3

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ସ୍ୱାଧୀନତା ପାଇବା ପାଇଁ ଅନେକ ବୀର ମାନଙ୍କୁ ଦେବାକୁ ପଡିଥିଲା ବଳିଦାନ । ଏଥି ସହ ଉତ୍କଳର ଅନେକ ବୀର ମଧ୍ୟ ନିଜ ଜନ୍ମଭୂମି ପାଇଁ ସହିଦ ହୋଇଥିଲେ । ଇତିହାସ ଆମକୁ ମନେପକାଇଦିଏ ଓଡିଆ ଜାତିର ଗାରିମାମୟ ଗାଥା, କେତେବେଳେ ବୀର ମାନଙ୍କୁ ନିଜ ଜନ୍ମ ମାଟି ପାଇଁ ବଳିଦାନ ଦେବାକୁ ପଡିଛି ତ କେତେବେଳେ ନିଜ ଶତ୍ରୁଙ୍କୁ ଜିବନରୁ ମାରିବାକୁ ମଧ୍ୟ ପଡିଛି । ଜନ୍ମଭୂମୀ ପାଇଁ ନିଜ ଜୀବନକୁ ବାଜି ଲଗାଇ ଫାସିଖୁଣ୍ଟରେ ଝୁଲିବାକୁ ମଧ୍ୟ ପଛାଇ ନଥିଲେ ବୀରମାନେ । ତେବେ ମୁଁ କହିବାକୁ ଯାଉଛି ଉତ୍କଳ ଜନନୀର ସେ ବୀର ପୁତ୍ର ସହିଦ ରଘୁ ଓ ଦିବାକରଙ୍କ କଥା । ଯେତେବେଳେ ଆମେ ଉତ୍କଳର ସ୍ୱାଧୀନତା ଆନ୍ଦୋଳନର ଇତିହାସ କଥା ଭାବୁ , ୧୯୩୮-୩୯ର ରଣପୁର ବିଦ୍ରୋହ କଥା ମନେପଡିଯାଏ । ଏହି ବିଦ୍ରୋହରେ ଦିବାକର ପରିଡା ଓ ରଘୁନାଥ ମହାନ୍ତି ଲୋକଙ୍କ ଅଧିକାର ପାଇଁ ନିଜ ଜିବନକୁ ମଧ୍ୟ ବଳି ପକାଇଦେଇଥିଲେ । ସେମାନେ ଭଗତ ସିଂ, ବାଘା ଯତୀନ ଏବଂ ଚନ୍ଦ୍ର ଶେଖର ଆଜାଦଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଅନୂପ୍ରାଣିତ ହୋଇଥିଲେ । ଯେଉଁମାନେ ଦେଶକୁ ଇଂଗ୍ର୍ରେଜମାନଙ୍କ କବଳରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଇନଥିଲେ ।

ଏହି ସ୍ୱାଧୀନତା ସଂଗ୍ରାମୀଙ୍କ କଥା ଜନତାଙ୍କ ଚେତନାକୁ ଜାଗ୍ରତ କରାଇଥିଲା ଫଳରେ ଏହି ବର୍ତ୍ତା ରାଜ୍ୟର କୋଣ ଅନୁକୋଣକୁ ବ୍ୟପିଗଲା । ଢେଙ୍କାନାଳ, ତାଳଚେର ଏବଂ ରଣପୁର ଭଳି ସାମ୍ରାଜ୍ୟର ବାସିନ୍ଦାମାନେ ନେତାଙ୍କ ଆହ୍ୱାନ ଗ୍ରହଣ କରିଆନ୍ଦୋଳନରେ ଯୋଗ ଦେଇଥିଲେ । ଅସଂଖ୍ୟ ଲୋକମେଳକୁ ଦମନ କରିବା, ଇଂଗ୍ରେଜ ଶାସକମାନଙ୍କ ପାଇଁ ଥିଲା ଅସମ୍ଭବ । ନୟାଗଡ ଜିଲ୍ଲାର ରଣପୁର, ଦେଶ ସ୍ୱାଧୀନତା ଆନ୍ଦୋଳନସମୟରେ ଏହା ଥିଲା ସେତେବେଳର ଗଡଜାତ ରାଜ୍ୟ । ୧୯୪୮ ଜାନୁୟାରୀ ୧ତାରିଖରେ ଏହା ସ୍ୱତନ୍ତ୍ର ଉକ୍ରଳ ସହ ସାମିଲ ଥିଲା । ତେବେ ଏହା ପୂବ ର୍ରୁ ବିଭିନ୍ନ ସମୟରେ ୧୨୨ ଜଣ ରାଜା ରଣପୁରଗଡରେ କରିଯାଇଛନ୍ତି ଶାସନ । ଗୋଟିଏ ପଟେ ଦେଶ ସ୍ୱାଧୀନ ପାଇଁ ସଂଗ୍ରାମ କରୁଥବା ବେଳେ ଅନ୍ୟପଟେ ୧୯୩୬ରେ ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ଏବଂ ଗଡଜାତ ରାଜ୍ୟରେ ବେଠୀ ବେଗାରୀ ଶୋଷଣ । ଏନେଇ ରଣପୁରରେ ଗଠନ ହେଲା ପ୍ରଜା ମଣ୍ଡଳ । ଏହାର ସଭାପତି ଥାନ୍ତି ବନମାଳୀ ରାମ, ସଂପାଦକ ଥାନ୍ତି ରଘୁନାଥ ମହାନ୍ତି, ସଂଗଠନ ସଂପାଦକ ଥାନ୍ତି ଦିବାକର ପରିଡା । ପ୍ରଜାମଣ୍ଡଳ ତରଫରୁ ଦେଶ ସ୍ୱାଧୀନ ସହ ପ୍ରଜାଙ୍କର ସ୍ୱାଧୀନ ଅଧିକାର, ବେଠି ଓ ମାଗଣ ଆଦି ଉଚ୍ଛେଦ ବ୍ୟବସ୍ଥା ଦାବୀ କରା ଯାଇଥିଲା । ପରେ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଲା ଏବଂ କିଛି ଲୋକଙ୍କୁ ବନ୍ଦି ବନେଇଦିଆଗଲା ।

