ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ । ଏହି ହାଇଭୋଲ୍ଟେଜ୍ ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି । ଉଭୟ ଶାସକ ଓ ବିରୋଧୀ ଦଳ ନିଜର ରଣନୀତି ଚୂଡ଼ାନ୍ତ କରି ରଖିଛନ୍ତି । ସଂସଦ ଭବନରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ମତଦାନ ଚାଲିବ। ଏହାପରେ ସନ୍ଧ୍ୟା ୬ଟାରେ ଭୋଟ ଗଣତି ସହ ଫଳାଫଳ ଘୋଷିତ ହେବ । ଏଥିସହ ୫୦ ଦିନ ପରେ ଦେଶକୁ ଜଗଦୀପ ଧନଖଡ୍ଙ୍କ ସ୍ଥାନରେ ନୂଆ ଉପରାଷ୍ଟ୍ରପତି ମିଳିବେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ତାରିଖରେ ଧନଖଡ୍ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ହେଉଛି ।
ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଜଣେ ପୋଖତ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ୍ ଦେଇପାରିବେ। ଉପରାଷ୍ଟ୍ରପତି ନିର୍ବାଚନରେ ୭୮୧ ସାଂସଦ ଭୋଟ୍ ଦେବେ ।
ବିଜେଡି ଓ ବିଆରଏସ୍ର ସାଂସଦ ଭୋଟ୍ ଦେଉନଥିବାରୁ ବିଜୟ ପାଇଁ ୩୮୬ ଜଣଙ୍କ ଭୋଟ୍ ଆବଶ୍ୟକ । ଏଭଳି କ୍ଷେତ୍ରରେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ତଥାପି ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରୁନଥିବାରୁ କ୍ରସ୍ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେପଟେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ । ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିରତି ରହିବ। ଭୋଟ୍ ସମୟରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏନ୍ଡିଏ ଓ ଇଣ୍ଡିଆ ବ୍ଲକ ଠାରୁ ସମଦୂରତା ରଖୁଛୁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ।
ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇଥାନ୍ତି । କିନ୍ତୁ ଏଥିଲାଗି କୌଣସି ହ୍ୱିପ୍ ଜାରି ହୋଇନଥାଏ । ଏପରିସ୍ଥଳେ ଯଦି ସମସ୍ତ ସାଂସଦ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ ଦିଅନ୍ତି ତେବେ ଏନ୍ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍ଙ୍କୁ ୪୩୯ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ରେଡ୍ଡୀଙ୍କୁ ୩୨୪ ଖଣ୍ଡ ଭୋଟ୍ ମିଳିପାରେ । ତେବେ ଗୁପ୍ତ ମତଦାନରେ କ୍ରସ୍ ଭୋଟିଂ ଉଭୟ ପକ୍ଷର ସମୀକରଣ ବିଗିଡା଼ଇ ଦେଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିଲାଗି ଶାସକ ଓ ବିରୋଧୀ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି । ଗୋଟିଏ ବି ଭୋଟ୍ ଯେପରି ନାକଚ ନ ହେବ ସେଥିନେଇ ସାଂସଦଙ୍କୁ ଭୋଟିଂ ପ୍ରକ୍ରିୟା ବିଷୟରେ ସବୁକିଛି ଅବଗତ କରାଯାଇଛି ।
