ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂରା ହେବ କି ଶ୍ରୀଜଗନ୍ନାଥ ଓ ଶ୍ରୀରାମ ପ୍ରେମୀଙ୍କ ଶତାବ୍ଦୀର ସ୍ୱପ୍ନ । ଯାହା ପୂରା କରିବାକୁ ସ୍ଵାଧୀନ ଭାରତର କୌଣସି ସରକାର ଚେଷ୍ଟା କରୁନାହାନ୍ତି । ୫ ଶହ ବର୍ଷର ସଂଘର୍ଷ ପରେ ପୂରା ହେଉଛି ଶ୍ରୀରାମପ୍ରେମୀଙ୍କ ସ୍ୱପ୍ନ । ହେଲେ ଆଉ ଏକ ସ୍ୱପ୍ନ ଯାହା ଏବେ ବି ଅଧୁରା । ଯେଉଁ ସ୍ୱପ୍ନ ଉଭୟ ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଭକ୍ତଙ୍କ । ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ମୁହାଁ ଦେଶ । ଠିକ୍ ତାହା ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏଠି କାର୍ଯ୍ୟକ୍ରମ ହେଲା । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରାରେ ଗଗନପବନ ପ୍ରକମ୍ପିତ ହେଉଛି । ଆଉ ଏ ପରିବେଶ ଭିତରେ ଉଭୟ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଭକ୍ତଙ୍କ ଶତାବ୍ଦୀ ପୁରୁଣା ଅଧୁରା ସ୍ୱପ୍ନ କଥା ଉଠାଇବାକୁ ଚାହୁଁଛି ବଡ଼ ଖବର ।
ଯେଉଁଠି ଏକାକାର ହୁଅନ୍ତି ଅବତାରୀ ଓ ଅବତାର । ଯେଉଁ ସ୍ୱପ୍ନ ୧୯୦୫ ମସିହା ପରଠୁ ଆଉ ପୂରା ହୋଇନି । ୧୧୯ ବର୍ଷ ହେବ ଏକ ଦୁର୍ଲ୍ଲଭ ଦର୍ଶନରୁ ବଂଚିତ ହେଉଛନ୍ତି ଭକ୍ତ । ତାହା ମହାପ୍ରଭୁଙ୍କ ସବୁଠୁ ବଡ଼, ଦିବ୍ୟ, ଭବ୍ୟ, ଅନନ୍ୟ, ଅପୂର୍ବ ରଘୁନାଥ ବେଶର । ଶ୍ରୀଜଗନ୍ନାଥ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । କେତେବେଳେ ସୁନା ବେଶ, କେତେବେଳେ ଗଜାନନ, ପୁଣି କେତେବେଳେ ଦେବ ଦୁର୍ଲ୍ଲଭ ନାଗାର୍ଜୁନ । ହେଲେ ଏ ସବୁ ବେଶ ଭିତରେ ମହାବାହୁଙ୍କ ଏମିତି ଏକ ବେଶ ଅଛି ଯେତେବେଳ ସ୍ଵୟଂ ଜଗନ୍ନାଥ ରଘୁନାଥ ରୂପ ନିଅନ୍ତି । ବଡ଼ ଠାକୁର ବଳଭଦ୍ର ପାଲଟିଯାନ୍ତି ଲକ୍ଷ୍ମଣ ଓ ଦେବୀ ସୁଭଦ୍ରା ମା ସୀତା ରୂପରେ ଦର୍ଶନ ଦିଅନ୍ତି । ଜଗତର ନାଥ ରାଜା ରାମ ବେଶ ଧାରଣ କରନ୍ତି ।
ସେ ରୂପ ଅତି ଚମତ୍କାର ଓ ଆଖି ଝଲସାଇ ଦେବା ଭଳି । ଶ୍ରୀମନ୍ଦିର ପାଲଟି ଯାଏ ରାଜା ରାମଙ୍କ ରାଜ ଦରବାର । ରାମ ରାଜ୍ୟର ରାଜ ପାରିଷଦ ଏଥିରେ ସ୍ଥାନ ପାଆନ୍ତି । ଭରତ, ଶତ୍ରୁଘ୍ନ, ହନୁମାନ, ସୁଗ୍ରୀବ, ଜାମ୍ବବନ୍ତ ବି ରହନ୍ତି । ଏ ବେଶ ସବୁ ବେଶଠାରୁ ବଡ଼ । କିନ୍ତୁ ବିଡମ୍ବନା ହେଉଛି ଶେଷଥର ପାଇଁ ଶ୍ରୀମନ୍ଦିରରେ ଏ ବେଶ ହୋଇଥିଲା ୧୯୦୫ ମସିହାରେ । ଅର୍ଥାତ୍ ୧୧୯ ବର୍ଷ ତଳେ । ବ୍ରିଟିଶ ଶାସନ ସମୟରେ । ସେତେବେଳ ଏ ବେଶ ଦର୍ଶନ ପାଇଁ ପୁରୀକୁ ସମଗ୍ର ଭାରତବର୍ଷରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ନାହିଁ ନ ଥିବା ଭକ୍ତ ସମାଗମ ହୋଇଥିଲା । ସେ ବେଶ କରିଥିବା ସେବକ କିମ୍ବା ଦର୍ଶନ ସୁଯୋଗ ପାଇଥିବା ଭକ୍ତଙ୍କ ମଧ୍ୟରୁ କେହି ଆଉ ଜୀବିତ ଥିବେ କି ନାହିଁ ବି ସନ୍ଦେହ ।
ଏହାରି ଭିତରେ ବ୍ରିଟିଶ ଶାସନ ଯାଇ ସ୍ଵାଧୀନ ଭାରତ ହୋଇଛି । ଓଡ଼ିଶାରେ ସରକାର ପରେ ସରକାର ହୋଇଛି । ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ଯାଇଛନ୍ତି । କିନ୍ତୁ କେହି ବି ମହାପ୍ରଭୁଙ୍କ ସବୁଠୁ ଦୁର୍ଲଭ ବେଶ ଅନୁଷ୍ଠିତ କରିବାକୁ ଚେଷ୍ଟା କରିନାହାନ୍ତି । ଏହା ଭିତରେ ଗୋଟେ ଶତାବ୍ଦୀରୁ ଅଧିକ ସମୟ ବିତିଗଲାଣି । ଅସଂଖ୍ୟ ଭକ୍ତ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ଅନେଇ ବସିଛନ୍ତି । କେବେ ମୋ ଜଗନ୍ନାଥ ମୋ ରଘୁନାଥଙ୍କ ରୂପ ନେବେ । କେବେ ମୁଁ ମୋ ଜଗନ୍ନାଥଙ୍କ ଭିତରେ ମୋ ରାମଙ୍କୁ ଦେଖିବି । ଜଣାନାହିଁ ଏ ସ୍ବପ୍ନ ଏ ଜୀବଦଶାରେ ପୂରା ବି ହେବ କି ନାହିଁ ।