‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ
ମୁଖ୍ୟ ଅତିଥି ଭାବେ ଯୋଗଦେଲେ 'ବଡ଼ ଖବର'ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ। ଏହି ଉତ୍ସବରେ ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ପ୍ରହରୀ, ସମାଜର ଦର୍ପଣ ଏବଂ ଜନତାଙ୍କ ସ୍ୱର ବୋଲି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ସମ୍ବାଦପତ୍ର କେବଳ ଖବରର ବାହକ ନୁହେଁ ଏହା ଗଣତନ୍ତ୍ରର ପ୍ରହରୀ, ସମାଜର ଦର୍ପଣ ସହିତ ସାଧାରଣ ଜନତାଙ୍କ ସ୍ୱର । କଲମ କାହାର ଗୋଲାମ ନ ହେଉ । ସତ୍ୟ କେବେ କ୍ଷମତା ଆଗରେ ମୁଣ୍ଡ ନ ନୁଆଉଁ ତା ସହିତ ସ୍ୱାର୍ଥର ଶିକାର ନହେଉ । ସମସ୍ତ ସାମ୍ବାଦିକ ମାନଙ୍କୁ ଅନୁରୋଧ କରି ବଡଖବରର ମୁଖ୍ୟ ସମ୍ପାଦକ କହିଛନ୍ତି ଯେ ଖବର ବିକ୍ରି ହୋଇପାରେ କିନ୍ତୁ ସାମ୍ବାଦିକମାନଙ୍କ ବିବେକ କେବେ ବିକ୍ରି ହେବା ଉଚିତ ନୁହେଁ । ନୂଆକରି ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ ଭୁବନ ଖବର ‘ କେବଳ ଏକ ସମ୍ବାଦ ପତ୍ର ନୁହେଁ ଏହା ସବୁବେଳେ ସତ୍ୟର ସ୍ୱର । ନ୍ୟାୟର ଅସ୍ତ୍ର ସହିତ ଜନସାଧାରଣଙ୍କ ବିଶ୍ୱାସର ପ୍ରତିକ ହେଉ ।
କଲମରେ ଥାଉ ସତ୍ୟର ଶକ୍ତି ସାମ୍ବାଦିକତାରେ ନିରପେକ୍ଷତା ତାସହିତ ” ଭୁବନ ଖବର “ସମ୍ବାଦପତ୍ର ଆଗାମୀ ଦିନରେ ଉତ୍ତରୋତ୍ତର ଉନ୍ନତି କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାଠକ ମାନଙ୍କ ପାଖରେ ପହଞ୍ଚୁ । ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପେପର ମ୍ୟାନ ଇଣ୍ଡିଆ ସାପ୍ତାହିକ ଖବର କାଗଜର ସମ୍ପାଦକ ତଥା ଗୀନିଜବୁକ ରେକର୍ଡରେ ସ୍ଥାନ ପାଇଥିବା ଚର୍ଚ୍ଚିତ ଚେହେରା ଶଶାଙ୍କ ଶେଖର ଦାସ, ମାସିକ ଇଂରାଜୀ ପତ୍ରିକାର ସମ୍ପାଦକ ପ୍ରମୋଦ କୁମାର ନାୟକ, ଓଡ଼ିଆ ମାସିକ ପତ୍ରିକାର ଓଡ଼ିଶାର ଭବିଷ୍ୟତ ସମ୍ପାଦିକା ଶ୍ରୀମତୀ ପାର୍ବତୀ ସାହୁ, ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ବିଭୁ କଲ୍ୟାଣ ପ୍ରଧାନ, ଭୁବନ ଖବର କାଗଜର ସମ୍ପାଦିକା ସ୍ଵୟମପ୍ରଭା ସାହୁ ଯୋଗ ଦେଇ ଉଦ୍ଘାଟନ ଉତ୍ସବ କୁ ଆଗକୁ ନେଇ ଖବର କାଗଜ ଉପରେ ସାଧାରଣ ଜନତାଙ୍କ ବିଶ୍ୱାସନୀୟତା ଉପରେ ମତ ରଖିଥିଲେ । ଶେଷରେ ବିଭିନ୍ନ ସମୟରେ ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରି ସାଧାରଣ ଜନତାଙ୍କ ପାଇଁ ଉଦାହରଣ ପାଲଟି ଥିବା ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା।
