ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇସ୍ରୋର ପୂର୍ବାନୁମାନ ଆସିପାରେ ୩ଟି ବାତ୍ୟା । ମାସ ଶେଷ ଆଡକୁ ହୋଇପାରେ ବାତ୍ୟା । ଏନେଇ କୌଣସି ପୂର୍ବାନୁମାନ କରିନି ଆଇଏମଡି । ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତୀୟ ମହାସାଗରରେ ଏକାଧିକ ବାତ୍ୟା ଗଠନ ହେବାର ସମ୍ଭାବନା ନେଇ ଏକ ଗବେଷଣା ରିପୋର୍ଟରେ ସଙ୍କେତ ମିଳିଛି। ରିପୋର୍ଟ ଅନୁସାରେ, ବଙ୍ଗୋପସାଗର ଓ ଆରବ ସାଗରରେ ଏହି ସମୟ ମଧ୍ୟରେ ପ୍ରାୟ ୩ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇପାରେ। ଏଥିରୁ ଅତିକମରେ ଗୋଟିଏ ବାତ୍ୟା ଅତ୍ୟନ୍ତ ଶକ୍ତିଶାଳୀ ରୂପ ନେଇପାରେ ବୋଲି ଆକଳନ କରାଯାଇଛି। ଏପରି ସ୍ଥିତିରେ ପବନର ବେଗ ଘଣ୍ଟାପ୍ରତି ୨୨୦ କିଲୋମିଟର କିମ୍ବା ତା’ଠାରୁ ଅଧିକ ହେବାର ଆଶଙ୍କା ରହିଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସ୍ପେସ୍ ଆପ୍ଲିକେସନ ସେଣ୍ଟରର ଗବେଷଣାରେ ଚଳିତବର୍ଷ ବାତ୍ୟାର ଶକ୍ତି ସୂଚକାଙ୍କ ବା ପାୱାର ଡିସିପେସନ ଇଣ୍ଡେକ୍ସ ସାଧାରଣଠାରୁ ଅଧିକ ରହିବାର ସଙ୍କେତ ମିଳିଛି। ଗତ ୪୪ ବର୍ଷର ହାରାହାରି ତୁଳନାରେ ଏହା ପ୍ରାୟ ୮୩ ପ୍ରତିଶତ ଅଧିକ ହୋଇପାରେ। ତେବେ ଏହାକୁ ନେଇ ଏବେଠାରୁ ନିର୍ଦ୍ଦିଷ୍ଟ ବାତ୍ୟା ପୂର୍ବାନୁମାନ ବୋଲି ଧରିନେବା ଠିକ୍ ନୁହେଁ।
ଭାରତୀୟ ପାଣିପାଗ ବିଭାଗ ଏଭଳି କୌଣସି ନିର୍ଦ୍ଦିଷ୍ଟ ପୂର୍ବାନୁମାନ ଜାରି କରିନାହିଁ। ବିଶେଷକରି ଓଡ଼ିଶାକୁ ନେଇ ଏବେ କୌଣସି ସିଧାସଳଖ ଆକଳନ ନାହିଁ। ସମୁଦ୍ର ପୃଷ୍ଠର ଅଧିକ ତାପମାତ୍ରା ଓ କମ୍ ଭର୍ଟିକାଲ ୱିଣ୍ଡ ସିଅର ଭଳି ପରିସ୍ଥିତି ବାତ୍ୟା ଗଠନ ଓ ତୀବ୍ରତା ବଢ଼ାଇବାରେ ସହାୟକ ହୋଇପାରେ। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଗୁଆ ସତର୍କତା ଓ ପ୍ରସ୍ତୁତି ରଖିବା ଜରୁରୀ।
