନାହିଁ ।