ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର ଆତଙ୍କୀ ମହମ୍ମଦ ଆସିଫ ଓରଫ ହାଶିମ ମୂସା ନିହତ ହୋଇଛି । ତଲାସୀ ବେଳେ ସୁରକ୍ଷାବାହିନୀ ତା’ର ମୃତଦେହ ସହ ଯୁଦ୍ଧ ସାମଗ୍ରୀ ଜବତ କରିଛି । ଶ୍ରୀନଗରସ୍ଥିତ ଚିନାର କର୍ପସ ପକ୍ଷରୁ ହାଶିମ ମୂସା ନିହତ ହୋଇଥିବା ନେଇ ସୂଚନା ଦିଆଯାଇଛି । ଚିନାର କର୍ପସ ଅନୁସାରେ, ବୁଧବାର ସକାଳେ ପାଲମେଦାନ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିଲା।
ଏହି ସମୟରେ ହାଶିମ ମୂସାର ମୃତଦେହ ଯୁଦ୍ଧ ସାମଗ୍ରୀ ସହ ଉଦ୍ଧାର କରାଯାଇଥିଲା । ବିଶେଷ ଗୋଇନ୍ଦା ସୂଚନା ଆଧାରରେ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ୟୁସମର୍ଗ ଅଞ୍ଚଳରେ ‘ଅପରେସନ କୋରାଗ’ ଆରମ୍ଭ କରିଥିଲେ। ତଲାସୀ ବେଳେ ଯବାନମାନେ ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଦେଖିଥିଲେ। ସୁରକ୍ଷାବାହିନୀ ସନ୍ଦିଗ୍ଧମାନଙ୍କୁ ଚ୍ୟାଲେଞ୍ଜ କରିବା ପରେ ଆତଙ୍କୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଥିଲା। ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ ହୋଇଥିଲା । ହାଶିମ ମୂସାକୁ ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣର ପ୍ରମୁଖ ସନ୍ଦିଗ୍ଧଙ୍କ ମଧ୍ୟରେ ସାମିଲ କରାଯାଇଥିଲା । ପହଲଗାମରେ ହୋଇଥିବା ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।
