ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତତଲା ତାୱାରେ ସିଜୁଛି ଓଡ଼ିଶା । ଅସହ୍ୟ ତାତିରେ କଲବଲ ଲୋକେ । ଗରମରୁ ମିଳୁନି ନିସ୍ତାର । ଆଗକୁ ଆହୁରି ହେବ ଗରମ । ଯାହାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୪ ଯାଏଁ ଗରମରୁ ନିସ୍ତାର ମିଳିବ ନାହିଁ । ସେପଟେ ଆଗାମୀ ୪ଦିନରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ବୁଧବାର ଠାରୁ ତାପମାତ୍ରାରେ ହେବ ପରିବର୍ତ୍ତନ । ପଶ୍ଚିମା ଝଡ ପ୍ରଭାବରେ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ।
ଉତ୍ତର-ପଶ୍ଚିମ ଭାରତକୁ ପଶ୍ଚିମା ଝଡ଼ ପ୍ରଭାବିତ କରିବା ଫଳରେ ଓଡ଼ିଶାରେ ୨୪ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।