ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କଂଗ୍ରେସ, ଶିବ ସେନା ଓ ଏନସିପିର ମହାମେଣ୍ଟ ମହାବିକାଶ ଅଘାଡ଼ିକୁ ଲାଗିଛି ଆଉ ଏକ ବଡ଼ ଝଟକା । ପ୍ରଥମେ ଶିବସେନା ଦୁଇ ଫାଳ ହୋଇଥିବାବେଳେ ଏବେ ସେହି ସମାନ ଦଶା ଭୋଗିଛି ଶରଦ ପାୱାରଙ୍କ ଏନସିପି । ନିଜ ଘରେ ଦେଖିବାକୁ ମିଳିଛି ବିଦ୍ରୋହ । କ୍ଷମତା ପାଇଁ ପାୱାର ପରିବାର ହୋଇଛି ଦୁଇ ଫାଳ । ଚାଚାକୁ ଧୋକା ଦେଇ ବିଜେପିରେ ମିଶିଛନ୍ତି ଭତିଜା ଅଜିତ ପାୱାର । ମହାରାଷ୍ଟ୍ର ମଧ୍ୟ ଦେଖିଲା ଚାଚା ଭତିଜାଙ୍କ ମଧ୍ୟରେ ଲଢେଇ । ଅଜିତ ପୂର୍ବରୁ ମଧ୍ୟ ବହୁବାର ଦଳକୁ ଭାଙ୍ଗିବା ଚେଷ୍ଟା କରିଛନ୍ତି ।
କିନ୍ତୁ ଶରଦଙ୍କ ରାଜନୈତିକ ଚାଲ ଆଗରେ ସବୁଥର ଫେଲ ମାରିଛନ୍ତି । ପୁଣି ଥରେ ଏନସିପି ଉପରେ ନିଜର ଅତିଆର ଜାହିର କରିଛନ୍ତି ଅଜିତ । କହିଛନ୍ତି ମୋ ପାଖେ ଏବେ ବି ଅଧିକାଂଶ ବିଧାୟକ, ସାଂସଦଙ୍କ ସମର୍ଥନ ରହିଛି । ଖାଲି ସେତିକି ନୁହେଁ ଏନସିପିକୁ ସରକାରରେ ସାମିଲ କରିଥିବା ଦୃଢକ୍ତି ପ୍ରକାଶ କରୁଛନ୍ତି । ତେବେ ଏନସିପି ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି।
୨୦୧୯ ନଭେମ୍ବର ୨୩ରେ ଭାଜପା ନେତା ଦେବେନ୍ଦ୍ର ଫଡ୍ନବିସ କ୍ଷମତା ଦଖଲର ବିଫଳ ପ୍ରୟାସ କରିଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସେ ପରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାତି ପାହିଲେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। କିନ୍ତୁ ରାତି ପାହିବାକୁ ଦିଆଗଲା ନାହିଁ। କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା। ତତ୍କାଳୀନ ରାଜ୍ୟପାଳ ଭଗତସିଂ କୋଶିୟାରୀ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ସୁପାରିସ କରି ଫଡ୍ନବିସ ଏବଂ ଅଜିତଙ୍କୁ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। କିନ୍ତୁ ସେହି ସରକାର ୮୦ ଘଣ୍ଟାରୁ ଅଧିକ ସମୟ ତିଷ୍ଠିପାରି ନ ଥିଲା।