ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ଇଡି ରେଡ ପରେ ବଦଳି ଯାଇଛି ଭଣ୍ଡାରିପୋଖରୀ ଟିକେଟ ଅଙ୍କ । କାହାକୁ ଭରସା କରିବ ବିଜେଡି, କିଏ ଧରିବ ମଙ୍ଗ । ଜମି ଦୁର୍ନୀତି ଅଭିଯୋଗ ପରେ ସାମଲ ପରିବାରରୁ କାହାକୁ ବି ଶାସକ ଦଳ ଟିକେଟ ଦେବନାହିଁ ତାହା ଏବେ ଥୟ । ଏବେ ବିଜେଡି ଟିକେଟ ଦୌଡ଼ରେ ଶୁଣିବାକୁ ମିଳୁଛି ଏକାଧିକ ଆଶାୟୀଙ୍କ ନାଁ ।
ଭଦ୍ରକ ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଯୁବନେତା ପାର୍ଥସାରଥୀ ମୁଦୁଲି, ଉଦୟ ନନ୍ଦ, ମହିଳା ନେତ୍ରୀ ସୁଜାତା ଜେନା ଚର୍ଚ୍ଚାରେ ଅଛନ୍ତି । ଏହା ବି କୁହାଯାଉଛି ଭଦ୍ରକ ବିଧାନସଭା କ୍ଷେତ୍ରରେ ଯେଉଁ ଗୋଷ୍ଠୀ କନ୍ଦଳ ଦେଖା ଯାଇଛି ତାକୁ ମ୍ୟାନେଜ୍ କରିବାକୁ ଭଣ୍ଡାରିପୋଖରୀକୁ ବିଧାୟକ ସଞ୍ଜୀବ ମଲ୍ଲିକ କିମ୍ବା ଅସିତ୍ ପଟ୍ଟନାୟକଙ୍କ ମଧ୍ୟରୁ ଜଣଙ୍କୁ ପଠାଇ ଦିଆଯାଇପାରେ । ଧାମନଗରର ଟାଣୁଆ ନେତା ଅଶୋକ ନାୟକଙ୍କ ନାଁ ବି ଚର୍ଚ୍ଚାରେ ଅଛି ।
ଯଦି ଦଳ ମହିଳା କାର୍ଡ ଖେଳେ ତାଙ୍କ ପତ୍ନୀଙ୍କୁ ସୁଯୋଗ ମିଳିପାରେ । ଏହାଭିତରେ ଏଥର ଭଣ୍ଡାରିପୋଖରୀରେ ମାଟିର ପୁଅକୁ ପାର୍ଟି ଟିକେଟ ଦେବ ବୋଲି ଅଧିକ ଆଲୋଚନା ହେଉଛି । ଯାହା ଯୁବନେତା ପାର୍ଥସାରଥୀ ମୁଦୁଲିଙ୍କ ସମ୍ଭାବନାକୁ ବଢ଼ାଇ ଦେଇଛି ।
ବିପିୟୁଟିର ଚର୍ଚ୍ଚିତ ନେତା, ଛାତ୍ର ବିଜେଡି, ଯୁବ ବିଜେଡିର ଦୀର୍ଘ ବର୍ଷର ଆଗଧାଡିର ସଂଗଠକ ସେ । ପାର୍ଥଙ୍କ ସବୁଠୁ ବଡ଼ ପରିଚୟ ହେଉଛି, ସେ ବିଶିଷ୍ଟ କବି ସ୍ୱର୍ଗତଃ ବସନ୍ତ ମୁଦୁଲିଙ୍କ ପୁଅ । କବି ବସନ୍ତ ମୁଦୁଲିଙ୍କୁ କେବଳ ଭଦ୍ରକ ନୁହେଁ, ସାରା ରାଜ୍ୟ ସମ୍ମାନ ଦେଇଥାଏ । ତେଣୁ ପାର୍ଥଙ୍କୁ ପ୍ରାର୍ଥୀ କରି ପାର୍ଟି ସ୍ୱର୍ଗତଃ ବସନ୍ତ ମୁଦୁଲିଙ୍କୁ ସମ୍ମାନ ଜଣାଇବାକୁ ଚାହିଁବ । ତେବେ ବିଜେଡି ଟିକେଟର ସବୁଠୁ ବଡ଼ ମାପକାଠି ହେଉଛି ଜିତିବାର ସମ୍ଭାବନା ।
ଦଳ ସର୍ଭେ ରିପୋର୍ଟରେ ଯେଉଁ ପ୍ରାର୍ଥୀଙ୍କ ନାଁ ଆସିବ ତାଙ୍କୁ ଦଳ ଟିକେଟ ଦେବ କୁହାଯାଉଛି । ଏହାରି ଭିତରେ ଶନିବାର ଭଣ୍ଡାରିପୋଖରୀ ଆସିବେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଟିକେଟ ଆଶାୟୀ ନିଜ ସ୍ଥିତି ମଜଭୁତ କରିବାକୁ ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏହା ସତ୍ୟ ବିଜେଡି ରାଜନୀତି ବୁଝିବା ବଡ଼ କଷ୍ଟ ।
