ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ ମାହୋଲ । ଫର ଫର ହୋଇ ଉଡୁ଼ଛି ଜାତୀୟ ପତାକା ତ୍ରରଙ୍ଗା । କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିଛନ୍ତି । ସମ୍ବିଧାନ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି ବୋଲି ଗଣତନ୍ତ୍ର ଦିବସ ଅବସରରେ ବାରବାଟୀରୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଦିବସ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି,”ଆମେ ଆଜି ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲି ଆସିଥିବା ରୁପେଲୀ ନଗର କଟକର ବିଶାଳ ହୃଦୟ ଉପରେ ଛିଡା ହୋଇଛୁ ।
କଟକ କେବଳ ଏକ ପୁରୁଣା ସହରର ନାମ ନୁହେଁ ଏହା ଆମ ଉତ୍କଳୀୟ ସଂସ୍କୃତିୟ ସାମାଜିକ ପ୍ରତିବନ୍ଧତାର ପ୍ରତୀକ । କଟକର ଏହି ଗୌରବମୟ ମାଟି ବାରବାଟୀ ଷ୍ଟାଡିୟମରେ ଗଣତନ୍ତ୍ର ଦିବସକୁ ଆବେଗର ସହ ପାଳନ କରୁଛୁ । ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଆମକୁ ଭାତୃଭାବର ମହାନ ଭାବରେ ବାନ୍ଧି ରଖିଛି । ଏହା ହିଁ ଭାରତବାସୀଙ୍କ ପାଇଁ ବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି । ବ୍ରିଟିଶ ଶାସନରୁ ମୁକ୍ତ କରି ଏକ ସ୍ୱାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଚାରେ ନିଶ୍ୱାସ ନେବାକୁ ସୁଯୋଗ ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ,ପଣ୍ଡିତ ନେହେରୁ, ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ପରି ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ୱାଧୀନ ପରେ ୨ଟି ଚ୍ୟାଲେଞ୍ଜର ସାମ୍ନା କରିଥିଲା । ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା ।
ଦେଶକୁ ବିଧି ବ୍ୟବସ୍ଥାରେ ଚଲାଇବା ପାଇଁ ସମ୍ବିଧାନ ଲେଖାଗଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ । ବିଶ୍ଵର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ । ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ । ”ଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ”ଓଡିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ । ଏଥିପାଇଁ ଆମ ସରକାର ମାତ୍ର ୧୯ ମାସରେ ଏକ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି । ଶିଳ୍ପାୟନ ସହିତ ରାଜ୍ୟର ବିକାଶ ପାଇଁ ଓଡିଶା ନିଜ ରାଜ୍ୟ ଜିଡିପିର ୬.୧ ପ୍ରତିଶତ କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରିଛନ୍ତି । ଏହା ଦ୍ଵାରା ରାଜ୍ୟରେ ବିଶ୍ଵ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବ। ଭିତ୍ତିଭୂମି ସହିତ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ପାଇଁ ଏହା ଏକ ଇଞ୍ଜିନ ପରି କାର୍ଯ୍ୟ କରିବ । ସ୍ଵାଧୀନତାର ପ୍ରାୟ ୭୭ ବର୍ଷ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳ ଯେପରିକି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲା ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲେ, ଏହା କାହାକୁ ଅଛପା ନାହିଁ ।
କିନ୍ତୁ, ଆମ ସରକାର ପୂର୍ବ ସରକାରମାନଙ୍କ ତ୍ରୁଟି ସୁଧାରିବା ପାଇଁ ଦକ୍ଷିଣ ତଥା ଉତ୍ତର ଓଡିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିବା ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସୁଦୃଢ କରିଛନ୍ତି । ରାଜ୍ୟବାସୀଙ୍କୁ ଘର ପାଖରେ ସେବା ପହଞ୍ଚାଇବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛି । ବାରବାଟୀରୁ ସମ୍ବୋଧନ କରି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି । ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା । ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ । ଏହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି । ଆମ ଜନସଂଖ୍ୟାର ଅଧା ମହିଳା, ନାରୀ ସୁରକ୍ଷା ସବୁଠୁ ଗୁରୁତ୍ବ । ପ୍ରଥମ କ୍ୟାବିନେଟରେ ଆମେ ସୁଭଦ୍ରା ଲାଗୁ କଲୁ । ନାରୀ ସୁରକ୍ଷାକୁ ନେଇ ଆମର ଶୂନ୍ୟ ସହନଶୀଳତା ନୀତି । ବିଶ୍ଵସ୍ତରୀୟ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ମୂଳଦୁଆକୁ ଶକ୍ତିଶାଳୀ ଭାବେ ଗଢିବେ, ଯାହାଦ୍ୱାରା ଗାଁ ସ୍କୁଲରେ ପଢିଥିବା ପିଲାଟି, ସହରର ପିଲା ସହିତ ସମାନ ଭାବେ ପ୍ରତିଯୋଗିତା କରି ପାରିବ । ”
ମହିଳା ବିରୋଧୀ ହିଂସାକାରୀଙ୍କୁ ବି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ୍। ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବନି। ଯେପର୍ଯ୍ୟନ୍ତ ମହିଳାଙ୍କ ବିକାଶ ହେବନି, ରାଜ୍ୟର ବିକାଶ ହୋଇପାରିବନି। ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ଓ ଆମର ଶୂନ୍ୟ ସହନଶୀଳତା ନୀତି। ମହିଳା ହିଂସାରେ ଆମର ଦଣ୍ଡବିଧାନ ହାର କମ୍ ଥିଲା। ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
