ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଗୋରା ସାହେବଙ୍କ ସହ ଲଢିବା ପାଇଁ ତାଙ୍କ ମନରେ ଥିଲା ଅଦମ୍ୟ ସାହାସ । ଭୟ କ’ଣ ଯେମିତି ସେ ଜାଣିବି ନଥିଲେ । ଶେଷରେ ସମଗ୍ର ଓଡ଼ିଆ ଜାତିର ପ୍ରାଣ ରକ୍ଷା କରିବାକୁ ଯାଇ ପୋଲିସ ଗୁଳିରେ ଶହୀଦ ହୋଇଥିଲେ ଦେଶର ସର୍ବକନିଷ୍ଠ ସ୍ବାଧିନତା ସଂଗ୍ରାମୀ ବାତି ରାଉତ । ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ବାଜି ରାଉତ ଢେଙ୍କାନାଳ ନୀଲକଣ୍ଠପୁର ଗାଁର ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ପିଲାଟି ବେଳୁ ବାପାଙ୍କୁ ହରାଇ ସେ, ମାଆଙ୍କ ଦ୍ବାରା ପ୍ରତିପାଳିତ ହୋଇଥିଲେ । ଅତି କମ ବୟସରେ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରକୁ ଅନୁଭବ କରିପାରିଥିଲେ ବାଜି ରାଉତ ।

ଏହା ପରେ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମଣ୍ଡଳରେ ସାମିଲ ହୋଇଥିଲେ।ମୋଗଲବନ୍ଦୀ ଅଞ୍ଚଳରେ ଜମିଦାର ଓ ଗଡଜାତ ଅଞ୍ଚଳରେ ରାଜା ଶାସନ ନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଶୋଷଣ, ବେଠି, ବେଗାରି, ଜୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମାରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇ ବିସ୍ଫୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାକୁ କଳେବଳେ କୌଶଳେ ଦମନ କରିବାରେ ଲାଗିଥିଲେ । ଏହି ସବୁ ଗଡଜାତ ହେଉଥିବା ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।

୧୯୩୮ ମସିହା ଅକ୍ଟୋବର ୧୧ ତାରିଖ । ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେଦିନ ସେ ସାଜିଥିଲେ ପ୍ରଜାମଣ୍ଡଳର ସିପାହୀ । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର୍ କରାଇବ । ଆଶଙ୍କା ସତ ହେଲା ପ୍ରଜାମଣ୍ଡଳ ଦମନ କରିବାକୁ ଆସି ପହଁଞ୍ଚିଥିଲେ ଗୋରା ଫଉଜ । ସେମାନଙ୍କ ଆଦେଶ ସତ୍ତ୍ବେ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ ବାଜି । ଧମକର କୌଣସି ଫରକ ବାଜିଙ୍କ ଉପରେ ନପଡିବା ଦେଖି ତାଙ୍କ ଉପରେ ଗୁଳି ଚଳାଇଥିଲେ ଗୋରା ଫଉଜ ।

ଏତିକିରେ ବି ଦମ୍ଭ ଭାଙ୍ଗି ନଥିଲା ବୀର ବାଜିଆର । ଚିତ୍କାର କରି ଉଠିଥିଲେ ସେ, ତାଙ୍କ ଚିତ୍କାରରେ ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ ବ୍ରାହ୍ମଣୀ କୂଳରେ । ତେବେ ଗୋରାସେନା ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କ ଉପରେ ଗୁଳି ଚଳାଇଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୋଟ ବଡ଼ ମିଶି ସାତ ଜଣ ଶହୀଦ ହୋଇଥିଲେ ସେଦିନ ।ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ ୧୯୩୮ ମସିହା ଅକ୍ଟୋବର ୧୨ ତାରିଖରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଶେଷରେ ଆଜିର ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରାଯାଇଥିଲା ।

Leave a Reply

Your email address will not be published. Required fields are marked *