Before Header

ବିଶ୍ୱକବିଙ୍କ ଜନ୍ମତିଥି

0 29

କୋଲକାତା(ବଡ଼ ଖବର ବ୍ୟୁରୋ): ଏକା ଧାରାରେ ଜଣେ କବି, ଚିତ୍ରଶିଳ୍ପୀ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ । ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି କୁହାଯାଏ । ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜୟୀ । ତାଙ୍କ ଲେଖାକୁ ଦୁଇଟି ଦେଶ ନିଜର ଜାତୀୟ ସଙ୍ଗୀତ କରିଛନ୍ତି । ତାଙ୍କୁ ମିଳିଛି ବିଶ୍ୱ କବିର ଆଖ୍ୟା । ସେ ହେଲେ ବିଶ୍ୱକବି ରବିନ୍ଦ୍ରନାଥ ଠାକୁର । ୧୮୬୧ ମେ ୭ ତାରିଖରେ କୋଲକତାସ୍ଥିତ ଯୋଡ଼ାଶଙ୍ଖ ଠାକୁରବାଡ଼ିରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ । ପିତା ଦେବେନ୍ଦନାଥ ଟାଗୋର ଓ ମାତା ଶାରଦା ଦେବୀଙ୍କ ତ୍ରୟୋଦଶ ସନ୍ତାନ ଥିଲେ ରବିନ୍ଦ୍ରନାଥ ଟାଗୋର । ତାଙ୍କର ମୋଟ ୧୨ଜଣ ଭାଇ ଭଉଣୀ ଥିଲେ । ପିଲା ବେଳରୁ ହିଁ ନିଜ ମାତାଙ୍କୁ ହରାଇଥିଲେ ରବିନ୍ଦ୍ରନାଥ ଟାଗୋର । ଟାଗୋରଙ୍କୁ ଯେତେବେଳେ ୮ବର୍ଷ ବୟସ ହୋଇଥିଲା ସେ ପ୍ରଥମ କବିତା ଲେଖିବା ଆରମ୍ଭ କରିଥିଲେ । ସେବେଠାରୁ ହିଁ ଟାଗୋରଙ୍କ ସାହିତ୍ୟ ପ୍ରତି ରୁଚିଥିବା ଜଣାପଡ଼ିଯାଇଥିଲା ।

ସେଣ୍ଟ ଜାଭିଅରରେ ପ୍ରଥମେ ପାଠପଢ଼ା ଆରମ୍ଭ କରିଥିଲେ ରବିନ୍ଦ୍ରନାଥ ଟାଗୋର । କିନ୍ତୁ ତାଙ୍କ ପିତା ତାଙ୍କୁ ବାରିଷ୍ଟର କରାଇବାକୁ ଚାହୁଁଥିଲେ ଯେଉଁ କାରଣରୁ ୧୮୮୭ ମସିହାରେ ଲଣ୍ଡନ ଆଇନ ଶାସ୍ତ୍ର ମହାବିଦ୍ୟାଳୟରେ ତାଙ୍କୁ ପଢ଼ାଇବାକୁ ଛାଡ଼ିଥିଲେ । କିନ୍ତୁ ସାହିତ୍ୟ ପ୍ରତି ଥିବା ରୁଚି ତାଙ୍କୁ ପାଠ ଅଧା ଛାଡ଼ିବାକୁ ବାଧ୍ୟ କରିଥିଲା ଓ ସେ ବଙ୍ଗଳା ଫେରି ଆସିଥିଲେ । ତାଙ୍କୁ ଯେତେବେଳେ ୧୬ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ପୁସ୍ତକ ଭାନୁସିଂହ ଛଦ୍ମନାମରେ ପ୍ରକାଶ କରିଥିଲେ । ଏହାପରେ ସେ ଗଳ୍ପ, କବିତା, ନାଟକ, ଉପନ୍ୟାସ ଆଦି ଲେଖା ଲେଖିରେ ମନ ଦେଇଥିଲେ । ଟାଗୋର ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ଟି କ୍ଷୁଦ୍ରଗଳ୍ପ, ଓ ୧୯୧୫ଟି ସଙ୍ଗୀତ ପ୍ରକାଶିତ ହୋଇଛି । ଏଥିମଧ୍ୟରୁ ଅନେକ ରଚନା ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି । ୧୯୧୩ରେ ତାଙ୍କ ରଚିତ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରେଜ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ଭାରତର ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ-ଅଧି’ ଓ ବାଂଲାଦେଶର ଜାତୀୟ ସଙ୍ଗୀତ ‘ଆମର ସୋନାର ବାଙ୍ଗଲା’ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ । ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରିତ ହୋଇ ହୋଇଥିଲା ।

ଶିକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ ରବିନ୍ଦ୍ରନାଥ ଟାଗୋର । ଉପଯୁକ୍ତ ଶିକ୍ଷା ବିନା ଯେ, କିଛି ସମ୍ଭବ ନୁହେଁ ବୋଲି ସେ କହୁଥିଲେ । ଯେଉଁକାରଣରୁ ହିଁ ସେତେବେଳେ ଭାରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ପଞ୍ଜୁରୀ ଭିତରେ ବନ୍ଦୀ ଶୁଆକୁ ତାଲିମ ସହ ସେ ତୁଳନା କରିଥିଲେ । ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବାପାଇଁ ସେ ଶାନ୍ତିନିକେତନରେ ‘ବିଶ୍ୱ ଭାରତୀ’ ସ୍ଥପାନା କରିଥିଲେ । ଭାରତୀୟମାନଙ୍କୁ ବ୍ରିଟିଶମାନଙ୍କ ବିରୋଧରେ ଜାଗୃତ କରିବାକୁ ସେ ଲେଖିଥିଲେ ‘ଚିତ୍ତୋ ଜେଠା ଭୟଶୂନ୍ୟ’ ଅର୍ଥାତ ମନ ଯେଉଁଠାରେ ଭୟମୁକ୍ତ । ସେହିପରି ଏକଲା ଚଲୋରେ ଅର୍ଥାତ ଯଦି ତୁମ ଡାକର କୌଣସି ଉତ୍ତର ମିଳୁନି ତେବେ ଏକା ଆଗେଇ ଚାଲ । ଏହି କବିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ବିଶ୍ୱର ଯେଉଁ କେତେ ଜଣଙ୍କ ବ୍ୟକ୍ତିତ୍ୱର କୌଣସି ପରିଚୟ ଦରକାର ପଡ଼େନି ସେମାନଙ୍କ ମଧ୍ୟରେ ଅନ୍ୟତମ ରବିନ୍ଦ୍ରନାଥ ଟାଗୋର । କେବଳ ଭାରତରେ ନୁହେଁ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜ୍ଞାପନ କରେ । ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ରବିନ୍ଦ୍ରନାଥ ତାଙ୍କ ଛାପ ଛାଡ଼ିନାହାନ୍ତି । ଏହି ମହାନ ଆତ୍ମାଙ୍କର ୧୯୪୧ ମସିହା ଅଗଷ୍ଟ ମାସ ୭ ତାରିଖରେ ପରଲୋକ ଘଟିଥିଲା । ସେ ଛାଡ଼ିଯାଇଥିବା ତାଙ୍କ ପ୍ରତିଟି ଲେଖା ଆଜି ବି ଲୋକଙ୍କୁ ପ୍ରେରଣା ଯୋଗାଏ । ଆଜି ବିଶ୍ୱକବିଙ୍କ ଜନ୍ମତିଥିରେ ବଡ଼ ଖବର ପରିବାର ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.