Masthead

କାହାକୁ ଭରସା କରିବେ, କାହାକୁ କାଟିବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହାକୁ ଭରସା କରିବେ, କାହାକୁ କାଟିବେ । ଛିଣ୍ଡୁନି ଟିକଟ ଅଙ୍କ । ବିଜେଡି ୩ ଆସନରେ ଯୋଦ୍ଧା ଘୋଷଣା କରିନି । ସେହିପରି ବିଜେପି ୭ ଏବଂ କଂଗ୍ରେସ ୯ ବିଧାନସଭା ସିଟରେ ପ୍ରାର୍ଥୀ ଦରାଣ୍ଡୁଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଦେଇନି । କାହାକୁ ଟିକଟ ଦେବେ ତାକୁ ନେଇ ପୂରା ଚାପରେ ତିନି ଦଳ । ବିଜେଡି ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ଆସନରେ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଖଣ୍ଡପଡ଼ାରେ ବିଜେଡିକୁ ଫେରି ପୁଣି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଟିକଟ ପାଇବେ ବୋଲି ଚର୍ଚ୍ଚା ଘୂରି ବୁଲୁଛି ।

ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ରେସରେ ଅଛନ୍ତି । କିଛି ନୂଆମୁହଁଙ୍କ ନାଁ ମଧ୍ୟ ଆଲୋଚନା ହେଉଛି । ମାତ୍ର ଦଳ କାହା ମୁଣ୍ଡରେ ଟିକଟ କଳସ ଢ଼ାଳିବ ତାହା ସ୍ପଷ୍ଟ ହୋଇନି । ନୀଳିଗିରି ବିଧାୟକ ସୁକାନ୍ତ ନାୟକ ଟିକଟ ଲୋଭରେ ବିଜେପିକୁ ବାଏ ବାଏ କହି ବିଜେଡିରେ ଯୋଗ ଦେଇଥିଲେ । ମାତ୍ର ଏ ଆସନ ପାଇଁ ଦୌଡ଼ରେ ଥିବା ସନ୍ତୋଷ ଖଟୁଆ ମଧ୍ୟ ନଛୋଡ଼ବନ୍ଧା । ଦଳ କାହାକୁ ବାଛିବ, କାହାକୁ ଛାଡ଼ିବ ଆଗପଛ ହେଉଛି । କୋରେଇରେ ଦଳ ନୂଆମୁହଁ ଦେବାକୁ ବିଚାର କରୁଥିବା କୁହାଯାଉଛି । ବିଜେପି ମଧ୍ୟ ଆହୁରି ୭ ଆସନକୁ ନେଇ ଅଡ଼ୁଆରେ ଅଛି ।

ଘଷିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରିପୋଖରୀ ଓ ବରୀ ଆସନରେ ଦଳ ପ୍ରାର୍ଥୀ ଘୋଷଣା ବାକି ରଖିଛି । ବାରବାଟୀ-କଟକରେ ସାଂସଦ ଅନୁଭବ ମହାନ୍ତି ନା ଆଉ କୌଣସି ଦଳୀୟ ନେତାଙ୍କୁ ପ୍ରାର୍ଥୀ ଭାବେ ଦଳ ମଇଦାନକୁ ଓହ୍ଲାଇବ ଏଯାଏ ନିଷ୍ପତ୍ତି ହୋଇପାରୁନି । ବେଗୁନିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପସନ୍ଦର ପ୍ରାର୍ଥୀ ଦେଇପାରନ୍ତି । ବରୀ ଟିକଟ ଆଶାରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ମାତ୍ର ଏଯାଏଁ ତାଙ୍କୁ ଟିକଟ ମିଳିନି । ନୀଳଗିରି, ଭଣ୍ଡାରିପୋଖରୀ ସିଟ୍ ପାଇଁ ଦଳ ପାଣି ପିଇଲାଣି । ସେହିପରି କଂଗ୍ରେସ ମଧ୍ୟ ୯ ଆସନକୁ ନେଇ ଚାପରେ ଅଛି । କଟକ-ବାରବାଟୀରେ ବିଧାୟକ ମହମ୍ମଦ ମୋକିମ୍ ଆଇନଗତ ଜାଲରେ ଛନ୍ଦି ହୋଇଯିବାରୁ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏଆଇସିସିକୁ ସୁପାରିଶ କରିଛି ।

ଜଗତସିଂପୁରରେ ଚିରଞ୍ଜିବୀ ବିଶ୍ୱାଳ ବିଜେଡିକୁ ଯିବା ପରେ ଦଳ ନୂଆ ପ୍ରାର୍ଥୀ ସନ୍ଧାନରେ ଅଛି । କାକଟପୁରରେ ବିଶ୍ୱରଂଜନ ଦାସ ଟିକଟ ଲୋଭରେ ବିଜେପିକୁ ଯାଇଥିଲେ ମାତ୍ର ଟିକଟରେ ଫେଲ ମାରିବା ପରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ବାଲେଶ୍ୱର ସଦର ଆସନରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ନିଜ ପସନ୍ଦର ପ୍ରାର୍ଥୀ ପାଇଁ ଲବି କରୁଛନ୍ତି। ଦୌଡ଼ରେ ସରୋଜ ଲେଙ୍କା ଓ ବିକ୍ରମ ପଣ୍ଡା ଅଛନ୍ତି । ଦଳ କାହାକୁ ବାଛିବ ନିଷ୍ପତ୍ତି ନେଇପାରୁନି । ନୀଳଗିରି ଆସନରେ କଂଗ୍ରେସ ଲଢ଼ିବ ନା ସିପିଏମକୁ ଛାଡ଼ିବ ସ୍ଥିର ହୋଇନି । ଜଳେଶ୍ୱରରେ ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଓ ସୁଦର୍ଶନ ଦାସଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ବଡ଼ଚଣାରେ ଦଳ ଏବେ ଶୁଭେନ୍ଦୁ ମହାନ୍ତିଙ୍କ ନାମକୁ ବିଚାର କରୁଛି । ସେହିଭଳି ଛତ୍ରପୁର ଓ ପାଲଲହଡ଼ା ସିଟରେ ଆଶାୟୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