କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ପୋଲିସର ଏନକାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଅର୍ଜୁନ ପ୍ରଧାନ। ତା’ର ଡାହାଣ ଗୋଡ଼ରେ ବାଜିଛି ଗୁଳି। ପ୍ରଥମେ ଆନନ୍ଦପୁର ମେଡିକାଲରେ ଚିକିତ୍ସା ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ସୁନା ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍ ଘଟଣାରେ ଗିରଫ ହୋଇଥିବା ଅର୍ଜୁନକୁ ଲୁଟ୍ରେ ବ୍ୟବହୃତ ବନ୍ଧୁକ ଉଦ୍ଧାର ପାଇଁ ନେଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ପୋଲିସର ଏନକାଉଣ୍ଟରରେ ଆହତ ଅନ୍ତଃରାଜ୍ୟ ଅପରାଧୀ ଅର୍ଜୁନ ପ୍ରଧାନ। ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୬ ତାରିଖରେ ସୋସୋ ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ଏହି ଘଟଣାରେ ପୋଲିସ ଅର୍ଜୁନ ପ୍ରଧାନକୁ ଗିରଫ କରିଥିଲା। ଲୁଟ୍ରେ ବ୍ୟବହୃତ ବନ୍ଧୁକ ଉଦ୍ଧାର ପାଇଁ ପୋଲିସ ଟିମ୍ ଆଜି ଭୋର ସମୟରେ ଅର୍ଜୁନକୁ ନନ୍ଦିପଦା ଥାନା ଅନ୍ତର୍ଗତ ଅଶିଆ ଗାଁ ନିକଟକୁ ନେଇଥିଲା। ଏହି ସମୟରେ ଅର୍ଜୁନ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଅର୍ଜୁନର ଘର ଯାଜପୁର ଜିଲ୍ଲାର ଯଖପୁରା ଅଞ୍ଚଳର ଦଶମାଣିଆରେ ବୋଲି ଜଣାପଡ଼ିଛି। ତା’ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ଥିବା ସୂଚନା ମିଳିଛି। ଏହାସହ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ସେ ୱାଣ୍ଟେଡ୍ ତାଲିକାରେ ଥିବା କୁହାଯାଉଛି।