ତେବେ ଆସନ୍ତୁ ଜାଣିବା ଇତିହାସର ଅଲିଭା ସ୍ୱାକ୍ଷର, ସହିଦ ରଘୁ ଓ ଦିବାକରଙ୍କ କଥା । ବିଦ୍ରୋହୀ ଦିବାକର ପରିଡ଼ା, ପିତା ବିଷୋୟୀ ସାମନ୍ତ ହରିହର ପରିଡ଼ା ଓ ମାତା ତାରା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ରଣପୁରର ଗଡ଼ବାଣିକିଲୋଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ବହୁ ଭୂସମ୍ପତିର ମାଲିକାନା ପାଇଥିବା ସତ୍ତ୍ୱେ, ସେ ରଣପୁର ରାଜାଙ୍କ ପ୍ରିଣ୍ଟିଂ ପ୍ରେସରେ ଚାକିରି କରୁଥିଲେ । ଦିବାକର ଜଣେ କବି ଓ ଜ୍ୟୋତିଷ ଶାସ୍ତ୍ର ବିଶାରଦ ମଧ୍ୟ ଥିଲେ । ଶ୍ରୀ ଶ୍ରୀ ଆର୍ତେଶ୍ୱର ଦେବଙ୍କ ଜଣାଣ, ଏବଂ ଜାତକାଳଙ୍କାର ନାମରେ ସେ ଦୁଇଟି ପୁସ୍ତକ ତଥା ଜାଗିଉଠ ଏବଂ ଆଗେଇ ଚାଲ ନାମରେ ଦୁଇଟି କ୍ରାନ୍ତିକାରୀ କବିତା ପୁସ୍ତକ ରଚନା କରିଛନ୍ତି । ରଣପୁର ରାଜାଙ୍କ ଅମଳରେ ଚାଲିଥିବା, ‘ସଡ଼କ ବେଠି’ରେ ନିରିହ ପ୍ରଜାମାନଙ୍କୁ ଉପରେ ଚାଲିଥିବା ଦାରୋଗାର ଜୁଲମ ତାଙ୍କ ମନରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଗଡ଼ଜାତୀ ଅନ୍ୟାୟ ଓ ଜୁଲମର ବିରୋଧରେ ସେ ଚାକିରିରୁ ଇସ୍ତଫା ଦେଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ ।

୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ, ପୌଷ ପୂର୍ଣ୍ଣିମାଦିନ ପ୍ରଜାମଣ୍ଡଳର ଆହ୍ୱାନକ୍ରମେ ରଣପୁର ଗଡ଼ ରାଜ ଉଆସ ସାମ୍ନାରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଜନ ସମାଗମକୁ ଦମନ କରିବାକୁ ଆସିଥିବା ଫିରିଙ୍ଗି ରାଜନୈତିକ ଏଜେଣ୍ଟ ବେଜେଲଗେଟ, ସେଠାରେ ଘଟିଥିବା ଗଣ୍ଡଗୋଳରେ ନିହତ ହୋଇଥିଲେ । ବେଜେଲଗେଟଙ୍କ ମୃତ୍ୟୁ ପାଇଁ ବିଦ୍ରୋହୀ ଦିବାକର ଓ ତାଙ୍କ ସାଥୀ ରଘୁନାଥଙ୍କୁ ଦାୟୀ କରି ଗିରଫ କରାଗଲା। ଫିରିଙ୍ଗି ବିଚାରପତି ସିଅରରଙ୍କ ଅଦାଲତରେ ଦିବାକର ଓ ରଘୁନାଥଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡାୟିତ କରାଗଲା । ୧୯୪୧ ମସିହା ଅପ୍ରେଲ ମାସ ୪ ତାରିଖ ସୂର୍ଯ୍ୟ ଉଦୟ ପୂର୍ବରୁ ବିହାର ଭାଗଲପୁର ଜେଲରେ ରଘୁ-ଦିବାକରଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା । ମାତୃ ଭୂମୀ ପାଇଁ ତାଙ୍କର ବଳିଦାନ ଆମ ମାନଙ୍କ ପାଇଁ ଏକ ଗୌରବମୟ ସ୍ମୃତୀ । ସହିଦ ରଘୁ ଓ ଦିବାକରଙ୍କ ବିରତ୍ୱକୁ ଚିରକାଳ ମନେରାଖିଥିବ ଏ ଓଡିଆ ଜାତି । ସେ ଆଜି ଆମ ସହ ନାହାନ୍ତି ସତ ମାତ୍ର ତାଙ୍କ ଯଶ କିର୍ତ୍ତୀ ଆଜି ଯାଏଁ ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଅଛି ।

Leave a Reply

Your email address will not be published. Required fields are marked *