ଯଦି ଭଣ୍ଡାରିପୋଖରୀ ନିର୍ବାଚନ ସମ୍ପର୍କରେ ଦେଖିବା ଏହା ଭଦ୍ରକ ଜିଲ୍ଲାର ଏକ ପ୍ରମୁଖ ବିଧାନସଭା ଆସନ । ଯାହା ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକକୁ ନେଇ ଗଠିତ ।
ଭଣ୍ଡାରିପୋଖରୀ ରାଜନୈତିକ ଇତିହାସକୁ ଦେଖିବା ଯଦି ୨୦୦୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅନନ୍ତ ସେଠୀ ବିଜୟୀ ହୋଇଥିଲେ । କିନ୍ତୁ ୨୦୦୯ରେ କଂଗ୍ରେସ ନେତା ଯୁଗଳ ପଟ୍ଟନାୟକ ବିଜେଡିରେ ମିଶିବା ପରେ ତାଙ୍କୁ ଭଦ୍ରକ ଆସନ ଦିଆଯାଇ ଭେଟେରାନ ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରିପୋଖରୀକୁ ପଠାଯାଇଥିଲା । ସେବେଠୁ ୨୦୦୯, ୨୦୧୪, ୨୦୧୯ରେ ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ସାମଲ ବିଜେଡିରୁ ଜିତି ଆସୁଛନ୍ତି । ତେବେ ବିକାଶ କଥା ଯଦି ଦେଖିବା ଏହି ସମୟ ମଧ୍ୟରେ ଭଣ୍ଡାରିପୋଖରୀ ବିଶେଷ କିଛି ଲାଭବାନ ହୋଇନଥିବା କୁହାଯାଉଛି । ପ୍ରଫୁଲ୍ଲ ସାମଲଙ୍କ ଭଳି ନେତା ଯିଏ ଅନେକବାର ମନ୍ତ୍ରୀ ମଧ୍ୟ ହୋଇଛନ୍ତି ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିକାଶ କରିବା ଦିଗରେ ବିଫଳ ହୋଇଥିବା ଅନେକ ସମୟରେ ଆଲୋଚନା ହୋଇଥାଏ । ଏହା ସତ୍ତ୍ୱେ ସେ କିନ୍ତୁ ବିଜୟ ହାସଲ କରିବାରେ ସମର୍ଥ ହୋଇଥାନ୍ତି ।
ଏଥର କିନ୍ତୁ ତାଙ୍କୁ ନେଇ ଅନେକ ଜନ ଅସନ୍ତୋଷ ରହିଥିଲା । ପୁଣି ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ପ୍ରସଙ୍ଗରେ ସେ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି । ଯାହା ପ୍ରଫୁଲ୍ଲ ସାମଲଙ୍କ ସହ ବିଜୁ ଜନତା ଦଳର ଭାବମୂର୍ତ୍ତି ଉପରେ ମଧ୍ୟ ପ୍ରଭାବ ପକାଇଛି । ତେବେ ସାମଲ ପରିବାରକୁ ଟିକେଟ ଦୌଡ଼ରୁ ବାଦ ଦେଇ ବିଜେଡି ଖୋଜୁଛି ଏମିତି ଏକ ଚେହେରା ଯିଏ କ୍ଲିନ ଇମେଜର ହୋଇଥିବେ ଓ ଭଣ୍ଡାରିପୋଖରୀ ମାଟିର ପୁଅ ହୋଇଥିବେ ବୋଲି ଚର୍ଚ୍ଚା ବଢୁଛି । ତେବେ ଏହା ବି ଚର୍ଚ୍ଚା ହେଉଛି ବିଜେଡି ଟିକେଟ ଆଶାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଅନେକ ପୂର୍ବତନ ପ୍ରଶାସକ ଲବିରେ ଅଛନ୍ତି । ଭଣ୍ଡାରିପୋଖରୀରେ ବି କେଉଁ ପୂର୍ବତନ ଅଫିସରଙ୍କ ଏଣ୍ଟ୍ରି ନହେବ କିଏ କହିବ ।