ପୁରୀ (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କ ଦୀର୍ଘଦିନର ଆଶା ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଛି ପବିତ୍ର ଶ୍ରୀଗୁଣ୍ଡିଚା ମନ୍ଦିର। ୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର । ପୂଜାର୍ଚ୍ଚନା ପରେ ଆଜି ସକାଳ ୭ଟା ୪୫ରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମ ୩ ଦିନ ମାଗଣା ଦର୍ଶନ, ଏହାପରେ ପ୍ରବେଶ ଶୁଳ୍କ ୧୦ ଟଙ୍କା। ତେବେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଛୋଟ ପିଲାଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗିବ ନାହିଁ।
୨୦୨୦ କରୋନା ସମୟରୁ ବନ୍ଦ ଥିଲା ଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ ମାଗଣା ଜୋତା ଓ ମୋବାଇଲ୍ ରଖିବା ଷ୍ଟାଣ୍ଡ, ପାନୀୟ ଜଳ ଏବଂ ସିସିଟିଭି ସୁରକ୍ଷା ବଳୟ କରାଯାଇଛି। ପ୍ରାଥମିକ ଭାବେ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ଭିତରକୁ ଯାଇ ନପାରି ବାହାରୁ ନିରାଶ ହୋଇ ଫେରୁଥିଲେ। ଆଜି ଭିତରକୁ ଯିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିଛନ୍ତି।
