ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ଜିବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କୋଲାବିରା ବ୍ଲକ ଝିଲିପାଲି ପଞ୍ଚାୟତରେ ଅନୁଷ୍ଠିତ ଜନସମାବେଶରେ ସେ ଯୋଗ ଦେଇ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଥିଲେ । ଧର୍ମେନ୍ଦ୍ର କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ପାଖରୁ ଜାଣିଛି, ଲମ୍ବା ସମୟ ଦେଖିବା ପରେ ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି । ତାଙ୍କ ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ, ଡିଜିପି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି । ଏଠାରେ ଶାସନ କିଏ ଚଲାଉଛି ? ଓଡ଼ିଶାକୁ ଭୂଲୁଣ୍ଠିତ କରିବାର ଷଡଯନ୍ତ୍ର କରାଯାଉଛି ।
ଶିଳ୍ପ ସମୃଦ୍ଧ ଝାରସୁଗୁଡାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାନପଡିବା ଏବଂ ନାବଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଓ ହତ୍ୟା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନ ରଖିବା ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି । ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି । କଳାପାହାଡିଆମାନେ ଓଡ଼ିଶାର ଯୁବକ, ସ୍ୱାର୍ଥ ଓ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।
ମଙ୍ଗଲ ବଜାରରେ ଯେଉଁମାନେ ପ୍ରଶାସନର ଉପସ୍ଥିତିରେ ଗଣ୍ଡଗୋଳ କଲେ ସେମାନଙ୍କ ସମ୍ପର୍କ ସମ୍ବଲପୁରର ଦଙ୍ଗାକାରୀଙ୍କ ସହ ଅଛି । ବରଗଡ଼ ଭଟଲୀ ଅଞ୍ଚଳର ରାଜା ଖାଁ ସହ ସମ୍ପର୍କ ଅଛି । ଯେଉଁମାନେ ପାକିସ୍ତାନର ଭାଷା କହୁଛନ୍ତି, ସେହି ଅସାମାଜିକ ତତ୍ତ୍ୱମାନେ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମଙ୍ଗଳ ବଜାରରେ ଅଟକାଇବାର ଷଡଯନ୍ତ୍ର କରିଥିଲେ ।
ଆଜି ଅସମାଜିକ ତତ୍ତ୍ୱମାନେ ଓଡ଼ିଶାରେ ଆସି ରହୁଛନ୍ତି । ଗୁଡ୍ଡୁ ମୁସଲିମ କାହା ସାହସରେ ଏଠାରେ ଲୁଚିଲା ? ରାଜା ଖାନ କିଏ ? ରାଜ ଖାନର ବ୍ୟବସାୟିକ ସମ୍ପର୍କ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ସହ ଥିବା ଖବର ଆସୁଛି । ଏହା ଆଜିର ପ୍ରସଙ୍ଗ ହୋଇଛି ।
ଝାରସୁଗୁଡା ହେଉଛି ପଛୁଆ ଓ ଜନଜାତି ବହୁଳ ଅଞ୍ଚଳ । ଟ୍ରାଇବାଲ ଆଡଭାଇଜରୀ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି । ମାତ୍ର ଜନଜାତିଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ୫ ବର୍ଷରେ ଏହି କମିଟିର ଅଧ୍ୟକ୍ଷତା ସେ କରିଛନ୍ତି କି ? ରାଜ୍ୟ ସରକାର ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ତଥା ଶିକ୍ଷା ଓ ଚାକିରିରେ ସଂରକ୍ଷଣ ନ ଦେଇ ସର୍ଭେ କରିବାର ପ୍ରହସନ କରୁଛନ୍ତି ।
ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ପାଉଁଶ କାରଣରୁ ପ୍ରଦୂଷଣ ସମସ୍ୟା,ଏଲ ଏନ କଲେଜକୁ ସରକାରୀ ମାନ୍ୟତା, ଡିଏମଏଫ ପାଣ୍ଠିର ଦୁରୂପଯୋଗ, ଯୁବକଙ୍କୁ ରୋଜଗାର, ଦୁର୍ନୀତି, ଶିଳ୍ପ ଅଞ୍ଚଳରେ ପୁଞ୍ଜିନିବେଶ ସହ ଶାନ୍ତି ବଜାୟ ରଖିବା ଆଜି ଝାରସୁଗୁଡାର ଉପନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି।