ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେଠୁ ସ୍ଥିତି ଉଷ୍ମ ହେଲାଣି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ଛକାପଞ୍ଝା ଜୋର ଧରିଲାଣି । ସବୁଠୁ ବେଶୀ ଲବି ହେଉଛି ବିଜୁ ଜନତା ଦଳ ଟିକଟ ପାଇଁ । ଅନେକ ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବ । ସେମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ଗୋପାଳପୁର ।
ଗୋପାଳପୁରରେ ୨୦୧୯ର ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି । ବିଜୁ ଜନତା ଦଳ ଟିକଟରୁ ଜିତିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ଦଳର ଶତ୍ରୁ ନମ୍ବର ଏକ । ପରିବର୍ତ୍ତିତ ପରିସ୍ଥିତିରେ ଜନ ବିରୋଧୀ ଅଭିଯୋଗ ଲଗାଇ ଦଳ ତାଙ୍କୁ ବହିଷ୍କାର କରିସାରିଛି । ବିଭିନ୍ନ ମାମଲାରେ ଛନ୍ଦି ହୋଇ ସେ ଜେଲ ଯାଇ ଜାମିନରେ ଫେରିଛନ୍ତି । ଗତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ପ୍ରଦୀପଙ୍କୁ ୬୧ହଜାର ୬୦୦ଭୋଟ ମିଳିଥିବା ବେଳେ ବିଜେପିର ବିଭୂତି ଭୂଷଣ ଜେନାଙ୍କୁ ୫୮ ହଜାର ୯୫୫ଭୋଟ ମିଳିଥିଲା । ଏବେ କିନ୍ତୁ ପ୍ରଦୀପ ଆଉ ବିଜେଡିରେ ନାହାନ୍ତି । ଚର୍ଚ୍ଚା ହେଉଛି ସେ ବିଜେପିରେ ମିଶିପାରନ୍ତି । ଏପଟେ ନିଜ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ବିଜେଡି ମଧ୍ୟ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ।
ପ୍ରଦୀପଙ୍କ ବିକଳ୍ପ ଭାବେ ଅବସରପ୍ରାପ୍ତ ପ୍ରଶାସକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ପ୍ରଥମେ ମୈଦାନକୁ ଓହ୍ଲାଇଥିବା ଚର୍ଚ୍ଚା ହେଲାଣି । ସେ ବୁଲି ବୁଲି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ । ଏପରି କି ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ମଙ୍ଗ ଧରିଲେ । ଅଚାନକ ପୁଣି ବିଜେଡିର ଆଉ ଜଣେ ନେତାଙ୍କର ହୋଇଛି ଗୋପାଳପୁର ପ୍ରବେଶ । ଗୋପବନ୍ଧୁ ଟିକେ ଧିମେଇ ଯାଇଛନ୍ତି, ସେ ନେତା ଜଣକ ପୁରା ସକ୍ରିୟ ହୋଇ ଉଠିଛନ୍ତି । ସେ ନେତା ହେଉଛନ୍ତି ଓଲିଉଡ ସୁପରଷ୍ଟାର ତଥା ବ୍ରହ୍ମପୁର ଲୋକସଭାରୁ ୨୦୦୯ ଓ ୨୦୧୪ରେ ବିଜେଡି ଟିକଟରୁ ଜିତିଥିବା ସିଦ୍ଧାନ୍ତ ମହାପାତ୍ର । ୨୦୧୯ରେ ସିଦ୍ଧାନ୍ତଙ୍କୁ ଟିକଟ ମିଳିନଥିଲା ।
ସେ ମନ ଉଣା କରିଥିଲେ ସତ, କିନ୍ତୁ ଅନ୍ୟ ଦଳକୁ ଯାଇନାହାନ୍ତି କି ପାର୍ଟି ବିରୋଧରେ କେବେ ମୁହଁ ଖୋଲି ନାହାନ୍ତି । ଏହାରି ଭିତରେ ବିଜେଡିର ନିର୍ବାଚନ ମଣ୍ଡଳୀୱାରୀ ସର୍ଭେ ହୋଇଛି । ତା’ର ଠିକ୍ ପରେ ପରେ ହୋଇଛି ଗୋପାଳପୁରରେ ସିଦ୍ଧାନ୍ତଙ୍କ ସକ୍ରିୟ ପ୍ରବେଶ । କୁହାଯାଉଛି ପାର୍ଟି ତରଫରୁ ଗୋପାଳପୁରରେ ସଂଗଠନ ବଢାଉବାକୁ ସିଦ୍ଧାନ୍ତଙ୍କୁ ନିଦେ୍ର୍ଦଶ ଯାଇଛି । ଲୋକସଭା ନିର୍ବାଚନ ସମୟରେ ସିଦ୍ଧାନ୍ତଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଭଲ ଭୋଟ ମିଳିଥିଲା ।
ସେଠାରେ ତାଙ୍କର ଭଲ ଲୋକପ୍ରିୟତା ଥିବା ମଧ୍ୟ ପାର୍ଟି ଅନୁଭବ କରିଛି । ଯଦି ପ୍ରଦୀପ ଓ ବିଜେପି ଏକାଠି ହୋଇଯାଆନ୍ତି, ତାହା ହେଲେ ବିଜେପି ପାଇଁ ସ୍ଥିତି ଅଡୁଆ ହୋଇଯାଇପାରେ । କାରଣ ସେଠାରେ ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ବେଶୀ ନୁହେଁ । ଏହା ସହ ପ୍ରଦୀପ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଓ ଗୋପାଳପୁରର ଅତି ଟାଣୁଆ ନେତା । ସେ ୨୦୦୯ରୁ ଲଗାତର ୩ର ବିଧାୟକ ହୋଇଛନ୍ତି । ମନ୍ତ୍ରୀ ମଧ୍ୟ ହୋଇଥିଲେ ।
ଏପରିକି ମୁଖ୍ରମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ବିଜେଡିର ଜିଲ୍ଳା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କର ନିଜସ୍ୱ ପ୍ରଭାବ ଓ ସଂଗଠନକୁ ବିଜେଡି କେବେ ଅଣଦେଖା କରିପାରିବ ନାହିଁ । ତେଣୁ ପ୍ରଦୀପଙ୍କ ବିକଳ୍ପ ଭାବେ କେବଳ ରାଜନେତା ନୁହେଁ, ଅଭିନେତାର ଟ୍ୟାଗ ରଖିଥିବା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରାଇପାରେ । ଏକଦା ଗୋପାଳପୁର କଂଗ୍ରେସର ଗଡ଼ ଥିଲା । ଘନଶ୍ୟାମ ବେହେରା ଲଗାତର ଏଠାରୁ ୩ଥର ବିଜୟୀ ହୋଇଥିଲେ ।
ପରେ ରାମଚନ୍ଦ୍ର ସେଠୀ କଂଗ୍ରେସ ଗଡ଼କୁ ଭାଙ୍ଗି ର ଜନତା ଦଳର ବାନା ଉଡାଇଥିଲେ । ୧୯୯୦ ଓ ୧୯୯୫ରେ ବିଜୁବାବୁଙ୍କ ସହଯୋଗୀ ଭାବେ ଜନତା ଦଳ ଓ ୨୦୦୦ରେ ନବୀନ ବାବୁଙ୍କ ସହଯୋଗୀ ଭାବେ ବିଜେଡି ଟିକଟରେ ବିଧାୟକ ହୋଇଥିଲେ । ତେବେ ୨୦୦୪ରେ ପୁଣିଥରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ହୋଇଥିଲା । ତ୍ରିନାଥ ବେହେରା ବାଜି ମାରିଥିଲେ । ୨୦୦୯ରୁ କିନ୍ତୁ ଲଗାତର ୩ଥର ଜିତି ଗୋପାଳପୁରକୁ ବିଜେଡି ଗଡ଼ରେ ପରିଣତ କରିଥିଲେ ପ୍ରଦୀପ ପାଣିଗ୍ରାହୀ ।
ପ୍ରଦୀପଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟିରୁ ଲଗାତର ୯ ଥର ଟିକେଟ ପାଇ ହାରିଛନ୍ତି ବିଭୂତି ଭୂଷଣ ଜେନା । କିନ୍ତୁ ପ୍ରତିଥର ତାଙ୍କ ଭୋଟ ହାର ବଢିଛି । ପରାଜୟ ବ୍ୟବଧାନ ମଧ୍ୟ କମିଛି । ବିଜେପି-ବିଜେଡି ମେଣ୍ଟ ଭାଙ୍ଗି ଯିବା ପରେ ୨୦୦୯ରେ ଉଭୟ ଦଳ ପ୍ରାର୍ଥୀ ଦେଇଥିଲେ । ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପାଇଥିଲେ ୩୭୬୧୨ ଭୋଟ । କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ୧୮୮୫୪, ସ୍ୱାଧୀନ ପ୍ରାର୍ଥୀ ଅନୁଜ ନାଏକ୧୪୬୭୯,ଭୋଟ ପାଇଥିଲେ । ତେବେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ମିଳିଥିଲା ମାତ୍ର ୧୩,୧୧୨ଭୋଟ ।
୨୦୧୪ରେ ୪ନମ୍ବରୁ ସିଧା ୨ନମ୍ବରେ ପହଞ୍ଚôଥିଲେ ବିଭୂତି । ପ୍ରଦୀପ ୫୫ହଜାର ୨୬୫ ଭୋଟ ପାଇଥିବା ବେଳେ ବିଭୂତି ୩୫ହଜାର ୧୫୩ ଭୋଟ ପାଇବାରେ ସକ୍ଷମ ହୋଇଥିଲେ । ୨୦୧୯ରେ ଏହି ବ୍ୟବଧାନ ମାତ୍ର ଥିଲା ୨୬୭୩ । ବିଭୂତି ଏବେ ବିଜେପି ଜିଲ୍ଳା ସଂଗଠନ ନେତୃତ୍ୱ ନେଉଛନ୍ତି । ୨୦୧୯ରେ ପୁଣି ଲଢିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯଦି ପ୍ରଦୀପ ବିଜେପି ମୁହାଁ ହୁଅନ୍ତି, ପଦ୍ମରୁ କିଏ ଲଢିବ ଗୋପାଳପୁର? ବିଭୂତି ନା ପ୍ରଦୀପ? ।
ତେବେ ଚର୍ଚ୍ଚା ଏୟା ବି ହେଉଛି ପ୍ରଦୀପ ବ୍ରହ୍ମପୁର ସାଂସଦ ପ୍ରାର୍ଥୀଭାବେ ଲଢିବେ । ବିଭୂତି ବିଧାୟକ ପ୍ରାର୍ଥୀ ଭାବେ ଲଢିବେ । ଗୋପାଳପୁର ନିର୍ବାଚନମଣ୍ଡଳୀ୨୦୧୯ ନିର୍ବାଚନ ଅନୁସାରେ ଗୋପାଳପୁର ବ୍ଲକ ଓ ଏନ୍ଏସି, ବ୍ରହ୍ମପୁରରୁ ମହାନଗର ନିଗମର ୩ଟି ୱାର୍ଟ ୨୫,୨୬, ୨୭, ରଙ୍ଗେଇଲୁଣ୍ଡା ବ୍ଲକ, କୁକୁଡାଖଣ୍ଡି ବ୍ଲକର ୪ ପଞ୍ଚାୟତକୁ ନେଇ ଗଠିତ । ଭୋଟର ସଂଖ୍ୟା ୧,୩୪, ୯୦୫ ।