Before Header

ପୁଣି କଡ ଲେଉଟାଇବନି ତ ଜମି ଆନ୍ଦୋଳନ

0 58

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲାରେ ପୁଣି କଡ ଲେଉଟାଇବନି ତ ଜମି ଆନ୍ଦୋଳନ । ଆଦିବାସୀଙ୍କ ଜମିକୁ ନେଇ ସାହୁକାରରାଜକୁ ବିରୋଧ କରି ରଣହୁଙ୍କାର ଦେବେନି ତ କୋରପୁଟ ଜିଲ୍ଲାର ଆଦିବାସୀ । ରାୟଗଡ଼ା ଜିଲ୍ଲାରେ ଆଦିବାସୀଙ୍କୁ ଠକି ଆସୁଥିବା ଆନ୍ଧ୍ରପ୍ରଦେଶର ଡାକ୍ତର ରାମମୋହନ ରାଓଙ୍କୁ ଓଡ଼ିଶା ସରକାରଙ୍କ କୋରାପୁଟ ଜିଲ୍ଲାରେ ପାମୋଲିନ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା ପାଇଁ ଉଦ୍ୟାନ କୃଷି ବିଭାଗ ସହ ଏମଓୟୁ ଦସ୍ତଖତ ପରେ ଏଭଳି ପ୍ରଶ୍ନ ଉଠିଛି । ବର୍ଷ ବର୍ଷ ଧରି ପାମୋଲିନ ଚାଷ କରି ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖିଥିବା ଆନ୍ଧ୍ର ବ୍ୟବସାୟୀଙ୍କୁ କୋରାପୁଟରେ ପୁଣି ନିଜର କାୟା ବିସ୍ତାର ପାଇଁ ଉଦ୍ୟାନ କୃଷି ବିଭାଗର ଅହେତୁକ ଅନୁକମ୍ପା । କୋରାପୁଟ ଜିଲ୍ଳାରେ ସରକାରୀ ଜମିକୁ ବଳପୂର୍ବକ ଜବରଦଖଲ କରିଥିବା ଡାକ୍ତରଙ୍କ ନାମରେ ତହସିଲଦାରଙ୍କ ଏତଲା ପରେ ମଧ୍ୟ ଏଭଳି ଚୁକ୍ତି କାହିଁକି ? ସରକାରଙ୍କୁ ଆଉ ଏକ ଜମି ଆନ୍ଦୋଳନର ସମ୍ମୁଖୀନ ହେବେକୁ ପଡିବନି ତ ?

କୋରପୁଟ ଜିଲ୍ଲାରେ ପୁଣି ଫେରିବନି ତ ଜମି ଆନ୍ଦୋଳନ । ଧନୁତୀର ଧରି ରଣହୁଙ୍କାର ଦେବେନି ତ ଆଦିବାସୀ ? ଶାନ୍ତ ପରିବେଶ ଅଶାନ୍ତ ହେଇଯିବନି ତ? ଆନ୍ଧ୍ରର ଡାକ୍ତର ଡି.ରାମମୋହନ ରାଓଙ୍କ ସହ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏମଓୟୁ ଦସ୍ତଖତ ପରେ ଏଭଳି ଅନେକ ଆଶଙ୍କା ଦେଖାଦେଇଛି । ଡାକ୍ତର ରାମମୋହନ ରାଓ । କର୍ଷକ ମହର୍ଷି ଅଏଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ । ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ବାସିନ୍ଦା । ପେସାରେ ଡାକ୍ତର । କିନ୍ତୁ ସୀମା ପାରହୋଇ ଓଡ଼ିଶାର ଆଦିବାସୀଙ୍କ ଜମି ଉପରେ ପକାଇଛନ୍ତି ଲୋଲୁପ ଦୃଷ୍ଟି । ବେଆଇନ ଭାବେ ନିଜ କବଜାରେ ରଖି ପାମୋଲିନ ଚାଷ କରିବାର ନିଶା ପ୍ରବଳ ଘାରିଛି ଏହି ବାବୁଙ୍କୁ । ଲିଜ ନାମରେ ଆଦିବାସୀଙ୍କ ଜମିକୁ ୧୭ ରୁ ୨୫ବର୍ଷ ଧରି ନିଜ ଅଧୀନରେ ରଖି ରାୟଗଡ଼ା ଜିଲ୍ଳାରେ ପାମୋଲିନ ଚାଷ ନାମରେ ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି ଏହି ଡାକ୍ତର । ଜିଲ୍ଳାର ଗୁଣପୁର ଓ ରାୟଗଡ଼ା ଉପଖଣ୍ଡରେ ହଜାର ହଜାର ଏକର ଆଦିବାସୀ ଜମି ସହ ଅଣ ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖିଛନ୍ତି । ୪ରୁ ୬ହଜାର ଟଙ୍କାଦେଇ ବର୍ଷ ବର୍ଷ ଧରି ରାୟଗଡ଼ା ଜିଲ୍ଲାର ଆଦିବାସୀଙ୍କୁ ଠକି ଚାଲିଛନ୍ତି ଏହି ଡାକ୍ତର । ଯାହାକୁ ନେଇ ଗତ ୧ମାସ ଧରି ବିଭିନ୍ନ ଗଣମାଧ୍ୟମରେ ଡାକ୍ତରଙ୍କ କାରନାମାର ଖୁଲାସା ହୋଇଆସୁଛି ।

