ଖଇରା (ବଡ଼ ଖବର ବ୍ୟୁରୋ): ଘର ତାଲା ଭାଙ୍ଗି ଲୁଟିନେଲେ ୨୦ଲକ୍ଷ ଟଙ୍କାର ଅଳଙ୍କାର ସମେତ ନଗଦ ୮୦ ହଜାର ଟଙ୍କା। ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧିନ ବାରିଙ୍ଗିଆ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରର ତାଲା ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଅନନ୍ତ ମିଶ୍ର ଓ ତାଙ୍କ ପତ୍ନୀ ପାଖରେ ଥିବା ଏକ ମାଟି ଘରେ ଶୋଇଥିବା ବେଳେ ପକା ଘରେ କେହି ନଥିଲେ।
ଦୁଇଜଣ ପୁଅ ବାହାରେ ରହୁଥିବା ବେଳେ ଘରେ ଅନନ୍ତ ଏବଂ ତାଙ୍କ ପତ୍ନୀ ରହୁଥିଲେ। ଗତକାଲି ରାତି ୩ଟା ସମୟରେ ଅନନ୍ତ ଉଠି ବାହାରକୁ ଆସି ପକ୍କା ଘର ଗ୍ରିଲ ଖୋଲା ଥିବାବେଳେ ଘରର ତାଲାଭାଙ୍ଗି ଦେଖିବାକୁ ପାଇଥିଲେ । ଅନ୍ୟପଟେ ଚୋରି ହୋଇଥିବା ଘର ଠାରୁ ୨କିମି ଦୂରରେ ଗତକାଲି ଗାଁର କିଛି ଯୁବକ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ବଜାରରେ ଥିବାବେଳେ ଲୋକମାନେ ତାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଦୁଇଟା ବାଇକ ଛାଡି ଦୌଡ଼ି ଫେରାର ହୋଇଯାଇଥିଲେ। ବାଇକରେ ଥିବା ବ୍ୟାଗରେ ଏକ ସାବଳ, କଟର ମେସିନ, ଡ୍ରିଲ ମେସିନ ଓ ଏକ ଭୁଜାଲି ଥିବା ଦେଖିବାକୁ ମିଳିଛି। ଅଭିଯୋଗ ପରେ ଖଇରା ପୋଲିସ ତଦନ୍ତ ଚଳାଇଛି।
