ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ R&B ଇଞ୍ଜିନିୟର ତପନ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ଆର୍ ଆଣ୍ଡ୍ ବି ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି । କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରରେ ମୋଟ ୭ଟି ସ୍ଥାନରେ ଏହି ରେଡ୍ ଚାଲିଛି । AEE ତପନ ସେଠୀ ନିଜ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି ।
କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ ୧ ଏକର ଜମିରେ ଫାର୍ମହାଉସ୍, ୩ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି । ତା ସହିତ ୫୫୦ ଗ୍ରାମ ସୁନା, ୪ଟି ଗାଡ଼ି ଓ SBI ଲକର୍ ଠାବ ହୋଇଛି ।
