ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନେପାଳ ପ୍ରଳୟଙ୍କରୀ ବନ୍ୟାର ଧ୍ୱଂସଲୀଳା । ଗଲାଣି ୧୬୫ ଜୀବନ, ୧୩୩ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ନିଖୋଜ । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଅଭିଯାନରେ ସେନାକୁ ନିୟୋଜିତ କରାଯାଇଛି । ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ରହିଛନ୍ତି ।
ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ । ୮୫ରୁ ଊଦ୍ଧ୍ୱ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି ।
ନୂଆଦିଲ୍ଲୀଠାରେ ଓଡ଼ିଶା ନିବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ପକ୍ଷରୁ ୨୪x୭ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ହେଲା ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ | ଏହାସହ ବୈଦେଶିକ ମନ୍ତ୍ରଣାଳୟ (MEA) ହେଲ୍ପଲାଇନ୍ ନମ୍ବର ରହିଛି +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦ ।
ସେପଟେ ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୧୩୩ ଭାରତୀୟ ପର୍ଯ୍ୟଟକ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ଥିଲେ ଓଡିଆ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ନିଖୋଜ ଥିବା ଖବର ମିଳିଛି। ସେମାନେ ହେଉଛନ୍ତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବରକୁ ଆସୁଥିବା କଲକୁ ଆଧାର କରି ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ଼ କରାଯାଉଥିବା କହିଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡା।