ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି CEC ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜ୍ଞାନେଶ କୁମାରଙ୍କ ବିରୋଧରେ ଦାୟର ହୋଇଥିବା ଦୁଇଟି ଆବେଦନକୁ ଭିତ୍ତି କରି କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଆବେଦନ କରାଯାଇଛି । ଯେଉଁଥିରେ ନିର୍ବାଚନ କମିସନଙ୍କ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଯାଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
ଆବେଦନକାରୀ ରାକେଶ କୁମାର ସିଂ ଏବଂ ଆଡଭୋକେଟ୍ ଶୈଳେନ୍ଦ୍ର ମଣି ତ୍ରିପାଠୀ ଦର୍ଶାଇଛନ୍ତି ଯେ, ସମୂହ ନିଷ୍ପତ୍ତି ନିୟମକୁ ଉଲ୍ଲଂଘନ କରି ସିଇସି ଏକାକୀ ନିର୍ବାଚନ ଆୟୋଗର ସମସ୍ତ କ୍ଷମତାର ଅପବ୍ୟବହାର କରିଛନ୍ତି । ଆବେଦନରେ ସିଇସି ତଥା ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ମତି ବିନା ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବାକୁ ଦାବି କରାଯାଇଛି । ଏହା ସହିତ ନିର୍ବାଚନ ଆୟୋଗର ବହୁ-ସଦସ୍ୟୀୟ ମର୍ଯ୍ୟାଦା ବଜାୟ ରଖିବା ପାଇଁ ମାମଲାର ଚୂଡ଼ାନ୍ତ ଶୁଣାଣି ପର୍ଯ୍ୟନ୍ତ ଜ୍ଞାନେଶ କୁମାରଙ୍କୁ ଦାୟିତ୍ୱରୁ ନିଲମ୍ବିତ ରଖିବା ଏବଂ କମିଶନର ସମସ୍ତ କାର୍ଯ୍ୟ ଅନ୍ୟ ଦୁଇ ସଦସ୍ୟଙ୍କ ସର୍ବସମ୍ମତିରେ ପରିଚାଳିତ କରିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।
