ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା । ଗାଁ କୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଝରାପାଳ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଖଟିଆରେ ଭରା ନାଳରେ ବୁହା ହେଲା ଦୁଇ ଭାଇଙ୍କର ମୃତ ଦେହ । ଦଦରାଘାଟି ଡ୍ୟାମ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ଗଣେଶ୍ୱର ସିଂହ ଓ ରଞ୍ଜନ ସିଂହଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ତିନିଜଣ ଏକ ବାଇକରେ ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗଣେଶ୍ୱର ଓ ପରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିବାବେଳେ ଅଜୟ ମୁଣ୍ଡା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ତେବେ ମୃତଦେହ ଗାଁକୁ ଆଣିବା ସମୟରେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଥିଲା। ବଗଛେରା ନାଳରେ ପାଣି ଭରିଥିବାରୁ ଆମ୍ବୁଲାନ୍ସ ଗାଁ ନିକଟକୁ ଯାଇପାରିନଥିଲା। ଫଳରେ ସମାଜସେବୀ ସମୀର ଚନ୍ଦ୍ର ସାହୁ ଓ ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ମୃତଦେହ ବୋହି ଗାଁକୁ ନିଆଯାଇଥିଲା।ଏହି ଘଟଣା ପରେ ବର୍ଷା ଦିନରେ ଝରାପାଳ ଗାଁକୁ ଯାତାୟାତ ସୁବିଧା ଏବଂ ନାଳ ଉପରେ ଯାତାୟାତ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ସେପଟେ ଦୁଇ ଭାଇଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
