ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ନଅଦିନିଆ ଲୀଳାଖେଳା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏହି ଅବସରରେ ପୁରୀ ବଡ଼ଦାଣ୍ଡ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରରେ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଛନ୍ତି ।ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ତଥା ଦକ୍ଷିଣାଭିମୁଖୀ ଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ଏହା ତୃତୀୟ ଅଙ୍ଗ ।
ରଥ ଯାତ୍ରା ପ୍ରଥମ ଓ ଗୁଣ୍ଡିଚା ମଣ୍ଡପରେ ବାସ ୨ୟ ଅଙ୍ଗ । ଶାସ୍ତ୍ର କୁହେ ରଥ ଯାତ୍ରାରେ ପ୍ରଭୁ ଉତ୍ତରାଭିମୁଖୀ ଯାତ୍ରା କରନ୍ତି । ବାହୁଡ଼ାରେ ଦକ୍ଷିଣାଭିମୁଖୀ ଯାତ୍ରା । ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ । ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ । ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଶୁକ୍ରବାର ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ହୋଇ ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନିକ ସୂଚନା ରହିଛି । ବାହୁଡ଼ା ଯାତ୍ରାର ପ୍ରଶାସନିକ ସମୟ ଅନୁସାରେ, ଠାକୁରଙ୍କ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ ୪ଟା ୧୫, ତଡ଼ପଲାଗି ଓ ରୋଷହୋମ ୪ଟା ୩୦ରେ ସରି ଅବକାଶ ନୀତି ବଢ଼ିବ ୫ଟାରେ। ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ ୫ଟା ୩୦ରେ ।
ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଠାକୁରଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯିବ ୬ଟା ୪୫ ମଧ୍ୟରେ । ଏହା ପରେ ୭ଟାରୁ ପୂର୍ବାହ୍ଣ ସାଢ଼େ ୧୧ଟା ମଧ୍ୟରେ ଦଇତାପତି ଶ୍ରୀବିଗ୍ରହଙ୍କ ସେନା ପଟା ଲାଗି କରିବେ । ଶେଷରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ମଙ୍ଗଳାର୍ପଣ କରିବେ । ଏହି ସମୟ ରହିଛି ୧୧ଟା୪୫ । ପରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଜଗମୋହନ ଦୁଆରେ ଶ୍ରୀବିଗ୍ରହ ବିଜେ ହେଲେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବ । ପତି ମହାପାତ୍ର ପ୍ରସାଦ ବନ୍ଦାପନା, କର୍ପୁର ଆଳତୀ, ସାତବତୀ, ସଞ୍ଜ କାହାଳୀ ଓ ଘସା, ବିଡ଼ିଆ ମଣୋହି କରିବେ । ଏହି ସମୟରେ ପୁଷ୍ପାଳକ ମହାଜନ ତୂଳୀ ଲାଗି ବଢ଼ାଇବେ ।
ପରେ ଦାରୁଦିଅଁ ଧାଡ଼ି ପହଣ୍ଡିରେ ନିଜ ନିଜ ରଥରେ ବିଜେ ହେବେ । ଠାକୁରେ ରଥାରୂଢ଼ ହେବା ପରେ ରୁନ୍ଧା କାର୍ଯ୍ୟ ସମ୍ପନ୍ନ ହେବ । ପରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀମଦନମୋହନ ନନ୍ଦିଘୋଷ ରଥରେ ଓ ଶ୍ରୀରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ ହୁଅନ୍ତି । ରଥରେ ଠାକୁରଙ୍କ ବେଶ ବଢ଼ିବ ୧ଟାରୁ ସାଢ଼େ ୨ଟା ମଧ୍ୟରେ । ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ ଭକ୍ତି ଓ ଭାବରେ ପରିପୂର୍ଣ୍ଣ କରିଦେଇଛି ।
