ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ । ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି ସରକାରର ଅଭିନବ ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରି ଏ ସଫଳତା ସେ ପାଇଛନ୍ତି । ବହୁ ପୁରୁଖା ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି ୧୪ ମାସର ସରକାରର ମଙ୍ଗ ଧରିଥିବା ଶ୍ରୀ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ କରିଛନ୍ତି ।
ଜାତୀୟସ୍ତରର ଜଣାଶୁଣା ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍ ଆଗରେ ଅଛନ୍ତି । ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାତ୍ର ୧୪ ମାସର ଶାସନ କାଳରେ ମୋହନ ମାଝୀ ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି । ରାଜ୍ୟବାସୀ ତାଙ୍କ ପ୍ରଦର୍ଶନକୁ ଗ୍ରହଣ କରିଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ଦ୍ବିତୀୟ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ତୃତୀୟ ସ୍ଥାନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରହିଛନ୍ତି। ତାଲିକାରେ ଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ହେଲେ ଗୁଜୁରାଟର ଭୂପେନ୍ଦ୍ର ଭାଇ ପଟେଲ୍, ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୋହନ ଯାଦବ, ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମନ୍ । ୧୦ଟି ଲୋକସଭା ଆସନରୁ ଅଧିକ ଆସନ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।
ପ୍ରଶାସନିକ ଅଭିଜ୍ଞତା ନଥାଇ ମଧ୍ୟ ୧୪ ମାସ ମଧ୍ୟରେ ସରକାରକୁ ଲୋକଙ୍କ ସରକାର ଓ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରାଇବାରେ ସେ ସଫଳ ହୋଇଛନ୍ତି । ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଶ୍ରୀ ମାଝୀ ଗୋଟିଏ ପରେ ଗୋଟିଏ କାର୍ଯ୍ୟକାରୀ କରୁଛନ୍ତି । ସଂକଳ୍ପପତ୍ରର ପ୍ରତିଶ୍ରୁତି ଅନୁଯାୟୀ ଧାନ ବିକ୍ରି ଉପରେ ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲରେ ଅଧିକ ୮୦୦ ଟଙ୍କା ଦେବା ସହ ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ୩ଟି କିସ୍ତି ମିଳି ସାରିଲାଣି ।
ରାଜ୍ୟକୁ ନିବେଶକଙ୍କୁ ଟାଣିବାରେ ମଧ୍ୟ ମୋହନ ସରକାର ସଫଳ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପ୍ରାୟ ୧୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ମିଳିଛି । ଏହା ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଗତ ୬-୭ ମାସ ମଧ୍ୟରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ସହ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
