ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ୩ଟି ଜିଲ୍ଲାରେ ଆହୁରି ବର୍ଷିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୩ ଓ ୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିମି ବର୍ଷା ହୋଇଛି । ସାରସକଣାରେ ୨୯୭ ମିମି, ବାରିପଦାରେ ୮୩.୮, ରାଇରଙ୍ଗପୁରରେ ୧୬୩, କୁସୁମିରେ ୧୦୩ ମିମି ବର୍ଷା ରେକର୍ଡ ହୋଇଛି ।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଫୁଲିଛି । ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି । ଜାମଶୋଳାଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୫୧.୪୪ ମିଟର ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୪୯.୧୬ ଥିବାବେଳେ ତା ଠାରୁ ୨ ମିଟର ଉପରେ ପାଣି ଚାଲିଛି । ରାଜଘାଟରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ୧୧.୧୬ ମିଟର ଜଳ ପ୍ରବାହିତ ହେଉଛି । ଧୀରେ ଧୀରେ ନଦୀ ଜଳସ୍ତର ବଢ଼ିଚାଲିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବୁଧବାର ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
