ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ । ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ପୂରପଲ୍ଲୀ । ଶ୍ରଦ୍ଧା, ଭକ୍ତି ଓ ଆନନ୍ଦଉଲ୍ଲାସର ସହ ପାଳିତ ହେଉଛି ବିଘ୍ନବିନାଶକଙ୍କ ପବିତ୍ର ପୂଜାତ୍ସବ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଘରେ ଘରେ ନିଷ୍ଠାର ସହ ଗଣପତିଙ୍କ ପୂଜାର୍ଚ୍ଚନା ଚାଲିଛି । ସ୍କୁଲ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଇଁ ବିଶେଷ ଆୟୋଜନ ହୋଇଛି। ସହର ଓ ବଜାରଗୁଡ଼ିକରେ ଚାଲିଛି ତୋରଣର ଭବ୍ୟତା ଓ ଥିମରେ ପ୍ରତିଯୋଗିତା। ବିଭିନ୍ନ ପ୍ରକାର ମୂର୍ତ୍ତିର ଆକର୍ଷଣ ଓ ତୋରଣର ସୁନ୍ଦରତା ଓ ଲାଇଟ୍ ସାଉଣ୍ଡ ଆଦିର ପ୍ରତିଯୋଗିତା ଦେଖିବାକୁ ମିଳିଛି ।
ରାଜଧାନୀ ଭୁବନେଶ୍ୱର, ଜଟଣୀ ଓ ତାଳଚେରରେ ଧୁମଧାମରେ ଗଣେଶ ପୂଜା ପାଳନ ହେଉଛି। କେଉଁଠି ସୁଉଚ୍ଚ ତୋରଣ ତ କେଉଁଠି ବିଶାଳକାୟ ଗଣେଶ ମୂର୍ତ୍ତି ସବୁଠି ଦେଖିବାକୁ ମିଳୁଛି। ବିଦ୍ୟା, ବୁଦ୍ଧି, ସିଦ୍ଧି ଓ ଜ୍ଞାନର ଦେବତା ଭାବେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ। ପ୍ରତ୍ୟେକ ଶୁଭକାର୍ଯ୍ୟର ପୂର୍ବରୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଉଥିବାରୁ ସେ ‘ଅଗ୍ରପୂଜ୍ୟ’ ଓ ‘ବିଘ୍ନବିନାଶକ’ ଭାବେ ପରିଚିତ। କେବଳ ଧାର୍ମିକ ଆସ୍ଥା ନୁହେଁ, ଗଣେଶ ପୂଜା ସାମାଜିକ ଏକତା, ଭାଇଚାରା ଓ ସଦ୍ଭାବନାର ବାର୍ତ୍ତା ମଧ୍ୟ ଦେଇଥାଏ। ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକେ ଏକାଠି ହୋଇ ଉତ୍ସାହ ଓ ଉଲ୍ଲାସର ସହ ବିଘ୍ନବିନାଶକଙ୍କ ଏହି ପବିତ୍ର ପର୍ବ ପାଳନ କରୁଛନ୍ତି।
