ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ନଦେଲେ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି ସିଧାସଳଖ କାଟି ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ରାଜ୍ୟର ଅନେକ ସରକାରୀ କର୍ମଚାରୀ କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଛାଡ଼ପତ୍ର ପରେ ଦେବାକୁ ଥିବା ପୋଷଣ ଖର୍ଚ୍ଚ ମଧ୍ୟ ଅନେକ କ୍ଷେତ୍ରରେ ପ୍ରଦାନ କରାଯାଉନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରତିଥର ଏଭଳି ୨ରୁ ୩ଟି ମାମଲା ଆସୁଥିବା ଜଣାପଡ଼ିଛି । ଏହାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଟଙ୍କା କାଟି ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର କରିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ସମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଭରଣପୋଷଣ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭରଣପୋଷଣ ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବା ପରେ ବିଭାଗୀୟ Drawing & Disbursement Officer ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବାବେଳେ ଭରଣପୋଷଣ ପାଇଁ ଅଦାଲତ ଯେଉଁ ପରିମାଣର ଅର୍ଥ ନିର୍ଦ୍ଧାରିତ କରିଛନ୍ତି, ସେହି ପରିମାଣର ଅର୍ଥକୁ ଦରମାରୁ କାଟି ସଂମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲୋକ୍ଟୋନିକ୍ ସୂତ୍ରରେ ଜମା କରିବେ।