କୋରାପୁଟ ଜିଲ୍ଲାର ସରକାରୀ ଜମିକୁ ମଧ୍ୟ ଏହି ଡାକ୍ତର ଛାଡିନାହାନ୍ତି । ଜମି ଆନ୍ଦୋଳନର ଏନ୍ତୁଡିଶାଳ କୁହାଯାଉଥିବା ନାରାୟଣପାଟଣା ଓ ବନ୍ଧୁଗାଁ ଭଳି ସ୍ଥାନରେ ସରକାରୀ ଜମିକୁ ବେଆଇନ ଭାବେ ନିଜ କବଜାରେ ରଖି ଏହି ଡାକ୍ତର ଜଣଙ୍କ ପାମୋଲିନ ଚାଷ କରିଅସୁଛନ୍ତି । ଯାହାର ଆଭାସ ପାଇବା ପରେ ସେଠାକାର ତହସିଲଦାର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ୩୦ରୁ ୪୦ଏକର ସରକାରୀ ଓ ଗୋଚର ଜମିରେ ପାମୋଲିନ ଚାଷ ହୋଇଥିବା ଦେଖିଥିଲେ । ସେଠାରେ ୧୪୪ ଧାରା ଜାରି କରିବା ସହ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚହଳ ପଡିଯାଇଥିଲା । ଓଡ଼ିଶା ଉପରେ ବାବୁଙ୍କ ଦୃଷ୍ଟି ଏବେକାର ନୁହେଁ । ସୀମାନ୍ତ ଅତଡା ଗାଁରେ ବ୍ୟାଙ୍କରୁ ୧୪କୋଟି ଟଙ୍କା ଋଣ ଆଣି ଓଡ଼ିଶାର ପ୍ରଥମ ଅଏଲ ମିଲ ସ୍ଥାପନ କରିଥିଲେ । ପରେ ଏହାକୁ ରୁଗୁଣ ଦର୍ଶାଇ ପ୍ରାୟ ୫କୋଟି ରିହାତି ଟଙ୍କା ହଡପ କରିବା ପରେ ବର୍ତ୍ତମାନ ସମସ୍ତ ଯନ୍ତ୍ରାଶଂକୁ ଆନ୍ଦ୍ରପ୍ରଦେଶ ନେଇ ସେଠାରେ ବେଧଡକ କାରଖାନା ଚଳାଇଆସୁଛନ୍ତି । ଆଉ ଏହି ବେଆଇନ କାର୍ଯ୍ୟକୁ ଦେଖଣାହାରୀ ସାଜିଛନ୍ତି ଏଠାକାର ପ୍ରଶାସନ । ଏଭଳି କଳା କାରନାମାକୁ କାନ୍ଧେଇଥିବା ଡାକ୍ତରଙ୍କୁ ପୁଣି କୋରାପୁଟ ଜିଲ୍ଲରେ ପାମୋଲିନ ଚାଷ ଓ ଚାଷୀକୁ ସଶକ୍ତ କରିବାର ଦାୟୀତ୍ୱ ଦିଆଯାଇଛି । ଜମି ଆନ୍ଦୋଳନକୁ ନେଇ ବହୁ ଚାଷୀଙ୍କ ବଳିଦାନ ପରେ ଶାନ୍ତି ଫେରିଥିବା କୋରାପୁଟ ଜିଲାରେ ପୁଣି ଅଶାନ୍ତର ବହ୍ନି ଜଳିବା ସ୍ପଷ୍ଟ ବାରି ହୋଇପଡୁଛି । ପୁଣି ଆଦିବାସୀଙ୍କ ଜମିରେ ସାହୁକାରରାଜ ଆରମ୍ଭ ହେବାକୁ ମସୁଧା ଚାଲିଥିବା ପରିଲିଖିତ ହେଉଛି । ଜମି ଆନ୍ଦୋଳନ ମୁଣ୍ଡଟେକିବାର ଯଥେଷ୍ଟ ଆଶଙ୍କା ଥିବା ସ୍ୱେଚ୍ଛାସେବୀ ରାଧାକୃଷ୍ଣ ଆଚାର୍ୟ୍ୟ ଆଶଙ୍କା କରିଛନ୍ତି ।

Leave A Reply

Your email address will not be published.