ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪ରେ ଅବପାତ ରୂପ ନେଇପାରେ । ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ । ସେପ୍ଟେମ୍ବର ଶେଷ ସପ୍ତାହରେ ଆସିଥିବା ଗଭୀର ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା ପରେ ବେଶି ଭିତରକୁ ପ୍ରବେଶ କରିନପାରେ । ଉପକୂଳରେ ହିଁ ଅଧିକ ପ୍ରଭାବ ରହିପାରେ । ଯଦି ଆକଳନ ସତ ହୁଏ, ତେବେ ଓଡ଼ିଶାରେ ୧୪ରୁ ବର୍ଷା ହୋଇପାରେ । ୧୮ ଯାଏଁ ବର୍ଷା ପ୍ରକୋପ ରହିପାରେ । ଯଦି ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଘନୀଭୂତ ହୁଏ, ବର୍ଷା ପ୍ରକୋପ ଅଧିକ ରହିବ ।
ଅନ୍ୟପକ୍ଷରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୫.୫, ସୋନପୁରରେ ୩୫.୩, ଛତ୍ରପୁରରେ ୩୫.୨, ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ସ୍ୱାଭାବିକଠାରୁ ୨.୬, ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା । ଆଜି ଓ ଗୁରୁବାର ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗୁରୁବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନୁମାନ କରାଯାଉଛି, ଏବେ ଖରା ପ୍ରକୋପ ସାମାନ୍ୟ କମିପାରେ ।
